ETV Bharat / state

୩୬ ଦିନ ଏକମୋରେ ଜୀବନ ମୃତ୍ୟୁର ଲଢ଼େଇ, ଏମ୍ସ ଭୁବନେଶ୍ୱରରେ ନୂଆ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

ଝାରସୁଗୁଡ଼ାର ଜଣେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀଙ୍କୁ ୩୬ ଦିନ ଧରି ଭିଭି-ଏକମୋ ସହାୟତା ପ୍ରଦାନ କରି ସଫଳତାର ସହ ସୁସ୍ଥ କରିଛି ଏମ୍ସ ଭୁବନେଶ୍ୱର ।

AIIMS Bhubaneswar successful surgery
ଏମ୍ସ ଭୁବନେଶ୍ୱରରେ ନୂଆ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ (ETV Bharat Odisha)
author img

By ETV Bharat Odisha Team

Published : July 30, 2026 at 9:25 AM IST

2 Min Read
Choose ETV Bharat

ଭୁବନେଶ୍ବର: ଗୁରୁତର ଶ୍ୱାସକ୍ରିୟା ବିଫଳତା କାରଣରୁ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ମହିଳା । ୩୬ ଦିନର ଏକମୋ ସହାୟତା ପରେ ରୋଗୀଙ୍କ ଜୀବନ ବଞ୍ଚାଇଲା ଏମ୍ସ ଭୁବନେଶ୍ୱର । ନୂତନ ଜୀବନ ପାଇଲେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀ । ଏମ୍ସ ଭୁବନେଶ୍ଵର ଡାକ୍ତରୀ ଦଳଙ୍କ ପ୍ରତିବଦ୍ଧତା, ନିଷ୍ଠାପର ଉଦ୍ୟମ, ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଏକପ୍ରକାର ଅସମ୍ଭବ ଲାଗୁଥିବା ଘଟଣାକୁ ସମ୍ଭବରେ ପରିଣତ କରିଛି । ଗୁରୁତର ନିମୋନିଆ ଯୋଗୁଁ ଶ୍ୱାସକ୍ରିୟା ବିଫଳତାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଝାରସୁଗୁଡ଼ାର ଜଣେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀଙ୍କୁ ୩୬ ଦିନ ଧରି ଭିଭି-ଏକମୋ (VV-ECMO) ସହାୟତା ପ୍ରଦାନ କରି ସଫଳତାର ସହ ସୁସ୍ଥ କରିଛି ଏମ୍ସ ଭୁବନେଶ୍ୱର ।

AIIMS Bhubaneswar successful surgery
ଏମ୍ସ ଭୁବନେଶ୍ୱରରେ ନୂଆ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ (ETV Bharat Odisha)

ନିମୋନିଆରେ ପିଡିତ ଥିଲେ ମହିଳା ପୁଲିସ ଅଧିକାରୀ

ଏହାକୁ ଉନ୍ନତ ସଘନ ଚିକିତ୍ସା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରର ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଗତ ଏପ୍ରିଲ ୧୮ରେ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ କର୍ପୋରେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଇସିୟୁ ଚିକିତ୍ସା ଓ ଭେଣ୍ଟିଲେସନ ସତ୍ତ୍ୱେ ଅମ୍ଳଜାନ ସ୍ତର ଲଗାତାର ଖରାପ ହେବାରୁ ମେ ୭ ରେ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପହଞ୍ଚିବା ପରେ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ତୁରନ୍ତ ଜୀବନରକ୍ଷାକାରୀ ଭିଭି-ଏକମୋ ଥେରାପି ଆରମ୍ଭ କରିଥିଲେ । ମେ ୭ରୁ ଜୁନ ୧୨ ପର୍ଯ୍ୟନ୍ତ ଲଗାତାର ୩୬ ଦିନ ଏକମୋ ସହାୟତା ସହ ବ୍ୟାପକ ଇଣ୍ଟେନ୍ସିଭ୍ କେୟାର ଦିଆଯାଇଥିଲା । ଫୁସଫୁସ ଧୀରେ ଧୀରେ ସୁସ୍ଥ ହେବା ପରେ ତାଙ୍କୁ ଜୁନ ୧୨ରେ ଏକମୋରୁ ଏବଂ ଜୁନ ୨୭ରେ ଭେଣ୍ଟିଲେସନରୁ ବାହାର କରାଯାଇଥିଲା । ଏହା ପରେ ଜୁଲାଇ ୬ରେ ସାଧାରଣ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଲାଇ ୧୮ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସହାୟତାରୁ ସେ ମୁକ୍ତ ହୋଇଥିଲେ ।

ଶେଷରେ ଜୁଲାଇ ୨୪ରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ଏହି ସଫଳତା ପାଇଁ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ, ପୂର୍ବ ଭାରତରେ ଉନ୍ନତ ଇଣ୍ଟେନ୍ସିଭ୍ କେୟାର ଓ ଏକ୍ସଟ୍ରାକର୍ପୋରିଆଲ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଏକ ଅଗ୍ରଣୀ କେନ୍ଦ୍ର ଭାବେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ସଫଳ ଚିକିତ୍ସା ଆଗାମୀ ଦିନରେ ଏଭଳି ଜାରି ରହୁ ବୋଲି ଡାକ୍ତରୀ ଟିମଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ECMO କଣ ?

ECMO (ଏକ୍ସଟ୍ରାକୋର୍ପୋରିଆଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍) ହେଉଛି ଏକ ଉନ୍ନତ ଜୀବନ ରକ୍ଷାକାରୀ ବ୍ୟବସ୍ଥା । ଯେଉଁଥିରେ ହୃତପିଣ୍ଡ ଏବଂ ଫୁସଫୁସର କାର୍ଯ୍ୟକୁ ଅସ୍ଥାୟୀ ଭାବରେ ଚଳାଇବା ପାଇଁ ଏକ ପମ୍ପ ଏବଂ କୃତ୍ରିମ ଫୁସଫୁସର ବ୍ୟବହାର କରାଯାଏ । ଏହା ରକ୍ତରୁ ଅଙ୍ଗାରକାମ୍ଳ ବାହାର କରି ସେଥିରେ ଅମ୍ଳଜାନ ମିଶାଇଥାଏ ଏବଂ ରକ୍ତକୁ ପୁଣି ଶରୀର ଭିତରକୁ ପମ୍ପ କରିଥାଏ । ଯାହା ଦ୍ୱାରା ଶରୀରର ଅଙ୍ଗ ଗୁଡ଼ିକ ବିଶ୍ରାମ ପାଇବା ସହ ସୁସ୍ଥ ହେବାର ସୁଯୋଗ ପାଆନ୍ତି ।

ECMO କିପରି କାମ କରେ ?

  • ରକ୍ତ ବାହାର କରିବା: ଏକ ନଳୀ (କାନୁଲା) ସାହାଯ୍ୟରେ ଶରୀରର ଏକ ବଡ଼ ଶିରାରୁ ଅମ୍ଳଜାନ-ହୀନ ଗାଢ଼ ରକ୍ତ ବାହାର କରାଯାଏ ।
  • ଅମ୍ଳଜାନ ଆଦାନ-ପ୍ରଦାନ (ଗ୍ୟାସ୍ ଏକ୍ସଚେଞ୍ଜ୍): ଏକ ମେସିନ୍ ଅକ୍ସିଜେନେଟର ଶରୀର ବାହାରେ ରକ୍ତରେ ଅମ୍ଳଜାନ ମିଶାଇଥାଏ ଏବଂ ଅଙ୍ଗାରକାମ୍ଳ ବାହାର କରିଦିଏ ।
  • ରକ୍ତ ଫେରସ୍ତ: ଏକ ମେକାନିକାଲ୍ ପମ୍ପ ସେହି ସଫା ଓ ନାଲି ରକ୍ତକୁ ଉଷୁମ କରି ପୁଣି ରୋଗୀର ଶରୀର ଭିତରକୁ ପଠାଇଥାଏ ।

ଏହା କେତେବେଳେ ବ୍ୟବହାର କରାଯାଏ?

ଗୁରୁତର ଫୁସଫୁସ ଜନିତ ସମସ୍ୟା: ଯେପରିକି ଗୁରୁତର ଆକ୍ୟୁଟ୍ ରେସପିରେଟୋରୀ ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍, ଭୟଙ୍କର ନିମୋନିଆ କିମ୍ବା ମାରାତ୍ମକ କୋଭିଡ-୧୯ ସଂକ୍ରମଣ, ବଡ଼ ଧରଣର ହୃଦଘାତ, ହୃଦୟର ମାଂସପେଶୀ ନଷ୍ଟ ହେବା କିମ୍ବା ଅତ୍ୟଧିକ ଶକ୍ ଲାଗିବା ଓ ଫୁସଫୁସ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିବା ସମୟରେ ଏହି ସପୋର୍ଟ ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ ଭୁବନେଶ୍ୱର AIIMS ଐତିହାସିକ ସଫଳତା, ୧୦୦ ରୋବୋଟିକ୍ ଅସ୍ତ୍ରୋପଚାର ସଫଳ

ଏହା ମଧ୍ୟ ପଢନ୍ତୁ ଭୁବନେଶ୍ୱର ଏମ୍ସର ବଡ଼ ସଫଳତା; ଦେଶର ଶ୍ରେଷ୍ଠ ୧୦ ମେଡିକାଲ କଲେଜ ତାଲିକାରେ ସ୍ଥାନ, ଉନ୍ନତ ମେଡିକାଲ କଲେଜ ବର୍ଗରେ ଦ୍ୱିତୀୟ

ଇଟିଭି ଭାରତ, ଭୁବନେଶ୍ବର