ETV Bharat / bharat

ବିହାରରେ ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, 2 ନାବାଳକଙ୍କ ସମେତ 3 ଗିରଫ

ବିହାରର ଜମୁଇରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ ଛାତ୍ରଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

The main accused in the Jamui incident, who is currently absconding
ଜମୁଇ ଘଟଣାର ମୁଖ୍ୟ ଅଭିଯୁକ୍ତ (ETV Bharat)
author img

By ETV Bharat Odisha Team

Published : September 22, 2026 at 8:18 AM IST

3 Min Read
Choose ETV Bharat

ପାଟନା: ଦେଶରେ ଆଲୋଚନାର ଶିରୋନାମା ପାଲଟିଥିବା ବିହାରର ଜମୁଇରେ ନାବାଳିକା ଝିଅକୁ ଅସଦାଚାରଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ POCSO ଆଇନ ଅନୁଯାୟୀ, 2 ଜଣ ନାବାଳକଙ୍କ ସମେତ 3 ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣ ଏବେ ବି ଫେରାର୍ ଅଛନ୍ତି । ବାକି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ମାମଲାର ତଦନ୍ତ ପାଇଁ ଏକ SIT ଗଠନ କରାଯାଇଛି ।

ଜମୁଇ ପୋଲିସ ଅଧିକ୍ଷକ (ଏସପି) ବିଶ୍ୱଜିତ ଦୟାଲ କହିଛନ୍ତି, "ସୋମବାର ସକାଳେ ଏହି ଘଟଣାର ଭିଡିଓଟି ବିଷୟରେ ଆମେ ଜାଣିବାକୁ ପାଇଥିଲୁ । ଏଥିରେ ପ୍ରାୟ ସାତରୁ ଆଠ ଜଣ ଲୋକ ଜଣେ ନାବାଳିକା ଝିଅ ଏବଂ ତାଙ୍କ ନାବାଳକ ବନ୍ଧୁଙ୍କ ସହିତ ଅସଦାଚାରଣ କରୁଥିବାର ଦେଖିବାକୁ ମିଳିଛି । ପୀଡିତାମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ସେମାନେ ଏକ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 2 ଜଣ ନାବାଳକଙ୍କ ସମେତ 3 ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରିଛୁ । ସେ ଏକ କମଳା ରଙ୍ଗର କପଡା କିମ୍ବା ପତଳା ଗାମୁଛା ପିନ୍ଧି ତାଙ୍କ ମୁହଁ ଏବଂ ମୁଣ୍ଡକୁ ଘୋଡାଇ ରଖିଥିବା ଦେଖାଯାଉଛି । ଚଢାଉ ଏବେ ବି ଚାଲିଛି । ଆମେ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରିବୁ ।"

ସୋମବାର ଦିନ ଜମୁଇ ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା 74 (ଜଣେ ମହିଳାଙ୍କ ସମ୍ମାନ କିମ୍ବା ମର୍ଯ୍ୟାଦାହାନି କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ଆକ୍ରମଣ କରିବା କିମ୍ବା ଅପରାଧିକ ବଳ ପ୍ରୟୋଗ କରିବା), 76/3(5) (ଏକାଧିକ ବ୍ୟକ୍ତି ମିଳିତ ଭାବରେ ଜଣେ ମହିଳାଙ୍କ ଉପରେ ଆକ୍ରମଣ, କିମ୍ବା ତାଙ୍କୁ ବସ୍ତ୍ରହୀନ କରିବା କିମ୍ବା ନଗ୍ନ ହେବାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କ ବିରୁଦ୍ଧରେ ଅପରାଧିକ ବଳ ପ୍ରୟୋଗ କରିବା) ଏବଂ POCSO ଆଇନ, 2012 ଅନୁଯାୟୀ ଏକ FIR (ନଂ. 428/26) ମଧ୍ୟ ରୁଜୁ କରାଯାଇଛି ।

ଜାମୁଇ ଏସପି ବିଶ୍ୱଜିତ ଦୟାଲ କହିଛନ୍ତି, "ବିଭିନ୍ନ ସୋସିଆଲ ମିଡିଆ ସାଇଟରୁ ଭିଡିଓଟିକୁ ହଟାଇବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି । ଭିଡିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରସ୍ତୁତ ହେଉଛି ।"

ପୂରା ଘଟଣା କ’ଣ?

ସେପ୍ଟେମ୍ବର 19 ତାରିଖ ସନ୍ଧ୍ୟା ପ୍ରାୟ 6.25 ଜଣେ 16 ବର୍ଷୀୟା ନାବାଳିକା ତାଙ୍କ ବନ୍ଧୁ (ନାବାଳକ) ସହ ଏକ ସ୍କୁଟରରେ କୋଚିଂ କ୍ଲାସରୁ ଫେରୁଥିଲେ । ମାରୱା-ପ୍ରତାପପୁର ନିକଟସ୍ଥ ପାହାଡିଆ ଏବଂ ଜଙ୍ଗଲ ଘେରା ଅଞ୍ଚଳରେ ଫଟୋ ଉଠାଇବା ଏବଂ କିଛି ଭିଡିଓ ତିଆରି କରିବା ପାଇଁ ଅଟକିଥିଲେ । ଏହି ସମୟରେ କିଛି ଯୁବକ ସେଠାରେ ପହଞ୍ଚି ସେମାନଙ୍କ ସହ ଅସଦାଚାରଣ କରିଥିଲେ । ନାବାଳକୁ ମାରପିଟ କରିବା ସହ ନାବାଳିକାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିବା ସହ ଟଣାଉଟରା କରିଥିଲେ ।

ଝିଅଟି ହାତ ଯୋଡି ସେମାନଙ୍କୁ ଛାଡିଦେବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଯୁବକମାନେ କୌଣସି ଦୟା ଦେଖାଇ ନଥିଲେ । ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଝିଅଟି ଭୟଭୀତ ହୋଇ ଅନ୍ଧାର ରାତିରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଅଭିଯୁକ୍ତମାନେ ତାଙ୍କୁ ଅଶାଳୀନ ଭାବରେ ଧରି ଜାତୀୟ ରାଜପଥରୁ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯିବାକୁ ଚେଷ୍ଟା କରିଥିଲେ । ସେହି ବାଟ ଦେଇ ଯାଉଥିବା କିଛି ଲୋକ ଅଟକି ଯିବାରୁ ଏବଂ ଚାରିପାଖରେ ଏକତ୍ରିତ ହେବା ପରେ, ଅଭିଯୁକ୍ତମାନେ ସେମାନଙ୍କୁ ଛାଡ଼ିଦେଇଥିଲେ । ନାବାଳିକାଙ୍କ ସହ ଅସଦାଚାରଣ କରିବାର ଏକ ଭିଡିଓ କରି ଅଭିଯୁକ୍ତମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ETV ଭାରତକୁ କହିଛନ୍ତି, "ଯେଉଁଠାରେ ଏହି ଘଟଣାଟି ଘଟିଛି ସେହି ଅଞ୍ଚଳଟି ପ୍ରାୟତଃ ଆଇନର ନିୟନ୍ତ୍ରଣ ବାହାରେ । ସେଠାରେ ବେଆଇନ ବାଲି ଏବଂ ପଥର ଖଣି ଅନିୟନ୍ତ୍ରିତ ଭାବରେ ଘଟୁଛି, ଏବଂ ମାଫିଆମାନେ ପାଖ ପଡ଼ୋଶୀର ଗ୍ରାମଗୁଡ଼ିକ ଉପରେ ପ୍ରଭାବ ପକାଇ ଯୁବକମାନଙ୍କୁ ସେମାନଙ୍କର ଘୃଣ୍ୟ କାର୍ଯ୍ୟକଳାପରେ ନିୟୋଜିତ କରୁଛନ୍ତି । ଏହା ଏକ ଗୁରୁତର ଅପରାଧ ପ୍ରବଣ ଅଞ୍ଚଳ ।"

ସରକାରଙ୍କୁ ଘେରିଲେ ବିରୋଧୀ

ବିରୋଧୀ ଦଳଗୁଡ଼ିକ ଏହି ମାମଲାରେ ସମ୍ରାଟ ଚୌଧୁରୀଙ୍କ ସରକାରଙ୍କୁ ଘେରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଏକ୍ସ-ପୋଷ୍ଟ ମାଧ୍ୟମରେ ବିହାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ପଚାରିଛନ୍ତି ଯେ ବିହାର ସରକାର ଝିଅମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ନୁହଁନ୍ତି କି ? କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ କହିଛନ୍ତି ଯେ ଯେତେବେଳେ 19 ସେପ୍ଟେମ୍ବରରେ ଅପରାଧ ଘଟିଥିଲା, ପୋଲିସ ଦୁଇ ଦିନ ପାଇଁ କେଉଁଠାରେ ଶୋଇଥିଲା । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଜାମୁଇ ଘଟଣା ଉପରେ ବିଜେପି ଉପରେ ଆକ୍ରମଣ କରିଛନ୍ତି । ଏହି ସମୟରେ, ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଜମୁଇ ଘଟଣାରେ ଉତ୍ତର ମାଗିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା: CCTV ଖୋଲିଲା ରହସ୍ୟ, 3 ନାବାଳକ ସମେତ 4 ଗିରଫ

ଲିଫ୍ଟ ଦେବା ଆଳରେ 2 ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 5 ଅଟକ