୩୦ ବର୍ଷ ଦୀର୍ଘ ଯନ୍ତ୍ରଣାର ଅନ୍ତ: ମହିଳାଙ୍କ ହାତରୁ ବାହାରିଲା ୭ କିଲୋ ଓଜନର ବିଶାଳ ଟ୍ୟୁମର
ଉନ୍ନତ ଶଲ୍ୟ ଚିକିତ୍ସା କୌଶଳ ବ୍ୟବହାର କରି ବିରଳ ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମାର ସଫଳ ଚିକିତ୍ସା କରିଛି, ଏମ୍ସ ଭୁବନେଶ୍ୱର । ରିପୋର୍ଟ- ବିକାଶ ଦାସ

Published : June 6, 2026 at 8:58 PM IST
TUMOR OPERATION IN AIIMS, ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ଯନ୍ତ୍ରଣାର ଅନ୍ତ । ଅକ୍ଷମତା ଓ ମାନସିକ କଷ୍ଟରେ ଜୀବନ କାଟୁଥିବା ଜଣେ ଆଦିବାସୀ ମହିଳାଙ୍କ ପାଇଁ ଆସିଛି ନୂଆ ଆଶାର ଆଲୋକ । ଉନ୍ନତ ଶଲ୍ୟ ଚିକିତ୍ସା କୌଶଳ ବ୍ୟବହାର କରି ବିରଳ ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମାର ସଫଳ ଚିକିତ୍ସା କରିଛି ଏମ୍ସ ଭୁବନେଶ୍ୱର ।
ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତରମାନେ ଜଣେ ୪୭ ବର୍ଷୀୟା ମହିଳାଙ୍କର ବାମ ହାତରେ ଥିବା ଏକ ବିଶାଳ ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିଛନ୍ତି । ପ୍ରାୟ ତିନି ଦଶନ୍ଧି ଧରି ପୀଡ଼ିତାଙ୍କ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଥିବା ୭ କିଲୋଗ୍ରାମର ଏହି ବିଶାଳ ଟ୍ୟୁମରକୁ ଦୁଇଟି ପର୍ଯ୍ୟାୟରେ କଢ଼ାଯାଇଛି । ଏଥିସହିତ ଉଭୟ ଶାରିରୀକ ଏବଂ ମାନସିକ ଯନ୍ତ୍ରଣା ଭୋଗୁଥିବା ଜଣେ ଆଦିବାସୀ ମହିଳାଙ୍କ ଜୀବନରେ ଜୀବନ ବଞ୍ଚିବାର ନୂତନ ସୁଯୋଗ ଆସିଛି ।
ମୟୂରଭଞ୍ଜ ଜିଲ୍ଲା ବାରିପଦାର ଜଣେ ଦିନମଜୁରିଆ ଶ୍ରମିକ ପ୍ରାୟ ୩୦ ବର୍ଷ ଧରି ତାଙ୍କ ବାମ ହାତର ମଧ୍ୟଭାଗରୁ ହାତର ପଛ ପାର୍ଶ୍ୱ ପର୍ଯ୍ୟନ୍ତ ଏକ ବିରାଟ ଟ୍ୟୁମର ସହ ବଞ୍ଚି ଆସୁଥିଲେ । ସମୟ ବଢିବା ସହିତ, ଟ୍ୟୁମରଟି କ୍ରମଶଃ ବୃଦ୍ଧି ପାଉଥିଲା । ତାହା ଅତ୍ୟନ୍ତ ଭାରୀ ହୋଇଗଲା ଏବଂ ଗୁରୁତ୍ୱପୂର୍ଣ୍ଣ ଅକ୍ଷମତା ସୃଷ୍ଟି ହୋଇଥିଲା । ଏହା ମହିଳାଙ୍କ କାନ୍ଧର ଚଳପ୍ରଚଳକୁ ଗୁରୁତର ଭାବେ ପ୍ରଭାବିତ କରିବା ସହିତ ହାତର କାର୍ଯ୍ୟକ୍ଷମତା ନଷ୍ଟ କରିଥିଲା । ଦୈନନ୍ଦିନ କାର୍ଯ୍ୟକଳାପକୁ କ୍ରମଶଃ କଷ୍ଟକର କରିଦେଇଥିଲା । ଦୀର୍ଘ ସମୟ ଧରି ଚାପ ଯୋଗୁଁ ଉପର ଚର୍ମ ମଧ୍ୟ କଳା ଏବଂ ଘାଆ ହୋଇଯାଇଥିଲା ।
ଅସ୍ତ୍ରୋପଚାର ପୂର୍ବ ପରୀକ୍ଷାରୁ ପ୍ରାୟ ୪୫ ସେମି ଲମ୍ବ ଏକ ରକ୍ତବାହୀ କ୍ଷତ ଥିବା ଜଣାପଡ଼ିଥିଲା । ଏହି କାରଣରୁ ରକ୍ତସ୍ରାବର ଯଥେଷ୍ଟ ବିପଦ ହେତୁ ଅସ୍ତ୍ରୋପଚାର ବିଶେଷ ଭାବେ ଆହ୍ୱାନପୂର୍ଣ୍ଣ ଥିଲା ।

ଏହି ସଫଳତାରେ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଜଟିଳ ଅସ୍ତ୍ରୋପଚାରର ସଫଳ ସମ୍ପାଦନକୁ ପ୍ରଶଂସା କରିଛନ୍ତି । ଏହି ପ୍ରକ୍ରିୟା ଦ୍ଵାରା ଉକ୍ତ ମହିଳାଙ୍କୁ ଏକ ନୂତନ ଜୀବନ ପ୍ରଦାନ କରିଥିବା କହିଛନ୍ତି ଡ. ବିଶ୍ୱାସ ।
ଅସ୍ତ୍ରୋପ୍ରଚାରରେ ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଶଲ୍ୟଚିକିତ୍ସା ଦଳରେ ଡ. ସଞ୍ଜୟ କୁମାର ଗିରି, ଡ. ଶ୍ୟାମ ସୁନ୍ଦର ବେହେରା, ଡ. ଆହାନା ବନ୍ଦୋପାଧ୍ୟାୟ, ଡ. ସୂର୍ଯ୍ୟ ଯଶସ୍ୱୀ ପିଭିଏସ, ଡ. କୀର୍ତ୍ତି ଜି, ଡ. ନିଖିଲ କୁମାର ଶର୍ମା ଏବଂ ଡ. ଆଶୁତୋଷ ଅଧିକାରୀ ରହିବା ସହିତ ଡ. ଦେବୀଶ୍ରୀ ଦାସ ଏବଂ ଡ. ପୂଜା, ଆନାସ୍ଥେସିଆ ସହାୟତା ପ୍ରଦାନ କରିଥଲେ ।

ଅସ୍ତ୍ରୋପଚାରକୁ ପ୍ରଭାବଶାଳୀ ଏବଂ ସଫଳ କରିବା ପାଇଁ ଉନ୍ନତ ବାହ୍ୟ ସିଲିଂ ପ୍ରଯୁକ୍ତିବିଦ୍ୟା, ଲିଗାସିୟୋର ବ୍ୟବହାର କରାଯାଇଥିଲା । ଟ୍ୟୁମର ଅପସାରଣ ପରେ କଟାଯାଇଥିବା ଟିସୁରେ ଉପଲବ୍ଧ ବ୍ୟବହାରଯୋଗ୍ୟ ଚର୍ମରୁ ସଂଗୃହିତ ଚର୍ମ ଗ୍ରାଫ୍ଟ ବ୍ୟବହାର କରି, କଞ୍ଚା ଅଂଶଗୁଡ଼ିକୁ ପୁନଃନିର୍ମାଣ କରାଯାଇଥିଲା । ଏହି ଅଭିନବ ପଦ୍ଧତି ରୋଗୀଙ୍କ ଶରୀରର ଅନ୍ୟତ୍ର ସ୍ଥାନରେ ଅତିରିକ୍ତ କ୍ଷତ ସୃଷ୍ଟି ନକରିବାରେ ସାହାଯ୍ୟ କରିଥିଲା । ଗ୍ରାଫ୍ଟଗୁଡ଼ିକ ଉନ୍ନତ ଫଳାଫଳ ଦେଖାଇଛି ଏବଂ ନିୟମିତ ଡ୍ରେସିଂ କାରଣରୁ ରୋଗୀ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ଇବୋଲା ସତର୍କତା, AIIMSରେ ୧୦ ବେଡ୍ ପ୍ରସ୍ତୁତ, ବିମାନବନ୍ଦରରେ କଡ଼ା ସ୍କ୍ରିନିଂ
ଏହା ମଧ୍ୟ ପଢନ୍ତୁ: ମୃତ୍ଯୁ ପରେ ବି ଅମର ! ଯକୃତ ଦାନ କରି ଜୀବନ ବଞ୍ଚାଇଲେ ହୋମିଓ ପାଥିକ୍ ଚିକିତ୍ସକ ଡାକ୍ତର ରାଧା
ଇଟିଭି ଭାରତ, ଭୁବନେଶ୍ବର

