ETV Bharat / bharat

May 4 Manipur Incident: 5 ପୋଲିସ ଅଧିକାରୀ ନିଲମ୍ବିତ, ଅସ୍ତ୍ରଶସ୍ତ୍ର ଲୁଟ ନେଇ ତନାଘନା

author img

By

Published : Aug 6, 2023, 8:54 PM IST

ମଣିପୁରରେ 2 ଯୁବତୀଙ୍କୁ ଉଲଗ୍ନ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । 5 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲା ରାଜ୍ୟ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଇମ୍ଫାଲ: ମଣିପୁର ଜାତିଆଣ ହିଂସାକାଣ୍ଡକୁ ନେଇ ଉଠୁଛି ପଡୁଛି ଦେଶ । ଏହାରି ମଧ୍ୟରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଗତ ମେ 4 ତାରିଖରେ ସାରା ଦେଶକୁ ଲଜ୍ଜିତ କରିଥିବା ଘଟଣା (2 ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା)ରେ ରାଜ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ 5 ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଦୁର୍ବୃତ୍ତଙ୍କ ନିକଟରେ କିପରି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି ସେ ସମ୍ପର୍କରେ ଜାଣିବା ଲାଗି ଜଣେ ଆଇଜି ରାଙ୍କର ଅଫିସର ତନାଘନା ଜାରି ରଖିଛନ୍ତି ।

ଗତ ଜୁଲାଇ 19 ତାରିଖରେ ଯୁବତୀଙ୍କ ନିର୍ବସ୍ତ୍ର ଭିଡିଓ ଭାଇରାଲ ହେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏହାପରେ ସଙ୍ଗେସଙ୍ଗେ ପୋଲିସ ଥୌବାଲ ଜିଲ୍ଲା ନୋଙ୍ଗପୋକ ସେକମାଇ ପୋଲିସ ଷ୍ଟେସନର ଇନ-ଚାର୍ଜଙ୍କ ସମେତ 4 ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ଆଜି ସେମାନଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଦୁର୍ବୃତ୍ତଙ୍କ ନିକଟରେ କିପରି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି ସେ ସମ୍ପର୍କରେ ତନାଘନା କରିବା ଲାଗି ମଧ୍ୟ ଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହା ବି ପଢନ୍ତୁ-Manipur Violence: ମଣିପୁରରେ ଥମିବାର ନାଁ ଧରୁନି ହିଂସା, 3 ଜଣଙ୍କୁ ଗୁଳିକରି ହତ୍ୟା

ରାଜ୍ୟରେ ଶାନ୍ତି ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଥିବା ରାଜ୍ୟ ପୋଲିସ କହିଛି । ସେପଟେ ରାଜ୍ୟ ପୋଲିସ ସେନା ଓ ଆସାମ ରାଇଫଲ୍ସଙ୍କ ମଧ୍ୟ ସହାୟତା ଲୋଡ଼ିଛି । ହିଂସା ଯୋଗୁଁ ଅନେକ ପ୍ରଭାବିତ ବ୍ୟକ୍ତି ଏବେ ବି କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ଲୋକେ ଘରୁ ବାହାରିବାକୁ ଭୟ କରୁଥିବାରୁ ସେନା ବଳ ଦ୍ବାରା ଆବଶ୍ୟକୀୟ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଯାଉଛି । ଏବେ ଚାଷ ସମୟ ଚାଲିଥିବାରୁ ଆବଶ୍ୟକୀୟ ସାର ଓ ଅନ୍ୟାନ୍ୟ ଉପାଦାନ ଚାଷୀଙ୍କ ନିକଟରେ ପହଞ୍ଚାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ମଣିପୁରର ପ୍ରସିଦ୍ଧ କଳା ଧାନ (Black Rice) ଏହି ସମୟରେ ଚାଷ କରାଯାଏ ।

ମଣିପୁର ହିଂସାକାଣ୍ଡ ଘଟଣାରେ ଏଯାବତ ପ୍ରାୟ 300ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଇଣ୍ଡିଆନ ରିଜର୍ଭ ବାଟାଲିୟନ (IRB) ହେଡ୍‌ କ୍ବାର୍ଟସରୁ ପ୍ରାୟ 19 ହଜାର ବୁଲେଟ୍‌ ଲୁଟ୍‌ ହୋଇଛି । ଏହି ଲୁଟ ପଛର ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସ୍ଥିତିକୁ ସ୍ବାଭାବିକ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ସେପଟେ ବିରୋଧୀ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗତ ମେ' ମାସ 3 ତାରିଖରେ ମଣିପୁରରେ ସୂତ୍ରପାତ ହୋଇଥିବା ହିଂସାକାଣ୍ଡ ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରାୟ 160ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.