ETV Bharat / bharat

2050 ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ !

author img

By

Published : Jul 1, 2019, 7:54 PM IST

ଅର୍ଥନୀତି ଅଭିବୃଦ୍ଧିରେ ପଛରେ ଥିବାବେଳେ ଜନସଂଖ୍ୟାରେ ଆଗଉଛି ଭାରତ । ବିଶ୍ବ ଜନସଂଖ୍ୟା -2019 ରିପୋର୍ଟ ଅନୁସାରେ ଖୁବଶୀଘ୍ର ଭାରତ ଜନସଂଖ୍ୟାରେ ପ୍ରଥମ ହେବ ବୋଲି ଆଶଙ୍କା କରାଯାଉଛି । 2027 ସୁଦ୍ଧା ଜନସଂଖ୍ୟା ଅଭିବୃଦ୍ଧିରେ ଚୀନକୁ ଭାରତ କାଟିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଜନଙ୍କ ବିନା ଦେଶ ସମ୍ଭବ ନୁହେଁ । ଦେଶର ସଂସ୍କୃତି, ପରମ୍ପରା, ଅର୍ଥନୀତି, ସମାଜ ଏସବୁ ଜନସଂଖ୍ୟା ବିନା ସମ୍ଭବ ନୁହେଁ । ମାତ୍ର ଅତ୍ୟଧିକ ଜନତା ଦେଶ ପାଇଁ ବିପଦ । ବିଶ୍ବରେ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ମଧ୍ୟରୁ ଭାରତ ଏବେ ଦ୍ବିତୀୟ ସ୍ଥାନରେ । 2019 ଜାନୁଆରୀର ୟୁଏନଏଫପିଏ(UNFPA) ରିପୋର୍ଟ ଅନୁସାରେ ଭାରତରେ ଜନସଂଖ୍ୟା ବର୍ତ୍ତମାନ 136.87କୋଟି ରହିଛି । 2011 ଜନଗଣନା ଅନୁଯାୟୀ ଭାରତରେ 121କୋଟି ଜନତା ଥିଲେ । ମାତ୍ର 8 ବର୍ଷ ଭିତରେ ପ୍ରାୟ 15 କୋଟି ଜନତା ବୃଦ୍ଧି ପାଇଛନ୍ତି । ଜନଗଣନାର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ଗଣିବା ନୁହେଁ ବରଂ ଦେଶରେ ଥିବା ମହିଳାଙ୍କ ସ୍ବାସ୍ଥ୍ୟ, ସଂଖ୍ୟା, ସେମାନଙ୍କୁ ସମସ୍ତପ୍ରକାର ସୁବିଧା ସୁଯୋଗ ମିଳିପାରୁଛି କି ନାହିଁ ସେସବୁର ଅନୁଧ୍ୟାନ କରିବା ।

ଭାରତରେ ଜନଗଣନାର ଇତିହାସ:-


1872 ମସିହାରେ ପ୍ରଥମ ଥର ଭାରତରେ ଜନଗଣନା କରାଯାଇଥିଲା ମାତ୍ର ନିୟମିତ ଭାବରେ 1881ରେ ଏହା ଆରମ୍ଭ ହୋଇଥିଲା । ବିଶ୍ବରେ ସର୍ବପ୍ରଥମେ ସ୍ବିଡେନ 1749ରେ ଏହାର ଆରମ୍ଭ କରିଥିଲା । ଯାହାକୁ ସବୁଦେଶ ସ୍ବାଗତ କରିଥିଲେ । ଭାରତରେ ଥିବା ଜନଗଣନା ସଂଗଠନ ଏହାର ଦାୟିତ୍ବ ନେଇଥାଏ ଓ ଜନତାଙ୍କ ଗଣନା କରିଥାଏ । ଭାରତରେ ଶେଷ ଥର ପାଇଁ 2011ରେ ଜନଗଣନା କରାଯାଇଥିଲା । ଏହା ଭାରତର 15ତମ ଜନଗଣନା ଥିଲା ବା ସ୍ବତନ୍ତ୍ର ଭାରତର ସପ୍ତମ ଜନଗଣନା ।

2011 ଜନଗଣନା କରିଥିଲେ ଭାରତର ପଞ୍ଜିକରଣ ଓ ଜନଗଣନା ଅଧ୍ୟକ୍ଷ ଡକ୍ଟର ସି ଚନ୍ଦ୍ରମୌଲୀ । ଖାସକରି ଉତ୍ତର ପ୍ରଦେଶରେ ଜନସଂଖ୍ୟା ଅଧିକ ଥିବାବେଳେ ସିକିମରେ କମ ଲୋକ ବାସ କରୁଛନ୍ତି । ଏହାକୁ ରିପୋର୍ଟ ଆକାରରେ ପ୍ରସ୍ତୁତ କରାଯାଏ । ରିପୋର୍ଟ ଅନୁସାରେ,ଭାରତରେ ସର୍ବାଧିକ ଯୁବକ ଅଛନ୍ତି । ଶେଷ ଜନଗଣନା ଅନୁସାରେ ସମଗ୍ର ବିଶ୍ବରେ ଭାରତର ଜନସଂଖ୍ୟା 17.5ପ୍ରତିଶତ ଅଛି । ତେବେ 2001-2011 ମଧ୍ୟରେ ଭାରତରେ ଜନସଂଖ୍ୟା ପ୍ରାୟ 17.7ପ୍ରତିଶତ ବୃଦ୍ଧି ପାଇଛି । ସହରର ଜନସଂଖ୍ୟା 2011ରେ 31.2ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ପ୍ରାୟ 68.8 ପ୍ରତିଶତ ଥିଲେ । ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ଭାରତ ସରକାର 2045 ମସିହାର ଟାର୍ଗେଟ ରଖିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ 2070 କରି ଦିଆଯାଇଛି ।

ବିଶ୍ବ ଜନସଂଖ୍ୟା-2019:-


ନିକଟରେ ବିଶ୍ବ ଜନସଂଖ୍ୟା 2019ର ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟକୁ ପ୍ରସ୍ତୁତ କରିଛି ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା ଫଣ୍ଡ ବା ୟୁଏନଏଫପିଏ(UNFPA) । ସଂଯୁକ୍ତ ରାଷ୍ଟ୍ରର ଏହା ଏକ ସଂଗଠନ । ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ । ସ୍ବାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ସୁବିଧା ମିଳୁଛି କି ନାହଁ? ଫ୍ୟାମିଲି ପ୍ଲାନିଂରେ ସେମାନଙ୍କ ସହମତି ରହୁଛି କି ନାହଁ? ନିଜ ନିଷ୍ପତ୍ତି ନିଜେ ନେଇ ପାରୁଛନ୍ତି କି ନାହିଁ ? ଦେଶରେ ମହିଳାଙ୍କ ସଂଖ୍ୟା କେତେ ବୃଦ୍ଧି ପାଉଛି? ଏସବୁର ନିରିକ୍ଷଣ କରାଯାଏ । ତେବେ ଏହି ସଂଗଠନ ଅନେକ ସମୟରେ ବିବାଦ ଘେରରେ ମଧ୍ୟ ରହିଛି । ଏହା ମହିଳାଙ୍କ ଉପରେ ଅଧିକ ଧ୍ୟାନ ଦେଉଥିବାରୁ ଆମେରିକାର ନିଚ୍ଚ ଉଦ୍ଦେଶ୍ୟ ରଖୁଥିବା କିଛି ଗୋଷ୍ଠୀ ଏହାକୁ ବିରୋଧ କରନ୍ତି ହେଲେ ୟୁରୋପ ଓ ଏସିଆରେ ସେପରି କିଛି ବିରୋଧ ଦେଖାଯାଇନାହିଁ ।

ତେବେ ଏହାର ରିପୋର୍ଟ ଅନୁସାରେ, 2019ରେ ଭାରତର ଜନସଂଖ୍ୟା 136 କୋଟି ଅଛି । 1969ରେ ପାଖାପାଖି 55କୋଟି ଥିବା ବେଳେ 1994ରେ 95କୋଟି ଥିଲା ଓ 2011ରେ 121 କୋଟିକୁ ଏହାର ଜନଂଖ୍ୟା ବୃଦ୍ଧି ଘଟିଥିଲା । ତେବେ ଜନସଂଖ୍ୟା ଦୌଡରେ ଭାରତ ଆଗେଇବାରେ ଲାଗିଛି । ସମଗ୍ର ବିଶ୍ବରେ ପ୍ରାୟ 771କୋଟି ଲୋକ ଅଛନ୍ତି । 2010ରୁ 1019 ମଧ୍ୟରେ ଭାରତର ଜନସଂଖ୍ୟା ପ୍ରାୟ 1.2ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟା ଦେଶ ଚୀନର ଜନସଂଖ୍ୟା ବର୍ତ୍ତମାନ 142କୋଟି ରହିଛି । ଭାରତଠାରୁ ମାତ୍ର 6କୋଟିର ପ୍ରଭେଦରେ ଓ 2010ରୁ 2019 ମଧ୍ୟରେ ପ୍ରାୟ 0.5ପ୍ରତିଶତ ଲୋକ ବୃଦ୍ଧି ହୋଇଛନ୍ତି ଚୀନରେ ।

ତେବେ ଭାରତ ତୁଳନାରେ ଏହା ଅଧାରୁ ବି କମ । ରିପୋର୍ଟ ଅନୁସାରେ, 2027 ସୁଦ୍ଧା ଜନସଂଖ୍ୟାରେ ଚୀନକୁ ପଛରେ ପକାଇଦେବ ଭାରତ । ଭାରତରେ ଯୁବକଙ୍କ ସଂଖ୍ୟା ଅଧିକ ଅଛି, ସମ୍ପୁର୍ଣ୍ଣ ଜନସଂଖ୍ୟାର ପ୍ରାୟ 67ପ୍ରତିଶତ 15-64 ବର୍ଷୀୟ ଯୁବକ ଅଛନ୍ତି । ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ଫର୍ଟିଲିଟି ରେଟ କିନ୍ତୁ ଭାରତରେ କମିଛି । 1969ରେ ପ୍ରତି ମହିଳା ପିଛା 5-6 ଶିଶୁ ଜନ୍ମ ନେଉଥିବା ବେଳେ ବର୍ତ୍ତମାନ 2-3 ଶିଶୁ ଜନ୍ମଗ୍ରହଣ କରୁଛନ୍ତି ।

ଚୀନ ସହିତ ଭାରତକୁ ତୁଳନା କଲେ 2050 ସୁଦ୍ଧା ଚୀନ ଜନସଂଖ୍ୟାରେ ସ୍ଥିରତା ଆସିବା ନେଇ ଅନୁମାନ କରାଯାଉଛି । ମାତ୍ର ଭାରତରେ ସ୍ଥିରତା ଆସିବାକୁ ନେଇ ଆଶଙ୍କା ରହିଛି । ଜନସଂଖ୍ୟା ବୃଦ୍ଧି ହେଲେ ସବୁଠାରୁ ବଡ ସମସ୍ୟା ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟ, ଜାଳେଣୀ ଆଦି ଯୋଗାଇବା । ଅଧିକ ଜନସଂଖ୍ୟା ହେଲେ ଏସବୁରେ ସମସ୍ୟା ଦେଖାଯିବ । ଏହାସହ ବେକାରୀ ସମସ୍ୟା ମଧ୍ୟ ମୁଣ୍ଡଟେକି ଠିଆ ହେବ । ଜନସଂଖ୍ୟା ବୃଦ୍ଧିର ପ୍ରଭାବ ସହରି ଅଞ୍ଚଳରେ ଦେଖାଯାଇଥାଏ । 2050 ସୁଦ୍ଧା 68ପ୍ରତିଶତ ଜନସଂଖ୍ୟା ସହରି ଅଞ୍ଚଳରେ ବୃଦ୍ଧି ପାଇପାରେ ।

ତେବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସାଟେଲାଇଟ ସହରର ନିର୍ମାଣର ଉଦ୍ଦେଶ୍ୟ ରଖିଛନ୍ତି । ତେବେ ଏହାଦ୍ବାରା ସରକାର ଉପରେ ମଧ୍ୟ ଅଧିକ ଚାପ ପଡିଥାଏ । ସ୍ବଚ୍ଛତା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ । ପାନୀୟ ଜଳ, ବିଦ୍ୟୁତ ଭଳି ଅତ୍ୟାବଶ୍ୟକ ଜିନିଷର ଅଭାବ ଦେଖାଯିବ । ତେବେ ସାଟେଲାଇଟ ସହର ହେଲେ ଏସବୁ ସମସ୍ୟାରୁ ଆରାମ ମିଳିବ । ଭାରତ ତୁଳନାରେ ଆମେରିକାର ଆୟତନ ତିନିଗୁଣା ଅଧିକ ମାତ୍ର ସେଠାରେ ଜନସଂଖ୍ୟା ମାତ୍ର 33 କୋଟି । ଭାରତର ସ୍ବାସ୍ଥ୍ୟ ସଂଗଠନମାନ ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଉଛନ୍ତି । ସଂଗଠନର କେବଳ ଗୋଟିଏ ଲକ୍ଷ ଜନସଂଖ୍ୟାର ମାତ୍ରକୁ ହ୍ରାସ କରିବା ଓ ଅର୍ଥନୀତିରେ ଅଭିବୃଦ୍ଧି ଆଣିବା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.