ETV Bharat / state

କାରାଗାର ବିକାଶ ବୋର୍ଡର ୪ର୍ଥ ବୈଠକ; ରାଜ୍ୟରେ ଆହୁରି ଖୋଲିବ ମୁକ୍ତାକାଶ ଜେଲ୍, ବଢ଼ିବ ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟା

ଲୋକସେବା ଭବନରେ ଆୟୋଜିତ କାରାଗାର ବିକାଶ ବୋର୍ଡର ୪ର୍ଥ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ରିପୋର୍ଟ- ସତ୍ୟଜିତ ରାଉତ

Meeting of Prison Development Board; More open jails to be opened in the state, number of security personnel to be increased
କାରାଗାର ବିକାଶ ବୋର୍ଡର ୪ର୍ଥ ବୈଠକ; ରାଜ୍ୟରେ ଆହୁରି ଖୋଲିବ ମୁକ୍ତାକାଶ ଜେଲ୍, ବଢ଼ିବ ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟା (ETV Bharat Odisha)
author img

By ETV Bharat Odisha Team

Published : July 21, 2026 at 7:18 PM IST

2 Min Read
Choose ETV Bharat

Prison Development Board Meeting, ଭୁବନେଶ୍ବର ‌: ରାଜ୍ୟର ଜେଲ୍ ଗୁଡ଼ିକର ସୁରକ୍ଷା ବଢ଼ାଯିବ । ଏଥିପାଇଁ ନୂଆ ପଦବୀ ମଧ୍ୟ ସୃଷ୍ଟି କରାଯିବ । ଏଥିସହ ରାଜ୍ୟରେ ଆହୁରି ମୁକ୍ତାକାଶ ଜେଲ୍ ମଧ୍ୟ ଖୋଲାଯିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ଆଜି (ମଙ୍ଗଳବାର) ଲୋକସେବା ଭବନରେ ଆୟୋଜିତ କାରାଗାର ବିକାଶ ବୋର୍ଡର ୪ର୍ଥ ବୈଠକରେ ଏଭଳି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଦସ୍ୟ ଭାବେ ବିଭିନ୍ନ ବିଭାଗର ୯ ଜଣ ସଚିବ ଏବଂ ଜେଲ୍ ଡିଜି ସୁଶାନ୍ତ ନାଥ ଉପସ୍ଥିତ ଥିଲେ ।

ଅନ୍ତେବାସୀଙ୍କ ଉନ୍ନତ ଜୀବନଧାରଣ ଉପରେ ଆଲୋଚନା

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକରେ ହେଉଥିବା ନୂତନ ମଡେଲ୍ କାରାଗାର ନିର୍ମାଣ ଉପରେ ଆଜିର ଏହି ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ତେବାସୀଙ୍କ ଉନ୍ନତ ଜୀବନଧାରଣ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଦିଗ ଉପରେ ମଧ୍ୟ ଵିଶେଷ ଭାବେ ଆଲୋଚନା କରାଯାଇଥିଲା । ଏପରିକି ଜେଲ୍ ରେ ସୁରକ୍ଷା କର୍ମଚାରୀଙ୍କ ପଦବୀ ବଢ଼ାଯିବ ବୋଲି ନିଷ୍ପତ୍ତି ହୋଇଛି ।

ବର୍ଷକ ମଧ୍ୟରେ ଜେଲରେ ସୁରକ୍ଷା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା
ବର୍ଷକ ମଧ୍ୟରେ ଜେଲରେ ସୁରକ୍ଷା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା (ETV Bharat Odisha)


ବର୍ଷକ ମଧ୍ୟରେ ଜେଲରେ ସୁରକ୍ଷା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା

ଗତ ଏକ ବର୍ଷ ମଧ୍ୟରେ କାରାଗାର ନିର୍ଦ୍ଦେଶାଳୟ ଦ୍ୱାରା ଜେଲ୍ ଗୁଡ଼ିକର ସୁରକ୍ଷା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ନୂଆ ପ୍ରୟାସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭିଡିଓ ଆନାଲିଟିକ୍ସ ସହିତ AI କ୍ୟାମେରା ଆଧାରିତ CCTV ବ୍ୟବସ୍ଥା ପୂର୍ବରୁ ୨୦ଟି ଜେଲ୍‌ରେ ସ୍ଥାପନ କରାଯାଇଛି ବୋଲି ସୂଚନା ଦିଆଯାଇଛି । ଜେଲ୍ ର ସୁରକ୍ଷା ପାଚେରୀର ଉଚ୍ଚତା ବୃଦ୍ଧି, ତାର ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ପ୍ରକଳ୍ପ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି ।

ଜେଲ୍ ମାନୁଆଲ୍ ଅନୁଯାୟୀ କଏଦୀମାନଙ୍କ ପାଇଁ ଟେଲିଫୋନ୍ କଲ୍ ସୁବିଧା କାର୍ଯ୍ୟକାରୀ କରିବା ସହ ସପ୍ତାହକୁ ୪ ମିନିଟ ଲେଖାଏ ଦୁଇଟି କଲ୍ ପାଇଁ ସୁବିଧା କରାଯାଇଛି । ବରିଷ୍ଠ ଜେଲ୍ ଅଧିକାରୀ, ଜିଲ୍ଲା ପୋଲିସ୍ ଟିମ୍, ଜିଲ୍ଲା ଆଇନ୍ ସହାୟତା ପ୍ରାଧିକରଣ, ଜିଲ୍ଲା ଜଜ୍ ଓ ଉଚ୍ଚନ୍ୟାୟାଳୟର ବିଚାରପତିଙ୍କ ନିୟମିତ ପରିଦର୍ଶନ ସହିତ ପୂର୍ବ ନିର୍ଦ୍ଧାରିତ ସୁରକ୍ଷା ଅଡିଟ୍ ଏବଂ ଚଢ଼ାଉ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଅନ୍ତେବାସୀଙ୍କ ଉନ୍ନତ ଜୀବନଧାରଣ ଉପରେ ଆଲୋଚନା
ଅନ୍ତେବାସୀଙ୍କ ଉନ୍ନତ ଜୀବନଧାରଣ ଉପରେ ଆଲୋଚନା (ETV Bharat Odisha)

କର୍ତ୍ତବ୍ୟରେ ଅବହେଳା ଏବଂ ଅନିୟମିତତା ପାଇଁ ହେବ କାର୍ଯ୍ୟାନୁଷ୍ଠାନ

କର୍ତ୍ତବ୍ୟରେ ଅବହେଳା ଏବଂ ଅନିୟମିତତା ପାଇଁ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଗତ ଏକ ବର୍ଷ ମଧ୍ୟରେ କଏଦୀମାନଙ୍କ ଉନ୍ନତ ଜୀବନଧାରଣ ଏବଂ ଖଲାସ ହେବାପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

୪ ବର୍ଷ ତଳେ ହୋଇଥିଲା ବୋର୍ଡ ଗଠନ

୨୦୨୨ ଜାନୁଆରୀ ୨୭ରେ ରାଜ୍ୟ ସରକାର କାରାଗାର ବିକାଶ ବୋର୍ଡ ଗଠନ କରିଥିଲେ । ରାଜ୍ୟରେ ଥିବା କାରାଗାରଗୁଡ଼ିକର ଭିତ୍ତିଭୂମି ବିକାଶ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ତ୍ବରିତ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାର ଓଡ଼ିଶା କାରାଗାର ବିକାଶ ବୋର୍ଡ ଗଠନ କରିଥିଲେ । ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ଗୃହ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ବୈଷୟିକ ବିଭାଗ ସଚିବ ସଦସ୍ୟ ରହିଛନ୍ତି । ଜେଲ୍ ଡିଜି ମଧ୍ୟ ସଦସ୍ୟ ରହିଛନ୍ତି । ଏହି ବୋର୍ଡ କାରାଗାରଗୁଡ଼ିକର ବିକାଶ ପାଇଁ ୫ ବର୍ଷିଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ । ଆବଶ୍ୟକ ସ୍ଥଳେ ବୋର୍ଡ ତୃତୀୟ ପକ୍ଷର ସହାୟତା ନେଇପାରିବ । ଆକ୍ସନ ପ୍ଲାନ ଜରିଆରେ ବାର୍ଷିକ ଲକ୍ଷ୍ୟ ଓ ବିକାଶକୁ ନିର୍ଦ୍ଧାରିତ ସମୟରେ ତ୍ବରାନ୍ଵିତ କରାଯିବ । କାରାଗାରଗୁଡ଼ିକରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଏବଂ ନୂତନ କାରାଗାର ନିର୍ମାଣ ଆଦି କ୍ଷେତ୍ରରେ ବୋର୍ଡ ପରାମର୍ଶ ଦେବ । ଜେଲ୍ ଗୁଡ଼ିକରେ ଥିବା ଅନ୍ତେବାସୀ ମାନଙ୍କର ଆବାସ ସ୍ଥଳକୁ ବୋର୍ଡ ନିୟମିତ ଯାଞ୍ଚ କରିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ବୋର୍ଡ ଗଠନ ବେଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଲୋକସେବା ଭବନରେ ଆୟୋଜିତ କାରାଗାର ବିକାଶ ବୋର୍ଡର ୪ର୍ଥ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି ।
ଲୋକସେବା ଭବନରେ ଆୟୋଜିତ କାରାଗାର ବିକାଶ ବୋର୍ଡର ୪ର୍ଥ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ- ଝାରପଡ଼ା ଜେଲ୍‌ରେ AIDS ଚିନ୍ତା, ୮ ଜଣ ଅନ୍ତେବାସୀ HIV ପଜିଟିଭ୍ ଚିହ୍ନଟ

ଏହା ମଧ୍ୟ ପଢ଼ନ୍ତୁ- ଝାରପଡା ଜେଲରେ ୫ କଏଦୀ ଅସୁସ୍ଥ; କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଇଟିଭି ଭାରତ, ଭୁବନେଶ୍ବର