ETV Bharat / state

ଐତିହ୍ୟ ସ୍ଥଳୀରେ ବିଦେଶିନୀଙ୍କୁ ଅସମ୍ମାନ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

author img

By ETV Bharat Odisha Team

Published : Feb 21, 2024, 2:27 PM IST

Lingaraj Temple sevayat Arrested: ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବା ଆଳରେ ବିଦେଶିନୀଙ୍କୁ ଖରାପ ବ୍ୟବହାର କରିଥିଲେ ଲିଙ୍ଗରାଜ ମନ୍ଦିର ଯୁବ ସେବାୟତ । ବାନ୍ଧିଲା ପୋଲିସ । ଅଧିକ ପଢ଼ନ୍ତୁ

ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ
ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ । ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବା ଆଳରେ ଖରାପ ବ୍ୟବହାର କରିଥିଲେ ଯୁବ ସେବାୟତ । ଥାନରେ ଦ୍ବାରସ୍ତ ହେଲେ ବିଦେଶିନୀ । ଅଭିଯୁକ୍ତ ସେବାୟତ ଗିରଫ । ସେପଟେ ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ଏବଂ ମନ୍ଦିର କିମ୍ବା ଭୁବନେଶ୍ବର ବଦନାମ ନହୁଏ ସେଥିପ୍ରତି ମନ୍ଦିର ଟ୍ରଷ୍ଟ, ରିପ୍ରେଜେଣ୍ଟେଟିଭ୍, ନିଯୋଗ ଓ ସେବାୟତଙ୍କ ସହ ଆଲୋଚନା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଡିସିପିଙ୍କ ପ୍ରତୀକ ସିଂ କହିବାନୁସାରେ, ଗତ ୧୯ ତାରିଖରେ ଲିଙ୍ଗରାଜ ଥାନାରେ ଜଣେ ବିଦେଶିନୀ ଏକ ଅଭିଯୋଗ କରିଥିଲେ । ସ୍ବିଡେନରୁ ଆସିଥିବା ଜଣେ ବିଦେଶିନୀ ମହିଳା ଲିଙ୍ଗରାଜ ମନ୍ଦିର ବୁଲିବାକୁ ଯିବା ସମୟରେ ତାଙ୍କ ସହ ଜଣେ ସେବାୟତ ଅସଦାଚରଣ କରିଥିଲେ । ବିଦେଶିନୀଙ୍କ ଅଭିଯୋଗ ପରେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ବିଦେଶିନୀଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିଥିଲା । ପରେ ଘଟଣାକ୍ରମକୁ ରେକର୍ଡ କରିବା ପରେ ତର୍ଜମା କରି ବିଦେଶିନୀଙ୍କୁ କାଉନସେଲିଂ ପରେ ସେବାୟତଙ୍କୁ ଅଟକ ରଖାଯାଇଥିଲା । ପରେ ଲିଙ୍ଗରାଜ ଥାନା ଅଭିଯୁକ୍ତ ସେବାୟତକୁ ଗିରଫ କରିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବର୍ତ୍ତମାନ ପୋଲିସ ଆଲର୍ଟ ରହିଛି । ପର୍ଯଟକ ଯେପରି ସୁରକ୍ଷିତ ଓ ନିରାପଦ ଅନୁଭବ କରିବେ ସେ ନେଇ ଭୁବନେଶ୍ୱର ପୋଲିସ ପ୍ରୟାସ ଜାରି ରଖଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

ସୂଚନା ଯୋଗ୍ୟ, ବୁଲାବୁଲି କରିବା ପାଇଁ ବିଦେଶିନୀ ଜଣକ ଭୁବନେଶ୍ବରରେ ରହୁଥିବା ଜଣେ ବନ୍ଧୁଙ୍କ ପାଖକୁ ଆସିଥିଲେ । ବିଦେଶିନୀ ଜଣଙ୍କ ଆର୍କିଓଲୋଜିର ଛାତ୍ରୀ ହୋଇଥିବାରୁ ଲିଙ୍ଗରାଜ ମନ୍ଦିର ଐତିହ୍ୟ ବିଷୟରେ ଜାଣିବା ପାଇଁ ମନ୍ଦିର ଯାଇଥିଲା । ସେଠାରେ ଉତ୍ତର ଦ୍ବାରରେ ଥିବା ପ୍ଲାଟଫର୍ମ ଉପରେ ଦର୍ଶନ କରୁଥିଲେ । ଏହି ସମୟରେ କୁନ୍ଦନ ମହାପାତ୍ର ନାମକ ଜଣେ ବ୍ୟକ୍ତି ନିଜକୁ ଗାଇଡ ଓ ସେବାୟତ କହିବା ସହ ତାଙ୍କୁ ବିଭିନ‌୍ନ ଐତିହ୍ୟ ସମ୍ପର୍କରେ ବୁଝାଇବା କହି ତାଙ୍କ ସହ ଅସଦାଚରଣ କରିଥିଲେ । ଯାହାକୁ ନେଇ ବିଦେଶିନୀ ଜଣଙ୍କ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ଏଏସଆଇ ଅସଦାଚରଣ କରି ବନ୍ଧା ହେଲେ ବିଜେପି କର୍ପୋରେଟର

ସେପଟେ ପୋଲିସ ଧାରା ୩୫୪ରେ ଅସଦାଚରଣ ଓ ୩୫୪-Aରେ ଅଶ୍ଳୀଳ ଅସଦାଚରଣ କରିବା ମାମଲା ଲଗାଇ ସେବାୟତ ଜଣକୁ ଗିରଫ କରିଛି । ଏନେଇ ପୁର୍ବରୁ ମଧ୍ୟ ଏପରି ପର୍ଯ୍ୟଟକଙ୍କ ଅସଦାଚାରଣ ମାମଲାରେ ଅଭିଯୁକ୍ତ ଜଣଙ୍କ ଗିରଫ ହୋଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଜଣଙ୍କ ଗିରଫ ପରେ ଯେପରି ପୁଣିଥରେ ଏଭଳି ଘଟଣା ନଘଟେ ଏବଂ ବିଦେଶିନୀ ଓ‌ ବିଦେଶୀ ପର୍ଯଟକ ଯେପରି ଖରାପ ଅନୁଭୂତି ନେଇ ନଫେରନ୍ତୁ ସେଥିପ୍ରତି କଠୋର‌ ହେବାକୁ ପୋଲିସ ଆଗଭର ହୋଇଛି । ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିବା ପାଇଁ ପ୍ରସ୍ତୁତ ହେଉଛି ପୋଲିସ । ଏଥିପାଇଁ ମନ୍ଦିର‌ କର୍ତ୍ତୃପକ୍ଷ ଓ ନିଯୋଗ ସହ ଆଲୋଚନା‌ ପରେ ପୋଲିସ ପଦକ୍ଷେପ ନେବାକୁ ପ୍ରୟାସ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.