ETV Bharat / state

ପଞ୍ଚାୟତରେ ଫେଲ ମାରିଛି ବସୁଧା, ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା - DRINKING WATER PROBLEM

author img

By ETV Bharat Odisha Team

Published : Apr 20, 2024, 4:58 PM IST

Drinking Water Problem: ନିଆଳି ବ୍ଳକର ବିଳାଶୁଣୀ ପଞ୍ଚାୟତରେ ସରକାରଙ୍କ ବସୁଧା ଯୋଜନା ବିଫଳ ହୋଇଛି । ପାଇପଲାଇନ ଓ ଟ୍ୟାପ୍ ଥାଇ ମଧ୍ୟ ମିଳୁନି ପିଇବା ପାଣି । ଗୋଟିଏ ନଳକୂପ ଭରସାରେ ବିଳାଶୁଣୀ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ପଞ୍ଚାୟତରେ ଫେଲ ମାରିଛି ବସୁଧା, ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା
ପଞ୍ଚାୟତରେ ଫେଲ ମାରିଛି ବସୁଧା, ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା

ପଞ୍ଚାୟତରେ ଫେଲ ମାରିଛି ବସୁଧା, ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା

‌‌ନିଆଳି: ବଢୁଛି ଖରା, ମିଳୁନାହିଁ ବିଶୁଦ୍ଧ ପାଣି । ଗାଁରେ ପୋଖରୀ, ଗାଡିଆ ପଡିଛି ଶୁଖିଲା । ସରକାରୀ ଯୋଜନାରେ ପାଣି ଲାଇନ ଆଉ ପାଣିଟ୍ୟାପ୍ ଥିଲେ ମଧ୍ୟ ପାଣି ପାଇଁ ଲୋକେ ହେଉଛନ୍ତି ଡହଳବିକଳ । ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଗୋରୁ,ଗାଈ, ଛେଳି ଭଳି ଜୀବଜନ୍ତୁ ମାନେ ମଧ୍ୟ ପାଣି ମୁନ୍ଦିଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏଭଳି ଉତ୍କଟ ଜଳ ସମସ୍ୟା ଦେଖାଦେଇଛି କଟକ ଜିଲ୍ଲା ନିଆଳି ବ୍ଳକର ବିଳାଶୁଣୀ ପଞ୍ଚାୟତରେ ।

କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ମିଳିତ ଉଦ୍ୟମରେ ବସୁଧା ଯୋଜନା ମାଧ୍ୟମରେ ଗାଁ ଗଣ୍ଡାରେ ବିଶୁଦ୍ଧ ପାଣି ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସରକାର ମଧ୍ୟ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ବାସ୍ତବ ପକ୍ଷେ ବସୁଧା ଯୋଜନା ଏବେ ନିଆଳି ବ୍ଳକ ଅଞ୍ଚଳରେ ଫେଲ ମାରିଛି । ନିଆଳି ବ୍ଳକର ବିଳାଶୁଣୀ ପଞ୍ଚାୟତର ୨୦ ଟି ୱାର୍ଡ ମଧ୍ୟରୁ ୧୨ ରୁ ଉର୍ଦ୍ଧ୍ବ ୱାର୍ଡରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିନାହିଁ ବସୁଧା ଯୋଜନାରେ ବିଶୁଦ୍ଧ ପାଣି ।

ଏହା ମଧ୍ୟ ପଢନ୍ତୁ .... ପୋଡି ଯାଇଛି ପାଣି ମୋଟର, ଶୋଷରେ 300 ଗ୍ରାମବାସୀ ! - Drinking Water Problem

ବିଳାଶୁଣୀ ପଞ୍ଚାୟତର ମଠସାହି, ବଡ ବାଙ୍କିଆଟି, ସାନବାଙ୍କିଆଟି, ରାଜସାହି, ତରବଣ, ବାଲିକୁଦ, ବଲରା, ଡୁଙ୍ଗେଇପଡା, ଆଦି ୱାର୍ଡରେ ପାଇପ ଲାଇନ୍ ବିଛା ଯାଇଛି ଟ୍ୟାପ ବି ନିର୍ମାଣ ହୋଇଛି କିନ୍ତୁ ପାଣି ଆସୁନାହିଁ । ଦୁଇ ବର୍ଷ ତଳୁ ବସିଥିବା ଟ୍ୟାପ ଭାଙ୍ଗି ରୁଜି ଯାଇଛି । ସେହିଭଳି ନିର୍ମାଣ ହୋଇପାରୁନାହିଁ ଓଭର ହେଡ ଟାଙ୍କି । ଓଭର ହେଡ ଟାଙ୍କି, ପାଇପ ବିଛା ସାଙ୍ଗକୁ ଟ୍ୟାପ ନିର୍ମାଣ ପାଇଁ କୋଟିଏ ଟଙ୍କା ବ୍ୟୟ ବରାଦ ହୋଇଛି । ଠିକାଦାର କେବଳ ପାଇପ ଲାଇନ୍ ଏବଂ ଟ୍ୟାପ ନିର୍ମାଣ କରି ଦାୟିତ୍ଵ ସାରିଦେଇଥିବା ନେଇ ଅଭିଯୋଗ ହୋଇଛି । ବିଳାଶୁଣୀ ପଞ୍ଚାୟତର ମଠସାହି ଗାଁରେ ଗୋଟିଏ ନଳକୂପ ଉପରେ ଶହ ଶହ ପରିବାର ନିର୍ଭର କରୁଛନ୍ତି ।

ଖରା ଯୋଗୁଁ ଗଡିଆ, ପୋଖରୀ ଶୁଖି ଯାଇଥିବାରୁ ପଶୁ ପକ୍ଷୀଙ୍କ ଠାରୁ ଆରମ୍ଭ କରି ମଣିଷ ଏବେ ପାଣି ସଙ୍କଟର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ବିଳାଶୁଣୀ ପଞ୍ଚାୟତବାସୀ । ଏ ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ପାଣି ସମସ୍ୟା ସମ୍ପର୍କରେ ସେ ନିଆଳି ପଞ୍ଚାୟତ ସମିତିକୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ଏବଂ ପରେ କଟକ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି ତଥାପି ବିଳାଶୁଣୀ ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ହୋଇପାରିନାହିଁ । ସେପଟେ ନିଆଳି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ତାଙ୍କର କୌଣସି ଉତ୍ତର ମିଳିପାରିନାହିଁ । ସେପଟେ କଟକ ଜିଲ୍ଲା ନିଆଳି ବ୍ଳକର ବିଳାଶୁଣୀ ପଞ୍ଚାୟତ ବାସୀଙ୍କୁ ତୁରନ୍ତ ପାନୀୟ ଜଳର ସୁବିଧା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.