ETV Bharat / state

ନାରୀଶକ୍ତିର ମିସାଇଲ ଦ୍ରୌପଦୀ ମୁର୍ମୁ: ନିପଟ ମଫସଲ ଗାଁରୁ ରାଇସିନା ହିଲ୍‌, ସହଜ ନଥିଲା ଯାତ୍ରା

author img

By ETV Bharat Odisha Team

Published : Mar 8, 2024, 9:26 PM IST

Women's Day Special On President Draupadi Murmu: ରାଇସିନା ହିଲରୁ ରାଷ୍ଟ୍ରପତି ଭବନ । ମହାମହିମ ଦ୍ରୌପଦୀ ମୁର୍ମୁଙ୍କ କେମିତି ଥିଲା ଯାତ୍ରା ? ମହିଳା ଦିବସ ସ୍ପେଶାଲରେ ଜାଣନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ସଂଘର୍ଷପୂର୍ଣ୍ଣ ଯାତ୍ରା ଉପରେ ।

ଅନ୍ତର୍ଜାତୀୟ ମହିଳା ଦିବସ: ନିପଟ ମଫସଲର ଆଦିବାସୀ ଝିଅ ଆଜି ଭାରତର ରାଷ୍ଟ୍ରପତି
ଅନ୍ତର୍ଜାତୀୟ ମହିଳା ଦିବସ: ନିପଟ ମଫସଲର ଆଦିବାସୀ ଝିଅ ଆଜି ଭାରତର ରାଷ୍ଟ୍ରପତି

ଅନ୍ତର୍ଜାତୀୟ ମହିଳା ଦିବସ: ନିପଟ ମଫସଲର ଆଦିବାସୀ ଝିଅ ଆଜି ଭାରତର ରାଷ୍ଟ୍ରପତି

ରାଇରଙ୍ଗପୁର: ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ସମାଜରେ ମହିଳାମାନଙ୍କ ସମାନତା ଓ ଅଧିକାର ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ଏମିତି ଏକ ମହିଳାଙ୍କ ଚରିତ୍ର ବର୍ଣ୍ଣନା କରିବାକୁ ଯାଉଛୁ । ଯିଏ କି ଜଣେ ଆଦିବାସୀ ମହିଳା ଏବଂ ସେ ନିପଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସି ଆଜି ସାରା ବିଶ୍ବରେ ପରିଚିତ ହୋଇ ପାରିଛନ୍ତି । ସେ ହେଉଛନ୍ତି ଆମ ମାଟିର ଝିଅ ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ହେଉଛନ୍ତି ଜଣେ ନାରା ଶକ୍ତିର ପ୍ରତିବିମ୍ବ । ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତିଙ୍କୁ ନେଇ ଆସନ୍ତୁ ଦେଖିବା ଆମ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ ।

ଆଜିର ମହିଳା, ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ପ୍ରତିଟି କ୍ଷେତ୍ର ପାଇଁ ତାର ସାମର୍ଥ୍ୟ ରହିଛି ଓ ସେ ସକ୍ଷମ ମଧ୍ୟ । ଗୋଟିଏ ସମୟ ଥିଲା ନାରୀ ତାହାର ପରିଚୟ ପାଇଁ ଅନବରତ ସଂଘର୍ଷ କରୁଥିଲା । ଆଗକୁ ବଢିବାକୁ ହେଲେ ସମାଜର ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡୁଥିଲା । ଏବେ ସେହି ନାରୀ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇପାରିଛି । ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ି ବଢ଼ି ଚାଲିଛି । ଏମିତି ଅନେକ ମହିଳା ଅଛନ୍ତି ଯିଏ କି ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ମଧ୍ୟରୁ ଅନ୍ୟତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା । ଦ୍ରୌପଦୀ ମୁର୍ମୁ ଜୁନ ମାସ ୨୦ ତାରିଖ ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମରୁ ତାଙ୍କ ଜୀବନ ସଂଘର୍ଷ ପୂର୍ଣ୍ଣ ରହିଛି । ତାଙ୍କ ମାଆଙ୍କ ନାଁ ସିନଗୋ ଟୁଡୁ ଏବଂ ବାପା ବିରଞ୍ଚି ନାରାୟଣ ଟୁଡୁ ।

ବାପା ଉପରବେଡା ଗ୍ରାମର ପ୍ରଧାନ (ମୁଖିଆ) ଥିଲେ । ବିରଞ୍ଚି ନାରାୟଣ ଟୁଡୁଙ୍କ ତିନୋଟି ସନ୍ତାନ ଦ୍ରୌପଦୀ ମୁର୍ମୁ, ଭଗତ ଚରଣ ଟୁଡୁ ଓ ତରଣୀସେନ ଟୁଡୁଙ୍କ ମଧ୍ୟରେ ବଡ଼ ଥିଲେ ଦ୍ରୌପଦୀ । ନିଜ ଗ୍ରାମରେ ଦ୍ରୌପଦୀଙ୍କ ଛାତ୍ରୀ ଜୀବନ କଟିଥିଲା ବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଉପରବେଡା ଏମଇ ସ୍କୁଲ ରେ ପାଠ ପଢିଥିଲେ । ସେଠାରୁ ସେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ୱରରେ ଶିକ୍ଷା ସମାପ୍ତ ପରେ ସେ ସଚିବାଳୟରେ ଚାକିରି କରିଥିଲେ । ପରେ ସେଠାରୁ ସେ ରାଇରଙ୍ଗପୁର ଫେରି ଆସି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୧୯୯୪ ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଅବୈତନିକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ହୋଇ ଶିକ୍ଷାଦାନ କରିଥିଲେ ।

ନଜର ପକାନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଜୀବନ:

ସେ ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୯୭ ମସିହାରେ ପ୍ରଥମ କରି ଜଣେ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ମଧ୍ୟ ରହିଥିଲେ । ୧୯୯୭ ମସିହାରେ ସେ ବିଜେପିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ଥିଲେ । ଏହାପରେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ସେହିପରି ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିଲେ ଦ୍ରୌପଦୀ । ତେବେ ୨୦୧୫ ମସିହାରେ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ୨୦୨୩ ମସିହାରେ ଦେଶର ପ୍ରଥମ ନାଗରିକ ହୋଇଥିଲେ ସେ ।

ଏହା ମଧ୍ୟ ପଢନ୍ତୁ...ଅନ୍ତର୍ଜାତୀୟ ମହିଳା ଦିବସ; ପିଙ୍କ ପାୱାର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜିଲ୍ଲାର ସଫଳ ମହିଳା

ରାଷ୍ଟ୍ରପତିଙ୍କ ସଂଘର୍ଷମୟ କାହଣୀ:

ସେ ୧୯୭୯ ମସିହାରେ ବାଦାମପାହାଡ ବ୍ଲକ ପାହାଡପୁର ଗ୍ରାମର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ବେଶ ହସ ଖୁସିରେ ଦିନ କଟୁଥିଲା ପରିବାର । ତେବେ ୨୦୧୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସବୁଠୁ କଷ୍ଟଦାୟକ ରହିଥିଲା । ତିନୋଟି ଦୁଃଖଦ ଘଟଣା ଦ୍ରୌପଦୀଙ୍କ ଜୀବନରେ କଳାର ବାଦଲ ଆଣିଥିଲା । ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ । ପରେ ଶ୍ୟାମ ଚରଣ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବ୍ରାଞ୍ଚ ମ୍ୟାନେଜର ଭାବେ ଅବସର ଗ୍ରହଣ କରିଥିଲେ ।

ତାଙ୍କର ତିନୋଟି ସନ୍ତାନ ମଧ୍ୟରୁ ବଡ଼ପୁଅ ଲକ୍ଷ୍ମଣ ୨୭ ବର୍ଷ ବୟସରେ ୨୫ ଅକ୍ଟୋବର ୨୦୧୦ ମସିହାରେ ଭୁବନେଶ୍ୱର ଠାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସାନପୁଅ ସିପୁନ ମଧ୍ୟ ୨୭ ବର୍ଷ ବୟସରେ ଜାନୁଆରୀ ୨, ୨୦୧୩ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଚଢେଇଭୋଳ ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଦୁଇ ପୁଅକୁ ହରାଇ ବାପା ଶ୍ୟାମ ଚରଣ ଓ ମାଆ ଦ୍ରୌପଦୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଦୁଇ ପୁଅକୁ ଝୁରିଝୁରି ଶେଷରେ ଶ୍ୟାମ ଚରଣ ଚିନ୍ତାଗ୍ରସ୍ତ ହୋଇ ଅଗଷ୍ଟ ୧ ,୨୦୧୪ରେ ପ୍ରାଣତ୍ୟାଗ କରିଥିଲେ । ତେବେ ତିନି ଜଣଙ୍କୁ ହରାଇ ଦ୍ରୌପଦୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଯେହେତୁ ଦ୍ରୌପଦୀ ୨୦୦୯ ମସିହାରୁ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ସହିତ ଜଡିତ ଥିଲେ । ତେଣୁ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ପରେ ସେ ସେଠାରେ ଯୋଗ ଦେଇ ବ୍ରହ୍ମ କୁମାରୀଙ୍କ ସହାୟତାରେ ନିୟମିତ ରାଜଯୋଗର ଅଭ୍ୟାସ କରି ପରମାତ୍ମାଙ୍କ ଶରଣାପନ୍ନ ହୋଇଥିଲେ ।

ଏଥି ସହିତ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ନିଜକୁ ସମ୍ଭାଳି ନେଇଥିଲେ । ସେହି ଦିନଠାରୁ ସେ ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଚାଲିଥିଲେ । ନିଶ୍ଚିତ ଭାବେ ନିଷ୍ଠା ସହକାରେ କଠିନ ପରିଶ୍ରମ କରିବା ସହ ଦ୍ରୌପଦୀ ନିଜର କର୍ମ କରି ଚାଲିଥିବାବେଳେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଜଣେ ଆଦିବାସୀ ମହିଳା ଭାବେ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରି ରାଷ୍ଟ୍ରପତି ହୋଇ ପାରିଛନ୍ତି ।

ଏହି ଅବସରରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ କହିଛନ୍ତି," ଆଜି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ନାରୀଶକ୍ତିଙ୍କୁ ମୋର ସମ୍ମାନ । ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଆମ ମାଟିର ଝିଅ । ତାଙ୍କର କଠିନ ପରିଶ୍ରମ ଦ୍ବାର କାଉନସିଲରଠୁ ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ସ୍ଥାନର ଅଧିକାରୀ ହୋଇପାରିଛନ୍ତି । ଏହା ଅବସରରେ ତାଙ୍କୁ ନିହାତି ମନେ ପକାଇବା ଦରକାର ।"

ତେବେ ଗରିବ, ଖଟିଖିଆ, ପଛୁଆବର୍ଗ ଓ ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ନିଶ୍ଚିତ ଭାବେ ଦ୍ରୌପଦୀ ମୁର୍ମୁ ସାରା ବିଶ୍ୱ ପାଇଁ ଗର୍ବ ପାଲଟିଥିବା ଥିବାବେଳେ ଆଦିବାସୀ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଏଥିରେ ସନ୍ଦେହ ନାହିଁ । ଆମେ ଇଟିଭି ଭାରତ ପରିବାର ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମ୍ୟାଡାମ ପ୍ରେସିଡେଣ୍ଟଙ୍କୁ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.