ETV Bharat / state

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ମାଟ୍ରିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ 2027 ଜଣଙ୍କୁ ପୁରସ୍କାର

author img

By ETV Bharat Odisha Team

Published : Jan 31, 2024, 8:56 PM IST

Mukhyamantri Shikhya Puraskar Award: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ହୋଇଛି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କ ଅବଦାନ ପାଇଁ ମିଳିଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ମାଟ୍ରିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣଙ୍କୁ ପୁରସ୍କାର
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ମାଟ୍ରିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣଙ୍କୁ ପୁରସ୍କାର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ମାଟ୍ରିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣଙ୍କୁ ପୁରସ୍କାର

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ହୋଇଛି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କ ଅବଦାନ ପାଇଁ ମିଳିଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ସମୁଦାୟ ୧୬ଟି ବିଭାଗରେ ୭୫୧୯ ଟି ପୁରସ୍କାର ପ୍ରଦାନ କରାଯାଇଛି । ସମୁଦାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ବ୍ୟକ୍ତିଗତ ପୁରସ୍କାର ବର୍ଗରେ ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ମେଧାବୀ ଛାତ୍ରଛାତ୍ରୀ, ୭୦୦ ଶିକ୍ଷକ ଶିକ୍ଷୟତ୍ରୀ, ୪୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ୧୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର ପାଇଛନ୍ତି ।

ଅଧିକ ପଢନ୍ତୁ- କାଲି ମିଳିବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର', ସମ୍ମାନିତ ହେବେ ୬ ହଜାର ପ୍ରତିଭା

ସେହିପରି ବ୍ୟକ୍ତିଗତ ପୁରସ୍କାର (ପ୍ରାଥମିକ) ବର୍ଗରେ ୩୫୦ ଜଣ ପ୍ରଧାନ ଶିକ୍ଷକ ଓ ୩୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କାର ପାଇଛନ୍ତି । ଆନୁଷ୍ଠାନିକ (ମାଧ୍ୟମିକ) ବର୍ଗରେ ୪ଟି ଜିଲ୍ଲା, ୧୦ଟି ବ୍ଲକ, ୧୦୫୭ଟି ସ୍କୁଲ, ୪୧୯ଟି ବିଦ୍ୟାଳୟ ପରିଚାଳନା କମିଟି, ୪୧୯ଟି ପୁରାତନ ଛାତ୍ର କମିଟି, ୪୧୪ଟି ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଛନ୍ତି । ଆନୁଷ୍ଠାନିକ (ପ୍ରାଥମିକ) ବର୍ଗରେ ୧୩୦୭ଟି ବିଦ୍ୟାଳୟ ପୁରସ୍କାର ପାଇଛନ୍ତି । ଏହା ବ୍ୟତିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବର୍ଗରେ ୩ଟି ଆନୁଷ୍ଠାନିକ ପୁରସ୍କାର ପ୍ରଦାନ କରାଯାଇଛି । ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ସହ ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ସେ କହିଛନ୍ତି ଯେ, କୋଭିଡ ସମୟରୁ ପିଲାଙ୍କ ପାଠପଢାର ଅସୁବିଧାକୁ ଦେଖି ଅନଲାଇନ ଜରିଆରେ ପାଠପଢାର ବ୍ୟବସ୍ଥା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା 5T ହାଇସ୍କୁଲ ରୂପାନ୍ତର । ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର ସ୍କୁଲର ରୂପାନ୍ତର ହୋଇସାରିଛି । ହାଇସ୍କୁଲ ରୂପାନ୍ତର ଟିମ ୱାର୍କର ଅନନ୍ୟ ଉଦାହରଣ । ପୁରାତନ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ପ୍ରଶାସନ ସମସ୍ତେ ଏକ ଟିମ ଭଳି କାମ କରିଛନ୍ତି । ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଓଡିଶା ବିକାଶର ଗୋଟିଏ ଗୋଟିଏ ସ୍ତମ୍ବ । ଆଜିର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପରିବେଶ ସହିତ ଜଡିତ ସମସ୍ତଙ୍କ ଉତ୍ସାହ, ମନୋବଳ ବୃଦ୍ଧି କରିଛି । ପିଲାଙ୍କ ସ୍ବପ୍ନକୁ ଅଧିକ ଉଚ୍ଚ କରିବା ଏବଂ ପୂରଣ କରିବାର ଆତ୍ମବିଶ୍ବାସକୁ ବୃଦ୍ଧି କରିବା ଦିଗରେ ଏହି ପୁରସ୍କାର ସହାୟକ ହେବ ।

ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ଆଜି ସମସ୍ତେ ଜଣେ ଜଣେ ଚମ୍ପିଅନ ହୋଇପାରିଛନ୍ତି । ମାଧ୍ୟମିକ ସ୍କୁଲ ସହିତ ଉଚ୍ଚ ମାଧ୍ୟମିକ ଓ କଲେଜର ମଧ୍ୟ ରୂପାନ୍ତରଣ ଚାଲିଛି । ଖୁବଶୀଘ୍ର ଏହି ଅନୁଷ୍ଠାନ ଗୁଡିକ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ପଞ୍ଚାୟତରାଜ ପାନୀୟ ଜଳ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ ସ୍ବାଗତ ଭାଷଣ ଦେଇଛନ୍ତି । ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.