ଜୋର ଧରିଲା ତୁର୍କେଲ୍ ବ୍ରିଜ ନିର୍ମାଣ ଦାବି, 35 କିମି ପଦଯାତ୍ରା କଲେ ଭବାନୀପାଟଣା ବିଧାୟକ
୧୦୦ ଦିନରେ ପହଞ୍ଚିଲା ତୁର୍କେଲ୍ ବ୍ରିଜ୍ ନିର୍ମାଣ ଦାବି ଆନ୍ଦୋଳନ । ୩୫ କି.ମି ପଦଯାତ୍ରା କଲେ ଭବାନୀପାଟଣା ବିଧାୟକ ।ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର । ରିପୋର୍ଟ: ଅଜିତ ସିଂ

Published : August 5, 2026 at 3:17 PM IST
କଳାହାଣ୍ଡି: ତୁର୍କେଲ ବ୍ରିଜ୍ ମରାମତି ଦାବିରେ ହେଉଥିବା ଆନ୍ଦୋଳନ ୧୦୦ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଡ଼ି ବସିଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ । ସମସ୍ୟାର ସମାଧାନ ପାଇଁ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ।
କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ୧୬ ନଂ ରାଜ୍ୟ ରାଜପଥ ତେଳନଦୀ ଉପରେ ଥିବା ତୁର୍କେଲ ବ୍ରିଜ୍ ଦୀର୍ଘ ଦିନ ହେବ କ୍ଷତିଗ୍ରସ୍ତ ହୋଇ ପଡ଼ିରହିଛି । ଏହି ସମସ୍ୟାର ସମାଧାନ ପାଇଁ ଏବଂ ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ଗତା ମଙ୍ଗଳବାର ଦିନ କଂଗ୍ରେସ ଏକ ପଦଯାତ୍ରାର ଆୟୋଜନ କରିଥିଲା । ଏପରିକି କଂଗ୍ରେସ ପକ୍ଷରୁ ଗତ ୧୦୦ ଦିନ ଧରି ଅହୋରାତ୍ର ଧାରଣା ଜାରି ରହିଛି । ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନଥିବାରୁ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି ଦଳ । ଏହି ପଦଯାତ୍ରାରେ ସଦର ବିଧାୟକ ସାଗର ଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ ।

ଏହି ପଦଯାତ୍ରା ଭବାନୀପାଟଣାରେ ପହଞ୍ଚିବା ପରେ କୃଷି ମହାବିଦ୍ୟାଳୟ ଠାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିବା ପରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି କରିଥିଲେ । ଏହି ରାସ୍ତା କେବଳ ଯେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ନୁହେଁ, ବରଂ ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନ, ବ୍ୟବସାୟ, ଚାଷବାସ, ଶିକ୍ଷା ଓ ଜରୁରୀ ସ୍ୱାସ୍ଥ୍ୟସେବା ଏହି ପୋଲ ଉପରେ ନିର୍ଭରଶୀଳ ।

୨୦୨୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ତୁର୍କେଲ ପୋଲ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ପୂର୍ତ୍ତ ବିଭାଗ ପୋଲ ଉପରେ ଯାତାୟାତକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା । ଏହା ପରଠାରୁ ସ୍ଥାନୀୟ ଲୋକମାନେ ବିକଳ୍ପ ରାସ୍ତା ବ୍ୟବହାର କରି ଦୀର୍ଘ ଦୂରତା ଅତିକ୍ରମ କରିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର ଆନ୍ଦୋଳନ, ବନ୍ଦ ଡାକରା ଓ ଜନପ୍ରତିନିଧିଙ୍କ ଦାବି ପରେ ରାଜ୍ୟ ସରକାର ଗତ ମେ’ ମାସରେ ପୋଲ ମରାମତି ପାଇଁ ପ୍ରାୟ ୧୬ କୋଟି ୭୫ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ । କିନ୍ତୁ ଟେଣ୍ଡର ପ୍ରକ୍ରିୟା ବାରମ୍ବାର ଘୁଞ୍ଚାଯାଉଥିବାରୁ କାମ ଆରମ୍ଭ ହୋଇପାରିନାହିଁ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଯାତାୟାତ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି । ପୋଲ ମରାମତି କାର୍ଯ୍ୟରେ ଆଉ ବିଳମ୍ବ ନ କରି ତୁରନ୍ତ କାମ ଆରମ୍ଭ କରିବାକୁ ପଦଯାତ୍ରାରେ ସାମିଲ ନେତା ଓ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଏନେଇ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ କହିଛନ୍ତି," ଅତି ଦୁଃଖର ସହିତ ମୋତେ କହିବାକୁ ପଡୁଛି ଯେ, ଆଜିକୁ ୧୧ ମାସ ହେଲାଣି ତୁର୍କେଲ ବ୍ରିଜ୍ ଭାଙ୍ଗିବାର । ଆଶ୍ଚର୍ଯ୍ୟ ଲାଗୁଛି ରାଜ୍ୟ ସରକାର ବ୍ରିଜର ମରାମତି କାର୍ଯ୍ୟ କରିବା ପାଇଁ ଏତେ ସମୟ କାହିଁକି ଲାଗୁଛି ? ଆମେ ବାରମ୍ୱାର ଆନ୍ଦୋଳନ କରିଥିଲୁ ପୋଲ ଉପରେ ମଧ୍ୟ ଧାରଣା ଦେଇଥିଲୁ । ବର୍ତ୍ତମାନ୍ ଆମର ଧାରଣା ୧୦୦ ଦିନ ଧରି ଚାଲିଲାଣି । ୧୦୦ ଦିନ ପୂର୍ତ୍ତି ଅବସରରେ ଆମେ ତୁର୍କେଲ ପୋଲରୁ ଭବାନୀପାଟଣା ପର୍ଯ୍ୟନ୍ତ ୩୫ କିମି ପଦଯାତ୍ରା କରିଥିଲୁ । ଏହି ଆନ୍ଦୋଳନକୁ ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ବିପୁଳ ଜନ ସମର୍ଥନ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି, ଯେଉଁ ସରକାର ସାମାନ୍ୟ ଏକ ବ୍ରିଜ୍ କାମ କରି ପାରୁନାହିଁ ତାହା ବିରୁଦ୍ଧରେ ଜନ ସାଧାରଣ ଆଗକୁ ଆସିଲେଣି । ଏହି ପଦଯାତ୍ରା ମାଧ୍ୟମରେ ଯଦି ରାଜ୍ୟ ସରକାର ନ ଶୁଣିବେ, ତେବେ ଆସନ୍ତା ଦିନରେ ଜିଲ୍ଲାବ୍ୟାପୀ ବନ୍ଦ୍ ଡାକରା ଦିଆଯିବ । "

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ କହିଛନ୍ତି,"ତୁର୍କେଲ ବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର୍ ଡକାଯାଇଥିଲା । ୧୭ କୋଟି ୬୦ ଲକ୍ଷରେ ଟେଣ୍ଡର ଡକାଯାଇଛି । ଏହି ପ୍ରକ୍ରିୟାରେ ଦୁଇଜଣ ଭାଗ ନେଇଛନ୍ତି । ଅତିଶୀଘ୍ର ଟେଣ୍ଡର୍ ପ୍ରକ୍ରିୟା ଶେଷ ହେବ । ଆଉ ତୁର୍କେଲ୍ ବ୍ରିଜ୍ ଯାତାୟାତ ଯୋଗ୍ୟ ହେଇପାରିବ । "
ଇଟିଭି ଭିରତ, କଳାହାଣ୍ଡି

