ETV Bharat / politics

Assembly Session: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ, MMDR-ପାଠ୍ୟପୁସ୍ତକ ତ୍ରୁଟି-ଓରାଙ୍ଗଉଟାନ୍ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଶାସକ ବିଜେପି କହିଛି ଯେ, ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ଅଧିବେଶନରେ 6ଟି ବିଲ୍ ଆସିବାର ସମ୍ଭାବନା ରହିଛି ।

Odisha Assembly
ଓଡ଼ିଶା ବିଧାନସଭା (ETV Bharat)
author img

By ETV Bharat Odisha Team

Published : September 22, 2026 at 7:26 AM IST

3 Min Read
Choose ETV Bharat

ଭୁବନେଶ୍ବର: 17ତମ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ (ମୌସୁମୀ ଅଧିବେଶନ) ଆଜିଠାରୁ ଆରମ୍ଭ ହେଉଛି । ବିରୋଧୀ ଦଳଗୁଡ଼ିକ MMDR ସଂଶୋଧନ ଆଇନ, ବନ୍ୟା ପରିଚାଳନା, ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି, ଆଇନ ଶୃଙ୍ଖଳା, କୃଷି ସମସ୍ୟା ଏବଂ ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ପାଞ୍ଚଟି ଓରାଙ୍ଗଉଟାନ୍ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପକ୍ଷରେ ଶାସକ ବିଜେପି କହିଛି ଯେ, ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ଅଧିବେଶନରେ 6ଟି ବିଲ୍ ଆସିବାର ସମ୍ଭାବନା ରହିଛି ।

9ଟି କାର୍ଯ୍ୟଦିବସ:

ବିଧାନସଭା ସେକ୍ରେଟେରିଏଟ୍‌ ଦ୍ୱାରା ଜାରି କରାଯାଇଥିବା ଅଧିବେଶନର ପ୍ରୋଭିଜନାଲ କ୍ୟାଲେଣ୍ଡର ଅନୁଯାୟୀ, ଗୃହ ସେପ୍ଟେମ୍ବର 22ରୁ ଅକ୍ଟୋବର 3 ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ୍ 9ଟି କାର୍ଯ୍ୟଦିବସ ରହିଛି । ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ରଖାଯାଇଛି । ଶୁକ୍ରବାର (ସେପ୍ଟେମ୍ବର 25 ତାରିଖ)କୁ ବିଲ୍ ଏବଂ ସଂକଳ୍ପ ସମେତ ବ୍ୟକ୍ତିଗତ ସଦସ୍ୟଙ୍କ କାର୍ଯ୍ୟ ପାଇଁ ରଖାଯାଇଛି । ସେପ୍ଟେମ୍ବର 26 ଏବଂ 27 ତାରିଖରେ କୌଣସି ଅଧିବେଶନ ହେବ ନାହିଁ । ଗାନ୍ଧୀ ଜୟନ୍ତୀ ଯୋଗୁଁ ଅକ୍ଟୋବର 2 ତାରିଖକୁ ଛୁଟି ଭାବରେ ପାଳନ କରାଯିବ ।

ଏସବୁ ପ୍ରସଙ୍ଗରେ ସ୍ୱର ଉଠାଇବ ବିଜେଡି:

ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ MMDR ଆଇନ, ପାଠ୍ୟ ପୁସ୍ତକରେ ତ୍ରୁଟି, ଦରବୃଦ୍ଧି ଓ ଚାଷୀଙ୍କ ସମସ୍ୟା ନେଇ ବିଧାନସଭାରେ ବିଜୁ ଜନତା ଦଳ ସ୍ୱର ଉଠାଇବ ।

ନବୀନ ପଟ୍ଟନାୟକ କହିଛନ୍ତି, "ରାଜ୍ୟରେ ବିଜେପି ସରକାର ଆସିବାର ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି । ହେଲେ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ବିଫଳତା ଏ ସରକାରର ହଲମାର୍କ ହୋଇଯାଇଛି । କେବଳ ସରକାରୀ ଅର୍ଥ ଅପବ୍ୟୟ କରି ଗୁଡ଼ାଏ ମିଥ୍ୟା ପ୍ରଚାର କରାଯାଉଛି । ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ବନ୍ୟା ପରିଚାଳନାରେ ବିଫଳତା, ଦରବୃଦ୍ଧି, ଆର୍ଥିକ କୁପରିଚାଳନା, ବଜେଟ୍‌ ଅର୍ଥ ଖର୍ଚ୍ଚ ନ କରି ପାରିବା ଆଦି ଏ ସରକାରର ପାରିବାପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ଠିଆ କରିଛି ।

ସଂସଦରେ MMDR ସଂଶୋଧନ ଆଇନ ବିନା ଆଲୋଚନାରେ ତରବରିଆ ଭାବରେ ଗୃହିତ ହୋଇଗଲା । କିନ୍ତୁ ଆମ ଓଡ଼ିଶାରୁ ଯାଇଥିବା ବିଜେପିର 20 ଜଣ ଯାକ ସାଂସଦ କେହି ରାଜ୍ୟର ସ୍ୱାର୍ଥ ପାଇଁ ପାଟି ନ ଫିଟାଇବା ଅତ୍ୟନ୍ତ ବେଦନାଦାୟକ । MMDR ସଂଶୋଧନ ଆଇନ ଆମର ଜମି ଉପରୁ, ଆମର ପ୍ରାକୃତିକ ସମ୍ପଦ ଉପରୁ ଆମର ଅଧିକାର ଛଡ଼ାଇ ନେବା ସହିତ ଯୁବ ସମାଜର ସ୍ୱପ୍ନକୁ ଧ୍ୱଂସ କରିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ପତ୍ର ଲେଖିଥିଲେ ମଧ୍ୟ କିଛି ଫଳ ହେଲାନାହିଁ । ଏହି ଘଟଣାରେ ବିଜେଡି କେବଳ ନୀରବ ଦର୍ଶକ ହୋଇ ନ ରହି ରାଜ୍ୟର ଅଧିକାର ଫେରାଇ ଆଣିବା ପର୍ଯ୍ୟନ୍ତ ଲଢ଼େଇ କରିବ ।"

ପାଠ୍ୟ ପୁସ୍ତକ ତ୍ରୁଟି ଅକ୍ଷମଣୀୟ:

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "ଯଦି ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଏ ତେବେ ଦେଶର ଭବିଷ୍ୟତ ନଷ୍ଟ ହୋଇଯାଏ । ଓଡ଼ିଶାର ପିଲାଙ୍କ ପାଠ୍ୟ ପୁସ୍ତକରେ ହୋଇଥିବା ତ୍ରୁଟି ଅକ୍ଷମଣୀୟ । ଏହା ଏକ ଅପରାଧିକ ତ୍ରୁଟି । ତେଣୁ ସରକାରଙ୍କୁ ଏଥିପାଇଁ ଉତ୍ତରଦାୟୀତ୍ୱ ନେବାକୁ ପଡ଼ିବ ଏବଂ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିବ ।

ବିଜେପି ସରକାର ଅମଳରେ ରାଜ୍ୟର ଚାଷୀମାନେ ସବୁଠାରୁ ଅଧିକ ନିଷ୍ପେସିତ ହୋଇଛନ୍ତି । ଠିକ୍‌ ସମୟରେ ସାର ମିଳୁନି, ବିହନ ମିଳୁନି, ଧାନ ଉଠୁନି । ଡବଲ୍ ଇଞ୍ଜିନ୍ ସରକାର ଥାଇ ମଧ୍ୟ FCI ଧାନ ନେଉନାହିଁ । ଏଭଳି ଅବ୍ୟବସ୍ଥାକୁ ଆମେ ନୀରବରେ ସହ୍ୟ କରିପାରିବୁ ନାହିଁ ।"

ନବୀନ ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି, "ଓଡ଼ିଶାରେ ଦରବୃଦ୍ଧି ଉଦବେଗଜନକ ସ୍ଥିତିରେ ଥିବା ବେଳେ ନିକଟରେ UPI ଉପରେ MDR ଲାଗୁ କରାଯିବା ଦ୍ୱାରା ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହେବେ । ଏଥିପାଇଁ ସରକାରଙ୍କୁ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ MDR ଉପରେ ସ୍ପଷ୍ଟତା ଆଣିବାକୁ ପଡ଼ିବ । ସେହିପରି ରାଜ୍ୟରେ ଜାରି ରହିଥିବା SIR ପ୍ରକ୍ରିୟାରେ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାମ କଟିଯିବା ଆଉ ଏକ ଗୁରୁତର ବିଷୟ । ବିଜୁ ଜନତା ଦଳ ଭୋଟରଙ୍କୁ ନ୍ୟାୟ ଦେବା ପାଇଁ ତା'ର ଲଢ଼େଇ ଜାରି ରଖିବ । ମୋଟ୍‌ ଉପରେ ବିଜେପି ସରକାର ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି । ତେଣୁ ବିରୋଧୀ ଦଳ ଭାବେ ବିଜେଡି ଡବଲ୍ ଇଞ୍ଜିନ୍ ସରକାରର ବିଫଳତା ନେଇ ଲୋକଙ୍କୁ ସଚେତନ କରିବ ।"

ସେପଟେ କଂଗ୍ରେସ ମଧ୍ୟ ଆକ୍ରମଣାତ୍ମକ ଭାବରେ MMDR ଆଇନ ଏବଂ ସମ୍ପ୍ରତି ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ରିପୋର୍ଟ କରାଯାଇଥିବା ପ୍ରସଙ୍ଗ ଉଠାଇବ । ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-2026 ପ୍ରତ୍ୟାହାର ଦାବିରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ 29 ତାରିଖରେ ବିଧାନସଭା ଘେରାଉ ଡାକରା ଦିଆଯାଇଛି ।

ଏହା ବ୍ୟତୀତ, ଅନେକ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ବିରୋଧୀ ସଦସ୍ୟମାନେ ପ୍ରସ୍ତୁତି, ରିଲିଫ୍ ଏବଂ ଭିତ୍ତିଭୂମିର କ୍ଷତି ଏବଂ ପ୍ରଭାବିତ ଚାଷୀମାନଙ୍କୁ ସହାୟତା ଉପରେ ସରକାରଙ୍କୁ ପ୍ରଶ୍ନ କରିବାର ସମ୍ଭାବନା ଅଛି । ଧାନ ସଂଗ୍ରହ ଏବଂ କୃଷି ସଙ୍କଟ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଉଠାଯିବାର ସମ୍ଭାବନା ଅଛି ।

ଏହା ମଧ୍ୟ ପଢ଼ନ୍ତୁ...

MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଇଣ୍ଡିଆ ବ୍ଲକ୍‌ର ବିଶାଳ ସମାବେଶ; 29ରେ ବିଧାନସଭା ଘେରାଉ ଡାକରା

ବିଧାନସଭାର ମୌସୁମୀ ଅଧିବେଶନ: MMDRକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ, ସର୍ବଦଳୀୟ ବୈଠକରେ ସହମତିର ଆହ୍ୱାନ

ଇଟିଭି ଭାରତ, ଭୁବନେଶ୍ବର