ETV Bharat / bharat

ଜାତିଭିତ୍ତିକ ଜନଗଣନାକୁ ଅଖିଳେଶଙ୍କ ସମର୍ଥନ, କହିଲେ ପଛୁଆ ସମ୍ପ୍ରଦାୟର ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ହେବ

author img

By ETV Bharat Odisha Team

Published : Nov 19, 2023, 8:14 PM IST

ଜାତିଭିତ୍ତିକ ଜନଗଣନାକୁ ଅଖିଳେଶଙ୍କ ସମର୍ଥନ, କହିଲେ ପଛୁଆ ସମ୍ପ୍ରଦାୟର ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ହେବ
ଜାତିଭିତ୍ତିକ ଜନଗଣନାକୁ ଅଖିଳେଶଙ୍କ ସମର୍ଥନ, କହିଲେ ପଛୁଆ ସମ୍ପ୍ରଦାୟର ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ହେବ

ଜାତିଭିତ୍ତିକ ଜନଗଣନା ସପକ୍ଷରେ ଅଖିଳେଶ । ହରିୟାଣାରେ ଏକ କାର୍ଯ୍ୟକ୍ରମରେ କହିଲେ ପଛୁଆ ସମ୍ପ୍ରଦାୟର ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ହେଲେ ଜାତିଭିତ୍ତିକ ଜନଗଣନା ଜରୁରୀ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରିବାରେ ଲାଗିଛନ୍ତି । ନୀତିଶ କୁମାର ସରକାର ବିହାରରେ ଏହାକୁ କାର୍ଯ୍ୟକାରୀ କରିସାରିଥିବା ବେଳେ ପଡୋଶୀ ଉତ୍ତର ପ୍ରଦେଶରେ ବିରୋଧୀ ଦଳ ସାମାଜବାଦୀ ପାର୍ଟି ମଧ୍ୟ ଏହା ସପକ୍ଷରେ ବାହାରିଛି । ଆଜି ହରିୟାଣାର ଜିନ୍ଦରେ ଏକ କାର୍ଯ୍ୟକ୍ରମ ଅବସରରେ ଦଳ ମୁଖ୍ୟ ଅଖିଳେଶ ଯାଦବ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି । ପଛୁଆ ସମ୍ପ୍ରଦାୟର ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ହେଲେ ଜାତିଭିତ୍ତିକ ଜନଗଣନାକୁ କାର୍ଯ୍ୟକାରୀ କରିବାକୁ ପଡିବ ବୋଲି ଅଖିଳେଶ କହିଛନ୍ତି ।

ହରିୟାଣାର ଜିନ୍ଦ୍‌ ଜିଲ୍ଲାର ମେହମ ଆସନରୁ ସ୍ବାଧୀନ ବିଧାୟକ ଥିବା ବଲରାଜ କୁଣ୍ଡୁଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ଅଖିଳେଶ ଅଂଶଗ୍ରହଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ସେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଥିଲେ । ବିଜେପି ଶାସିତ ହରିୟାଣାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଜାତିଭିତ୍ତିକ ଜନଗଣନା ନାତିକୁ ବିଜେପି ବିରୋଧ କରୁଥିବା ବେଳେ ବିରୋଧୀମାନେ ଏହାକୁ ହିଁ ଆଞ୍ଚଳିକ ରାଜନୀତିର ମୁଦ୍ଦା ଭାବେ ବ୍ୟବହାର କରିବାକୁ ଲାଗିଲେଣି । ଏହା ଆଜି ଦେଖିବାକୁ ମିଳିଛି ।

ଆଜି ମନୋହର ଲାଲ ଖଟ୍ଟର ସରକାରକୁ ଟାର୍ଗେଟ କରିବାକୁ ଯାଇ ଅଖିଳେଶ କହିଥିଲେ, ‘‘ସମଗ୍ର ଦେଶ ଆଜି ଜାତିଭିତ୍ତିକ ଜନଗଣନା ଚାହୁଁଛି । କାରଣ ଏତେ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଅନେକ ପଛୁଆ ସମ୍ପ୍ରଦାୟ ଅଛନ୍ତି । ଆମେ ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସଫଳତା ପାଇନାହୁଁ । ପଛୁଆ ସମ୍ପ୍ରଦାୟ ଓ ଶ୍ରେଣୀର ଲୋକମାନଙ୍କର ଅଧିକାର ଓ ସମ୍ମାନ ସୁନିଶ୍ଚିତ କରିବା ଦିଗରେ ତାଙ୍କ ଦଳ ସର୍ବଦା କାର୍ଯ୍ୟ ଜାରି ରଖିବେ। ଏଥିପାଇଁ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ :- ଆରପାରିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଭେଙ୍କଟରମଣ, ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟର ଥିଲେ ରକ୍ଷକ

ପ୍ରଥମେ ବିହାରରେ ନୀତିଶ ସରକାର ଏହାକୁ ଲାଗୁ କରିଥିଲେ । ଏହି ସର୍ଭେ ଶେଷ ହୋଇ ଏହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି । କଂଗ୍ରେସ ମଧ୍ୟ ଏହାକୁ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିବା ପରେ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିସାରିଛି । ବିଜେପି ଏହାକୁ ଜାତି ଆଧାରରେ ସମାଜକୁ ବିଭାଜନ କରିବାର ପ୍ରୟାସ କରି ବିରୋଧ କରୁଥିବା ବେଳେ ପାଲଟା ଜବାବରେ କଂଗ୍ରେସ ବିଜେିପକୁ ଓବିସି ବିରୋଧୀ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.