ETV Bharat / state

ବିଦେଶିନୀଙ୍କୁ ଅସଦାଚରଣ ମାମଲା: ମାସେ ନପୂରୁଣୁ ମିଳିଲା ନ୍ୟାୟ, ଅଭିଯୁକ୍ତ ସେବାୟତକୁ ଜେଲଦଣ୍ଡ

author img

By ETV Bharat Odisha Team

Published : Mar 18, 2024, 9:14 PM IST

Updated : Mar 18, 2024, 9:58 PM IST

Sevayat Sentenced to Jail: ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ମାସେ ଭିତରେ ଅଭିଯୁକ୍ତକୁ ମିଳିଲା ସଜ୍ଜା । ଓଡି଼ଶା ନ୍ୟାୟିକ ଇତିହାସରେ ଦେଖିବାକୁ ମିଳିଲା ବିରଳ ଘଟଣା । ଅଧିକ ପଢନ୍ତୁ

ବିଦେଶିନୀଙ୍କୁ ମିଳିଲା ନ୍ୟାୟ
ବିଦେଶିନୀଙ୍କୁ ମିଳିଲା ନ୍ୟାୟ

ବିଦେଶିନୀଙ୍କୁ ମିଳିଲା ନ୍ୟାୟ

ଭୁବନେଶ୍ବର: ଓଡି଼ଶା ନ୍ୟାୟିକ ଇତିହାସରେ ପ୍ରଥମ ଓ ବିରଳ ଘଟଣା । ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ମାସେ ଭିତରେ ମିଳିଲା ସଜ୍ଜା । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣି କରିଛନ୍ତି । ମାତ୍ର ୨୮ ଦିନରେ ମାମଲାର ବିଚାର କରି ୧୮ ମାସର ସଜ୍ଜା ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ କୁନ୍ଦନ ମହାପାତ୍ରକୁ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଶୁଣାଇଛନ୍ତି ବିଚାରପତି ପାୟଲ ଗୁପ୍ତା । ସୂଚନା ଅନୁସାରେ, ସ୍ଵିଡେନରୁ ଆସିଥିବା ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ପୀଡ଼ିତାଙ୍କୁ ମାସେ ନପୂରୁଣୁ ମିଳିଛି ନ୍ୟାୟ ।

ଅଭିଯୁକ୍ତ ସେବାୟତ କୁନ୍ଦନ ମହାପାତ୍ରକୁ ଝାରପଡ଼ା ଜେଲ ହାଜତକୁ ପଠାଯାଇଛି । ଆଜି (ସୋମବାର) JMFC 1 ରେ ଏହି ମାମଲାରେ ଶେଷ ବିଚାର ପ୍ରକ୍ରିୟା ଚାଲିଥିଲା । ଯାହାକୁ ନେଇ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଯୁକ୍ତି ବାଢିଥିଲେ ସରକାରୀ ଓକିଲ ବିଜୟ କୁମାର ବାରିକ । କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ 7 ଜଣ ପ୍ରତ୍ୟକ୍ଷଦର୍ଶୀ, ସାକ୍ଷ୍ୟ ପ୍ରମାଣ ଓ ୪ଟି ଡକ୍ୟୁମେଣ୍ଟ ଆଧାରରେ ରାୟ ପ୍ରକାଶ ପାଇଛି । ପୂର୍ବରୁ କୋର୍ଟରେ ପୀଡିତା ରଖିଥିବା ବୟାନକୁ ବିଚାରକୁ ନେଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ ।

ସୂଚନା ଅନୁସାରେ, ଗତ ୧୯ ଫେବ୍ରୁଆରୀରେ ସ୍ବିଡେନରୁ ଆସିଥିବା ମହିଳା ଲିଙ୍ଗରାଜ ମନ୍ଦିର ବୁଲିବାକୁ ନିଜ ବନ୍ଧୁଙ୍କ ସହ ଆସିଥିଲେ । ମହିଳା ଜଣଙ୍କ ପ୍ରତ୍ନତତ୍ତ୍ବ ବିଭାଗର ଛାତ୍ରୀ ହୋଇଥିବାରୁ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଥିଲେ । ଏନେଇ ବୁଲାବୁଲି କରିବା ସମୟରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାରରେ ଥିବା ପ୍ଲାଟଫର୍ମ ଉପରେ ଦର୍ଶନ କରୁଥିବାବେଳେ ସେବାୟତ କୁନ୍ଦନ ମହାପାତ୍ର ନିଜକୁ ଗାଇଡ ବୋଲି କହିଥିଲେ । କୁନ୍ଦନ ତାଙ୍କୁ ବିଭିନ‌୍ନ ଐତିହ୍ୟ ସମ୍ପର୍କରେ ବୁଝାଇବାକୁ କହି ତାଙ୍କ ସହ ନେଇଥିଲେ । ପରେ ମନ୍ଦିର ବାହାରେ ବୁଲାଇବା ସମୟରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଐତିହ୍ୟ ସ୍ଥଳୀରେ ବିଦେଶିନୀଙ୍କୁ ଅସମ୍ମାନ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଯାହାକୁ ନେଇ ଅଭିଯୋଗ କରିଥିଲେ ପୀଡ଼ିତା । ଏନେଇ ଲିଙ୍ଗରାଜ ଥାନାରେ ଫେବୃଆରୀ ୧୯ରେ ସେ ଅଭିଯୋଗ କରିଥିଲେ । ଅଭିଯୁକ୍ତ କୁନ୍ଦନ ମହାପାତ୍ରକୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ । ଯେହେତୁ ଜଣେ ବିଦେଶିନୀ ଖରାପ ଅନୁଭୁତି ନେଇ ଫେରିବେ, ତାହାକୁ ନଜରରେ ରଖି ଏହି ଘଟଣାର ତ୍ୱରିତ ନ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଘଟଣା ଘଟିବାର ୪ ଦିନ ଭିତରେ‌ ୨୩ ଫେବୃଆରୀରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ପରେ ୭ ଦିନ ଭିତରେ ୨୬ ତାରିଖରେ ଶୁଣାଣି ଆରମ୍ଭ ହୋଇଥିଲା । ପୀଡିତାଙ୍କ ବୟାନ ସହ ଅଭିଯୁକ୍ତ ବିରୋଧରେ ବଳିଷ୍ଠ ସାକ୍ଷୀ ପ୍ରମାଣ ଆଧାରରେ ତର୍ଜମା ହୋଇଥିଲା । ଅଭିଯୁକ୍ତ ଜଣଙ୍କ ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏପରି ଅସଦାଚରଣ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଏହି ଘଟଣାର ରାୟ ପ୍ରକାଶ କରି ଅଭିଯୁକ୍ତକୁ ୧୮ ମାସ ସଜ୍ଜା ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 18, 2024, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.