ETV Bharat / bharat

Adani Group calls off FPO: ଆଦାନୀ ଗ୍ରୁପର ୨୦ ହଜାର କୋଟି FPO ବାତିଲ

author img

By

Published : Feb 2, 2023, 6:56 AM IST

ଆଦାନୀ ଗ୍ରୁପର ୨୦ ହଜାର କୋଟି ଟଙ୍କାର FPO ବାତିଲ । ବଜାର ଅସ୍ଥିରତା ଓ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କମ୍ପାନୀ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଆଦାନୀ ଗ୍ରୁପ ଏଫପିଓ ବାତିଲ
ଆଦାନୀ ଗ୍ରୁପ ଏଫପିଓ ବାତିଲ

ଗାନ୍ଧୀନଗର: ଆମେରିକୀୟ ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ରିପୋର୍ଟ ଯୋଗୁଁ ଲଗାତାର କ୍ଷତି ସହୁଥିବା ଆଦାନୀ ଗ୍ରୁପ ଏକ ବଡ ଘୋଷଣା କରିଛି । ଆଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ(AEL) ନିଜର ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର(FPO)କୁ ବାତିଲ୍ କରିଦେଇଛି । ଏହି FPO ପାଇଁ ଆବେଦନ ଶେଷ ହୋଇଥିବା ବେଳେ କମ୍ପାନୀ ଏବେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଅପ୍ରତ୍ୟାଶିତ ସ୍ଥିତି ଓ ବଜାରରେ ଅସ୍ଥିରତା ଯୋଗୁଁ AEL ବୋର୍ଡ ପକ୍ଷରୁ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ । ଏହାକୁ ନେଇ ପୁଞ୍ଜି ବଜାରରେ ବେଶ୍ ଅସ୍ଥିରତା ଦେଖାଦେଇଥିଲା । ଏକ ସମୟରେ ସେନସେକ୍ସ ୨ ହଜାର ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ପୁଣି କାରବାର ଶେଷ ବେଳକୁ ଦ୍ରୁତଗତିରେ ଖସି ଆସିଥିଲା । ଗତକାଲି ମଧ୍ୟ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ଦ୍ରୁତ ଅବନତି ଆସିଥିଲା । ଏପରି ପୁଣିଥରେ ବଡ ଧରଣର କ୍ଷତି ସାମ୍ନା କରିବା ପରେ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ଏକ ବୈଠକ ବସିଥିଲା ।

ଏହି ବୈଠକରେ ବଜାର ଅସ୍ଥିରତା ଓ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫରକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି FPO ପାଇଁ ଆବେଦନ ଶେଷ ହେବା ସହ ଅନେକ ଲୋକ ଆବେଦନ ମଧ୍ୟ କରିଥିଲେ । ଏବେ କମ୍ପାନୀ ପକ୍ଷରୁ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଛି । କହିରଖଛୁ IPO ଏବଂ FPO ସମ୍ପୂର୍ଣ୍ଣ ଭିନ୍ନ । ପୁଞ୍ଜି ବଜାରରେ ପୂର୍ବରୁ ତାଲିକାଭୁକ୍ତ ଥିବା କମ୍ପାନୀ FPO ଜରିଆରେ ନିବେଶକଙ୍କୁ ନୂଆ ସେୟାର ଅଫର କରିଥାଏ ।

ଏହାମଧ୍ୟ ପଢନ୍ତୁ: ଶିଳ୍ପପତି ଆଦାନୀଙ୍କୁ ଝଟକା, ବିଶ୍ୱର ଟପ୍-୧୦ ଧନୀ ଲିଷ୍ଟରୁ ଖସିଲେ

ପ୍ରକାଶଥାଉ କି, ଆଦାନୀ ଗ୍ରୁପର ବୃହତ FPO ଆଣିବା ବେଳେ ଆମେରିକୀୟ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଜାନୁୟାରୀ ୨୪ରେ ଏକ ରିପୋର୍ଟ ପ୍ରକାଶିତ କରିଥିଲା । ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ବିରୁଦ୍ଧରେ ସେୟାର ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂ ଜାଲିଆତି ଅଭିଯୋଗ କରାଯାଇଥିଲା । ଏହି ରିପୋର୍ଟ ସମଗ୍ର ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି । ଲଗାତାର ଭାବେ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ତଥା ଭାରତର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି । ଯେଉଁ କାରଣରୁ ଆଦାନୀ ଏବେ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ମଧ୍ୟ ବାଦ୍ ପଡିଛନ୍ତି ।

ଅନ୍ୟପଟେ ହିଣ୍ଡନବର୍ଗ ରିପୋର୍ଟକୁ ଭିତ୍ତିହୀନ ଏବଂ ବଦନାମ କରିବା ଲାଗି ଷଡଯନ୍ତ୍ର ବୋଲି ଆଦାନୀ ଗ୍ରୁପ କହିଛି । ଭୁଲ ଓ ପୁରୁଣା ତଥ୍ୟ ଆଧାରରେ ମନ୍ଦ ଉଦ୍ଦେଶ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଗ୍ରୁପର ମୁଖ୍ୟ ଆର୍ଥିକ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.