ETV Bharat / state

ଟ୍ରାକ ସୁଟ ନୁହେଁ ପାଟ ଶାଢ଼ୀ ପିନ୍ଧି ପାଟଥନରେ ଦୌଡ଼ିଲେ ମହିଳା

author img

By ETV Bharat Odisha Team

Published : Jan 28, 2024, 4:09 PM IST

Mini Marathon Pattathon: ଶାଢ଼ୀ ପିନ୍ଧି ପାଟଥନରେ ଦୌଡ଼ିଲେ ମହିଳା । କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ଏଭଳି ନିଆରା ମାରାଥନ କରାଯାଇଛି । ଅଧିକ ପଢ଼ନ୍ତୁ

ପାଟଥନ
ପାଟଥନ

ପାଟଥନ

ଭୁବନେଶ୍ୱର: ଟ୍ରାକ ସୁଟ ନୁହେଁ ପାଟ ଶାଢ଼ୀ ପିନ୍ଧି ପାଟଥନ( ପାଟ ଶାଢ଼ୀ ସହ ମାରାଥନ)ରେ ଦୌଡ଼ିଲେ ମହିଳା । ଶହେ କି ଦୁଇ ଶହ ନୁହେଁ ଏକାଥରେ ୬ ହଜାର ମହିଳା ପାଟ ଶାଢ଼ୀ ପିନ୍ଧି ଦୌଡ଼ିଛନ୍ତି । ସମସ୍ତଙ୍କ ପାଇଁ ଶିକ୍ଷା, ଓଡ଼ିଶାର ହସ୍ତତନ୍ତର ପ୍ରଚାରପ୍ରସାର ଓ ମହିଳା ସଶକ୍ତିକରଣ ବାର୍ତ୍ତା ନେଇ କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ଏଭଳି ନିଆରା ମାରାଥନ ହୋଇଯାଇଛି ।

ରାଜ୍ୟରେ ପ୍ରଥମ ଥର ପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ କରାଯାଇଥିଲା ମିନି ମାରାଥମ "ପାଟଥନ" । ଏଥିରେ କିଟ୍‌ ଓ କିସ୍‌ର ପାଖାପାଖି ୬ ହଜାର ମହିଳା କର୍ମଚାରୀ ପାଟଶାଢ଼ୀ ପିନ୍ଧି ପାଟଥନରେ ଦୌଡ଼ିଥିଲେ । ରାଜଧାନୀର ଶିଖରଚଣ୍ଡୀ ମନ୍ଦିର ଛକରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ହୋଇଥିବା ବେଳେ ପ୍ରଥମ ବିଜେତାଙ୍କୁ ୨୦ ହଜାର, ଦ୍ଵିତୀୟଙ୍କୁ ୧୫ ଓ ତୃତୀୟକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯାଇଛି । କିନ୍ତୁ ପ୍ରଥମ ଥର ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ପାଟଥନ ଆୟୋଜନ କରାଯାଇଛି ।‌

ଏହା ମଧ୍ୟ ପଢ଼ନ୍ତୁ...କିଟ୍‍ ଓ କିସ୍‍କୁ ସଫଳତା, ଚୀନରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସାମିଲ ହେବେ ୧୪ ଖେଳାଳି

ତେବେ କେବଳ ଶିକ୍ଷା ଓ ହସ୍ତତନ୍ତର ପ୍ରଚାର ପ୍ରସାର ନୁହେଁ ବରଂ ଏକା ସାଙ୍ଗରେ ଏତେ ସଂଖ୍ୟକ ମହିଳା ପାଟଶାଢ଼ୀ ପିନ୍ଧି ଓଡ଼ିଆ କଳା ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ମଧ୍ୟ ହେଉଛି । ବିଭିନ୍ନ ରଙ୍ଗର ଶାଢ଼ୀ ପିନ୍ଧି ମହିଳାମାନେ ଦୌଡୁଥିବା ବେଳେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଭଳି ଗୋଟିଏ ଧାଡିରେ ଇନ୍ଦ୍ରଧନୁର ସାତ ରଙ୍ଗ ସଜେଇ ହୋଇଥିଲା । ମହିଳାମାନେ ମଧ୍ୟ ଏପରି ନିଆରା ମାରାଥାନରେ ପ୍ରତିଯୋଗୀ ହୋଇ ବେଶ ଖୁସି ହୋଇଥିଲେ ।


ସେପଟେ ଏହି ପାଟଥନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଏମସି ମେୟର ସୁଲୋଚନା ଦାସ । ସମ୍ମାନୀୟ ଅତିଥି ଭାବରେ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଅନ୍ତର୍ଜାତୀୟ ସାଇକେଲ ଚାଳିକା ମୀନତି ମହାପାତ୍ର, ଆଥଲେଟ ଶ୍ରାବଣୀ ନନ୍ଦ, ଅନୁରାଧା ବିଶ୍ଵାଳ, କିଟ୍ ଓ କିସ୍ ସଭାପତି ଶାଶ୍ଵତୀ ବଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳପତି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କାଦମ୍ବିନୀ ସମ୍ପାଦକ ଡ ଇତିରାଣୀ ସାମନ୍ତ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡଃ ମୋନାଲିସା ବଳ ଉପସ୍ଥିତ ଥିଲେ । ସମସ୍ତ ଅତିଥି ସବୁଜ ପତାକା ଦେଖାଇ ପାଟଥନର ଶୁଭାରାମ୍ଭ କରିଥିବା ବେଳେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.