ରଥଖଳା ହାଲଚାଲ: ଶେଷ ପର୍ଯ୍ୟାୟରେ ତୁମ୍ବ ବିନ୍ଧ କାର୍ଯ୍ୟ, ସରିଛି ଅରକଣ୍ଟା ନିର୍ମାଣ - Ratha Khala HalChal

By ETV Bharat Odisha Team

Published : May 19, 2024, 9:02 PM IST

thumbnail
Ratha Khala HalChal (ETV Bharat Odisha)

Ratha Khala HalChal: ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ତୁମ୍ବ ଗୁଡ଼ିକରେ ଅଗର ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ତିନି ରଥର ମୋଟ ୪୨ଟି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ତିନି ରଥର ବିଶ୍ଵକର୍ମା ମହାରଣା ସେବକ କରିଛନ୍ତି । ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବା ସହ ତୁମ୍ବ ଗୁଡ଼ିକର ବଳକା ଅଂଶ ଘେରକଟା କରତୀ ସେବକଙ୍କ ଦ୍ବାରା ଶେଷ ହୋଇଛି ।

ତାଳଧ୍ଵଜ ରଥର ୧୪ଟି ତୁମ୍ବ ମଧ୍ୟରୁ ଦୁଇଟି ନାହାକା ତୁମ୍ବ ଏବଂ ଦୁଇଟି ପଡ଼ି ନାହାକା ତୁମ୍ବର ୧୬ ଯୋଡ଼ା ବିନ୍ଧ ଶେଷ ହୋଇଛି । ତୁମ୍ବ ଗୁଡ଼ିକର ଘେରକଟା କାର୍ଯ୍ୟ ଶେଷ ହୋଇଛି । ଦର୍ପଦଳନ ରଥର ମୋଟ ୧୨ଟି ତୁମ୍ବରୁ ୪ଟି ନାହାକା ତୁମ୍ବ ଏବଂ ଗୋଟିଏ ପଡ଼ିନାହାକା ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଦେବୀରଥ ମହାରଣା ସେବକମାନେ ଶେଷ କରିଛନ୍ତି । ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯାଇଛି । ପରେ ଭୋଇ ସେବକଙ୍କ ସହାୟତାରେ କରତୀ ସେବକଙ୍କୁ ଏହା ଯୋଗାଇ ଦେବାପରେ ତୁମ୍ବ ଗୁଡ଼ିକର ବଳକା ଅଂଶ ଘେରକଟା କାର୍ଯ୍ୟ ଶେଷ ହୋଇଛି । ସେହିଭଳି ନନ୍ଦିଘୋଷ ରଥର ମୋଟ ୧୬ଟି ତୁମ୍ବରୁ ୪ ଗୋଟି ନାହାକା ତୁମ୍ବ ଏବଂ ୪ଟି ପଡ଼ିନାହାକା ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ପରେ ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ତିନି ରଥର ୪୨ ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ଶେଷ କରିଛନ୍ତି । ତିନି ରଥ ନାହାକା ତୁମ୍ବ ପାଇଁ ଆବଶ୍ୟକ ପନ୍ଦାରି ବଳା ନିର୍ମାଣ ଶେଷ କରି ସେଗୁଡ଼ିକର ମଠା କାର୍ଯ୍ୟ ଜାରି ରଖିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.