ରଥଯାତ୍ରା ସଂପର୍କିତ ସିଏସଙ୍କ ୩ୟ ବୈଠକ; ମାର୍ଚ୍ଚ ୨୭ରେ ରଥକାଠ ଚିରଟ ପ୍ରକ୍ରିୟା
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ପ୍ରତୀକ ସିଂ ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଅଗ୍ରଗତି ସଂପର୍କରେ ସୂଚନା ଉପସ୍ଥାପନ କରିଛନ୍ତି ।


Published : March 17, 2026 at 7:15 AM IST
ରିପୋର୍ଟ-ଭବାନୀ ଶଙ୍କର ଦାସ
ଭୁବନେଶ୍ୱର: ଆସନ୍ତା ଜୁନ ମାସରେ ଅନୁଷ୍ଠିତନ ହେବ ବିଶ୍ବପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି ୩ୟ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ସଂପର୍କରେ ସମୀକ୍ଷା ହୋଇଛି । ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ମାର୍ଚ୍ଚ ୨୭ରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ପ୍ରତୀକ ସିଂ ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଅଗ୍ରଗତି ସଂପର୍କରେ ସୂଚନା ଉପସ୍ଥାପନ କରିଛନ୍ତି ।
ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଓ ଜରୁରୀକାଳୀନ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଇଛି । ପୁରୀ ବଡ଼ଦାଣ୍ଡର ଉଭୟ ପଟରେ ପ୍ରମୁଖ ୮ ଟି ସ୍ଥାନରେ ଅସ୍ଥାୟୀ ଡ଼ାକ୍ତରୀ ଚିକିତ୍ସା ସୁବିଧା ସେବା କେନ୍ଦ୍ର ପ୍ରସ୍ତୁତ ରହିବ । ଜରୁରୀ ଆବଶ୍ୟକତା ସେବା ପାଇଁ ସେଠାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ । ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ କେବଳ ଗୋଟିଏ ପଟକୁ ଆମ୍ବୁଲାନ୍ସ ନିର୍ଦ୍ଦିଷ୍ଟ ପଟରେ ଥିବା ଚିକିତ୍ସା କେନ୍ଦ୍ରକୁ ଯାଇପାରିବ । ଏପଟ ସେପଟ ହେବା ଭଳି ଅନ୍ୟ ଦିଗକୁ ଗତି କରିବାକୁ ପଡିବ ନାହିଁ । ଫଳରେ ଜନଗହଳିରେ ଅସୁବିଧା କମାଇବ । ଆମ୍ବୁଲାନ୍ସ ସେବା ମଧ୍ୟ ପୃଥକ ଭାବେ ଜିଲ୍ଲା ମୁଖ୍ୟାଳୟ ଏବଂ ଆଇଡିଏଚ, ପୁରୀକୁ ବିଭିନ୍ନ ଦିଗରେ ହସ୍ପିଟାଲ ସୁବିଧା ପାଇଁ ଗତି କରିପାରିବେ ।

ବୈଠକରେ ସହର ପରିମଳ ଓ ଶୌଚାଳୟ ବ୍ୟବସ୍ଥା ପ୍ରସ୍ତୁତି ଅଗ୍ରଗତି ସମୀକ୍ଷା ହୋଇଛି । ଅତ୍ୟଧିକ ବର୍ଷା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ପୁରୀ ସହର ଓ ସଂଲଗ୍ନ ରାସ୍ତାର ଉନ୍ନତିକରଣ, ଆବଶ୍ୟକ ବିଦ୍ୟୁତିକରଣ କାର୍ଯ୍ୟ, ରେଳବାଇ ତରଫରୁ ଯାତ୍ରୀ ପରିବହନ ସୁବିଧା ନେଇ ସ୍ୱତନ୍ତ୍ର ପଦକ୍ଷେପ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ରଥକାଠ ସୁବିଧା, ପାର୍କିଂ ଓ ଅତିରିକ୍ତ ପାର୍କିଂ ବ୍ୟବସ୍ଥା, ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ପରିଚାଳନା, ସିସିଟିଭି ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।

ଶ୍ରୀଜିଉଙ୍କ ନୀତିକାନ୍ତି, ଭିଡ ନିୟନ୍ତ୍ରଣ, ରଥଯାତ୍ରା ସଂପର୍କିତ ସୂଚନା ପାର୍ଇ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ୭୦ଟି ପ୍ରମୁଖ ସ୍ଥାନରେ ଏଲଇଡି ଟିଭି ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ପୂର୍ବରୁ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣଧିନ ରାସ୍ତା କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସାରିବା ପାଇଁ କାର୍ଯ୍ୟ ଅଗ୍ରଗତି ଚାଲିଛି । ପୁରୀରେ ମୋବାଇଲ ନେଟଓ୍ୱାର୍କ ଉନ୍ନତିକରଣ, ଅଗ୍ନିଶମ ସେବା ଓ ଜରୁରୀକାଳୀନ ସୁବିଧା, ଜରୁରୀ ଆବଶ୍ୟକ ସ୍ଥଳେ ସ୍ୱେଚ୍ଛାସେବୀ ମୁତୟନ ଓ ସେମାନଙ୍କୁ ପ୍ରଶିକ୍ଷଣ, ପୁଲିସ କର୍ମଚାରୀଙ୍କ ପାଇଁ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତି, ସିସିଟିଭି ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ରଥ ନିର୍ମାଣ ପାଇଁ ରଥକାଠ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରଥଯାତ୍ରା ପାଇଁ ଆଗାମୀ ମାର୍ଚ୍ଚ ୨୭ ରେ ଶ୍ରୀରାମ ନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ଆଗୁଆ ପଦକ୍ଷେପ ନେବାକୁ ଗତ ଜାନୁଆରୀ ମାସ ୧୩ ତାରିଖରେ ପ୍ରଥମ ବୈଠକ ଓ ଫେବୃଆରୀ ୧୭ ତାରିଖରେ ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢ଼ୀ, ପୁଲିସ ଡିଜି ଓ୍ୱାଇବି ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜି ଡଃ. ସୁଧାଂଶୁ ଷଡଙ୍ଗୀ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢ଼ୀଙ୍କ ସମେତ ପୂର୍ତ୍ତ, ଇଲୋକଟ୍ରୋନିକ୍ସ ଓ ଆଇଟି, ଆଇନ, ବାଣିଜ୍ୟ ଓ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରେଲଓ୍ୱେ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ- ଆଉ ହେବନାହିଁ ବିଶୃଙ୍ଖଳା; ତ୍ରୁଟି ଶୂନ୍ୟ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି, ପ୍ରତି ମାସ ସମୀକ୍ଷା କରିବେ ସିଏସ୍
ଏହା ମଧ୍ୟ ପଢ଼ନ୍ତୁ- ରଥଯାତ୍ରା ୨୦୨୬: ଶ୍ରୀକ୍ଷେତ୍ରରେ ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ
ଇଟିଭି ଭାରତ, ଭୁବନେଶ୍ୱର

