ETV Bharat / state

ପାଣ୍ଡିଆନ ମଞ୍ଚରେ ଅବୁଝା ଛାତ୍ରୀ, ମଞ୍ଚ ଉପରୁ ଛାତ୍ରୀଙ୍କୁ ଟାଣି ଟାଣି ଓହ୍ଲାଇଲା ପ୍ରଶାସନ

author img

By ETV Bharat Odisha Team

Published : Feb 27, 2024, 6:34 PM IST

Khordha Nua-o Program: ଖୋର୍ଦ୍ଧା ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ନାକେଦମ କଲେ ଛାତ୍ରୀ । ଶେଷରେ ମଞ୍ଚ ଉପରୁ ଛାତ୍ରୀଙ୍କୁ ଟାଣି ଟାଣି ଓହ୍ଲାଇଲା ପ୍ରଶାସନ । ଅଧିକ ପଢନ୍ତୁ

Khordha Nua-o Program
Khordha Nua-o Program

ପାଣ୍ଡିଆନ ମଞ୍ଚରେ ଅବୁଝା ଛାତ୍ରୀ, ମଞ୍ଚ ଉପରୁ ଛାତ୍ରୀଙ୍କୁ ଟାଣି ଟାଣି ଓହ୍ଲାଇଲା ପ୍ରଶାସନ

ଖୋର୍ଦ୍ଧା: ମଞ୍ଚରେ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରୁଥିଲେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସମସ୍ତ ଛାତ୍ରଛାତ୍ରୀ ସ୍କଲାରସିପ ଗ୍ରହଣ କରି ମଞ୍ଚରୁ ବିଦାୟ ନେଇଥିଲେ । ହେଲେ ଜଣେ ଛାତ୍ରୀ ପାଣ୍ଡିଆନଙ୍କୁ କରିଥିଲେ ନାକେଦମ । ପାଣ୍ଡିଆନଙ୍କ ପଛେ ପଛେ ମଞ୍ଚରେ ବୁଲି କିଛି କହିବାକୁ ଚାହୁଁଥିଲେ । ଏପରି ପ୍ରାୟ ଅଧ ମିନିଟ ଚାଲିବା ପରେ ଶେଷରେ ଛାତ୍ରୀଙ୍କୁ ମଞ୍ଚ ଉପରୁ ଟାଣି ଟାଣି ଓହ୍ଲାଇଲା ପ୍ରଶାସନ । ଆଜି ଖୋର୍ଦ୍ଧାରେ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କରିବା ଅବସରରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ବେଗୁନିଆ ମିନି ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଗୁନିଆ, ବୋଲଗଡ, ଟାଙ୍ଗି, ବାଣପୁର ଓ ଚିଲିକା 5T ବ୍ଲକର ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ଏବଂ ପାଣ୍ଡିଆନଙ୍କଠାରୁ ସିଧାସଳଖ ସ୍କଲାରସିପ ଗ୍ରହଣ କରିବା ସହିତ ଆର୍ଥିକ ରାଶି ଆକାଉଣ୍ଟରେ ପାଇଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମସ୍ତ ମହାବିଦ୍ୟାଳୟର ଜଣେ ଜଣେ ଛାତ୍ରଛାତ୍ରୀଙ୍କୁ ମଞ୍ଚକୁ ପାଣ୍ଡିଆନ ଡାକି ସ୍କଲାରସିପ ଦେଇଥିଲେ । ସ୍କଲାରସିପ ବଣ୍ଟନ ପରେ ପାଣ୍ଡିଆନ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇବା ପରେ ସମସ୍ତ ଛାତ୍ରଛାତ୍ରୀ ମଞ୍ଚ ତଳକୁ ଓହ୍ଲାଇଥିବା ବେଳେ ଜଣେ ଛାତ୍ରୀ ମଞ୍ଚ ଉପରୁ ନ ଓହ୍ଲାଇ ପାଣ୍ଡିଆନଙ୍କୁ କିଛି କହିବା ପାଇଁ ଅନୁରୋଧ କରିଥିଲେ । ଏମିତି ଛାତ୍ରୀ ଜଣକ ଦେଢ ମିନିଟ କାଳ ମଞ୍ଚ ଉପରେ ପଣ୍ଡିଆନଙ୍କ ପଛେ ପଛେ ଯାଇଥିଲେ । ଏଭଳି ସ୍ଥିତିରେ ଏହି ଅବୁଝା ଛାତ୍ରୀ ପାଣ୍ଡିଆନଙ୍କୁ ନାକେଦମ କରିଥିଲେ ।

ଏହା ବି ପଢନ୍ତୁ- ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ'

ଆଉ ଜିଲ୍ଲା ପ୍ରଶାସନ ଆଉ ସୁରକ୍ଷା ଅଧିକାରୀ ତାଙ୍କୁ ମଞ୍ଚ ଉପରୁ ହଟାଇ ମଞ୍ଚ ତଳେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ବୁଝାଇବାରେ ଲାଗି ପଡିଥିଲେ । ବାସ୍ତବରେ ଝିଅ ଜଣକ କଣ କହିବାକୁ ଚାହୁଁଥିଲା ଏବଂ କଣ ପାଇଁ ମଞ୍ଚ ଉପରେ ଏହିଭଳି ପରିସ୍ଥିତି ସୃଷ୍ଟି କଲା ତାହା ଜଣାପଡିନାହିଁ । ସେପଟେ ମିଡିଆ ସାମ୍ନାରୁ ଛାତ୍ରୀ ଜଣକୁ କିଛି କଲେଜ କର୍ମଚାରୀ ସହ ଅଧିକାରୀ ବାରଣ କରି ତରବରିଆ ଭାବେ କେଉଁ ଆଡେ କାର୍ଯ୍ୟକ୍ରମ ସ୍ଥାନରୁ ବାହାରକୁ ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ବେଗୁନିଆ କାର୍ଯ୍ୟକ୍ରମ ସାରି 5T ଅଧ୍ୟକ୍ଷ ଖୋର୍ଦ୍ଧା ହାବେଳି ପଡ଼ିଆରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ବର, ବାଲିଅନ୍ତା ଓ ବାଲିପାଟଣା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିଛନ୍ତି ।

ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରୀଙ୍କୁ ବଡ଼ ଉପହାର ଦେଉଛନ୍ତି ରାଜ୍ୟ ସରକାର । ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଟଙ୍କା ଲେଖାଏଁ ସ୍କଲାରସିପ ପ୍ରଦାନ କରାଯାଇଛି । ଯୋଜନାରୁ ସରକାରୀ କର୍ମଚାରୀଙ୍କ ପିଲା ବାଦ ପଡିଛନ୍ତି । ସେହିପରି ଆୟକରଦାତାଙ୍କ ପିଲା ମଧ୍ୟ ଏ ସ୍କଲାରସିପ ପାଇବେନି ବୋଲି ଜଣାପଡିଛି । ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ମିଳିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ମାଗଣା ୱାଇଫାଇ, ରିଚାର୍ଜ, ଅନଲାଇନ କ୍ଲାସ ଓ ବହି ପତ୍ର କିଣାରେ ରିହାତି ମିଳିବ । ସେହିଭଳି ଛାତ୍ରଛାତ୍ରୀଙ୍କ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ରହିଛି । ଯେଉଁ ଛାତ୍ରଛାତ୍ରୀ ଯେତେ ଅଧିକ ପଏଣ୍ଟ ରହିବ ସେ ଛାତ୍ରଛାତ୍ରୀ ସେତେ ଅଧିକା ସ୍କଲାରସିପ ପାଇବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.