ମୃତ୍ଯୁ ପରେ ବି ଅମର ! ଯକୃତ ଦାନ କରି ଜୀବନ ବଞ୍ଚାଇଲେ ହୋମିଓ ପାଥିକ୍ ଚିକିତ୍ସକ ଡାକ୍ତର ରାଧା
ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି । ଭୁବନେଶ୍ବର ଏମ୍ସରେ ସଫଳ ପ୍ରତିରୋପଣ । ବଞ୍ଚିଥିବା ବେଳେ ସେବା କରୁଥିଲେ ଡାକ୍ତର ରାଧା । ରିପୋର୍ଟ: ବିକାଶ ଦାସ

Published : April 21, 2026 at 9:31 AM IST
ଭୁବନେଶ୍ବର: ବଞ୍ଚିଥିବା ବେଳେ ରୋଗୀ ସେବା କରି ଜୀବନ ବଞ୍ଚାଉଥିଲେ । ମୃତ୍ୟୁ ପରେ ବି ଜୀବନ ବଞ୍ଚାଇ ଅମର ହୋଇଯାଇଛନ୍ତି ହୋମିଓ ପାଥିକ୍ ଚିକିତ୍ସିକ ଡ. ରାଧା ପାଢୀ । ଗତ ଏପ୍ରିଲ 2ରେ ରାଧାଙ୍କୁ ଭୁବନେଶ୍ବର ଏମ୍ସରେ ବ୍ରେନ୍ ଷ୍ଟେମରେ ମୃତ ଘୋଷଣା କରିଥିଲେ ଡାକ୍ତର । ପରିବାର ଲୋକେ ତାଙ୍କ ଯକୃତ ଦାନ କରି ଜଣେ 46 ବର୍ଷୀୟ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି । ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ଡାକ୍ତର ରାଧା ପାଢୀ । ହସ୍ପିଟାଲରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି ।
ମୃତ୍ୟୁ ପରେ ବି ଅମର !
ଭଦ୍ରକ ଜିଲ୍ଲାର ଜଣେ ଉତ୍ସର୍ଗୀକୃତ ହୋମିଓ ପାଥିକ୍ ଚିକିତ୍ସା ଅଧିକାରୀ ଡ.ରାଧା ପାଢ଼ୀ । ଦୀର୍ଘ ବର୍ଷ ଧରି ପ୍ଲେଟଲେଟ୍ ରୋଗ ସହିତ ଲଢ଼ୁଥିବା ସତ୍ତ୍ୱେ, ସେ ଉଲ୍ଲେଖନୀୟ ସାହସ ଏବଂ ନିଷ୍ଠା ପ୍ରଦର୍ଶନ କରି ତାଙ୍କ ଅଙ୍ଗ ଗୁଡ଼ିକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ । ନିଜର ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସାଧୀନ ଥିଲେ ଡ. ରାଧା ପାଢ଼ୀ । ଚଳିତ ମାସ ୨ ତାରିଖରେ ରାଧାଙ୍କୁ ବ୍ରେନଷ୍ଟେମ୍ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ପରିବାର ସଦସ୍ୟ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଅଙ୍ଗଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ ।

ଆଜି ଡିସଚାର୍ଜ ହେବେ...
ଗତ 3 ଏପ୍ରିଲରେ ଏମ୍ସ ଭୁବନେଶ୍ୱରର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଏକ ଟିମଙ୍କ ଦ୍ୱାରା ତାଙ୍କର ଯକୃତକୁ ୪୬ ବର୍ଷୀୟ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା । ଯକୃତ ପ୍ରତିରୋପିତ ହୋଇଥିବା ବ୍ୟକ୍ତିଜଣଙ୍କ ସୁସ୍ଥ ଅଛନ୍ତି । ଆଜି(ମଙ୍ଗଳବାର) ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ।
ଡାକ୍ତର ରାଧାଙ୍କୁ ଗାର୍ଡ ଅଫ୍ ଅନର:
ଏନେଇ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ, ଡାକ୍ତର ରାଧାଙ୍କ ନିଃସ୍ୱାର୍ଥପର ଅବଦାନକୁ ସ୍ୱୀକୃତି ଦେଇ, ତାଙ୍କୁ ମେଡିକାଲ୍ ଅଧୀକ୍ଷକ ଡ.ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏମ୍ସ ଭୁବନେଶ୍ୱରରେ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଏସିଆ ମହାଦେଶରେ ପ୍ରଥମ, ଅଙ୍ଗଦାନ ପାଇଁ ମୃତ ଶରୀରରେ ରକ୍ତ ସଞ୍ଚାଳନ ମ଼ୃତ୍ୟୁର କୋଳରେ ହସୁଥିଲେ କୁନ୍ତଳା; ତିନି ଜଣଙ୍କୁ ଜୀବନ ଦେଇ ଚାଲିଗଲେ, ମିଳିଲା ଗାର୍ଡ ଅଫ ଅନର |
ତେବେ ଦାତାଙ୍କ ଅଙ୍ଗକୁ ଏମ୍ସ ଭୁବନେଶ୍ବରରେ ହିଁ ପ୍ରତିରୋପଣ କରାଯାଇଥିଲା । ଯାହାକି ଏହି ଜାତୀୟ ପ୍ରତିଷ୍ଠାନ ପାଇଁ ପ୍ରଥମ । ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ.ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିରୋପଣ କରାଯାଇଥିଲା । ଏହି ପ୍ରକ୍ରିୟାକୁ ଆନାସ୍ଥେସିଆ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଟିମ ସମେତ ଅନେକ ଦଳ ସହଯୋଗ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର

