ETV Bharat / state

ମହିଳା ଗୋଷ୍ଠୀଙ୍କ ରାଜନୀତି; ସରକାରୀ କାର୍ଯ୍ୟକ୍ରମକୁ ଯିବାରୁ ଆଦାୟ ହେଲା ଜରିମାନା

author img

By ETV Bharat Odisha Team

Published : Feb 21, 2024, 7:58 AM IST

Tension erupted among SHG members: ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ରାଜନୀତି । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ମହିଳା ଗୋଷ୍ଠୀ ଦି ଭାଗ । ମିଶନ ଶକ୍ତି ଘରେ ପଡ଼ିଲା ତାଲା । ଅଧିକ ପଢ଼ନ୍ତୁ

ମହିଳା ଗୋଷ୍ଠୀଙ୍କ ରାଜନୀତି
ମହିଳା ଗୋଷ୍ଠୀଙ୍କ ରାଜନୀତି

ମହିଳା ଗୋଷ୍ଠୀଙ୍କ ରାଜନୀତି

ନିମାପଡ଼ା: ନିର୍ବାଚନ ପୂର୍ବରୁ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ରାଜନୀତି । ସରକାରୀ କାର୍ଯ୍ୟକ୍ରମକୁ ଯିବାକୁ ବିରୋଧ କରିବା ସହିତ ମହିଳାଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏଭଳି ଘଟଣା ପିପିଲିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଭଳି ଅଭାବନୀୟ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।

ମିଳିଥିବା ସୂଚନା ଅନୁଯାୟୀ, ପିପିଲି ବ୍ଲକ କଣ୍ଟି ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ଘଟଣା ଏତେ ଉଗ୍ର ରୂପ ନେଲା ଯେ ମିଶନ ଶକ୍ତି ଘରେ ତାଲା ପକାଇଲେ ମିଶନ ଶକ୍ତିର ସଭ୍ୟାମାନେ । ଅଭିଯୋଗ ହୋଇଛି ଯେ, ସରକାରଙ୍କ ପକ୍ଷରୁ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର କିଛି ମହିଳାଙ୍କୁ ସାମିଲ ନକରିବା । ଏପରିକି ଯେଉଁମାନେ ସଭାକୁ ଯାଇଥିଲେ, ସେହି ମହିଳାମାନଙ୍କଠାରୁ ଜରିମାନା ଆଦାୟ କରାଯିବା ଘଟଣାକୁ ସହଜରେ ହଜମ କରି ପାରିନଥିଲେ ମହିଳାମାନେ । ଯେଉଁଥିପାଇଁ ମହିଳାଙ୍କୁ ଏଥିରେ ସାମିଲ କରିବାରେ ବାଧକ ସାଜିଥିବା ମିଶନ ଶକ୍ତି ମହିଳା ସମ୍ପାଦିକାଙ୍କୁ ମିଶନ ଶକ୍ତି ଘରେ ତାଲା ପକାଇଥିଲେ ମହିଳାମାନେ ।

ସୂଚନା ଥାଉକି, ଗତ ଫେବୁଆରୀ ୧୭ ତାରିଖରେ କଣ୍ଟି ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶାର ଏକ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାକୁ କଣ୍ଟି ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଆସିବାକୁ କୁହଯାଇଥିଲା । କିନ୍ତୁ ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ କୁଆଡେ ପଞ୍ଚାୟତ ମହାସଙ୍ଘର ସମ୍ପାଦିକା ଅନ୍ୟ ମହିଳା ସ୍ଵୟଂ ସହାୟକା ଗୋଷ୍ଠୀମାନଙ୍କୁ କହିଥିଲେ । କିଛି ସଭ୍ୟ ଯିଏ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସେହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କଠାରୁ ପଞ୍ଚାୟତ ମହାସଂଘର ସମ୍ପାଦିକା 500 ଟଙ୍କା ଲେଖାଏଁ ଫାଇନ ଆଦାୟ କରାଇଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀର ସଦସ୍ୟାମାନେ ।

ଏହା ମଧ୍ୟ ପଢ଼ନ୍ତୁ...ବେଆଇନ ମଦ ବିକ୍ରିକୁ ନେଇ ଧସ୍ତାଧସ୍ତି, ପୋଲିସକୁ ଅଟକ ରଖିଲେ ଏସଏଚଜି ମହିଳା

ଏଭଳି ସରକାରୀ କାର୍ଯ୍ୟକ୍ରମରେ ଏଭଳି ନିନ୍ଦନୀୟ ଘଟଣା ପାଇଁ ପଞ୍ଚାୟତରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଏଭଳି ଘଟଣାକୁ ସରପଞ୍ଚ ନାପସନ୍ଦ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମିଲ କରିବାରେ ପ୍ରତିବନ୍ଧକ ସାଜିଥିବା ନେତ୍ରୀମାନେ ନିଜ ସ୍ଵାର୍ଥ ହାସଲ ପାଇଁ ଏଭଳି ହୀନ ପ୍ରୟାସ କରିଛନ୍ତି ବୋଲି ସେ କହିଛନ୍ତି । ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଥିବା କହିଛନ୍ତି । ଏନେଇ ପିପିଲି ବିଡିଓ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକିୟା ଦେଇନଥିଲେ ମଧ୍ୟ ଏଭଳି ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ମହିଳାଗୋଷ୍ଠୀଙ୍କ ମଧ୍ୟରେ ଦେଖାଦେଇଥିବା ଏଭଳି ବିବାଦ ସମାଧାନ ଦିଗରେ ପ୍ରଶାସନ କେତେ ତତ୍ପରତା ଦେଖାଉଛି, ତାହାକୁ ଅପେକ୍ଷା ।

ଇଟିଭି ଭାରତ, ନିମାପଡ଼ା/ପିପିଲି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.