ETV Bharat / state

ସରପଞ୍ଚଙ୍କ ନବୀନ ନିବାସ ଘେରାଓ, ସରପଞ୍ଚ ଓ ପୋଲିସ ମୁହାଁମୁହିଁ

author img

By ETV Bharat Odisha Team

Published : Mar 11, 2024, 9:55 PM IST

Sarpanch Protest:ଆଜି ସରପଞ୍ଚ ମହାସଂଘ ନବୀନ ନିବାସ ଘେରାଓ କରିବା ପାଇଁ ଯାଉଥିବା ବେଳେ ସୁରକ୍ଷା କର୍ମୀ ଏବଂ ସରପଞ୍ଚଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୫ ଦଫା ଦାବିରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଅଧିକ ପଢନ୍ତୁ

ସରପଞ୍ଚଙ୍କ ନବୀନ ନିବାସ ଘେରାଓ , ସରପଞ୍ଚ ଓ ପୋଲିସ ମୁହାଁମୁହିଁ
ସରପଞ୍ଚଙ୍କ ନବୀନ ନିବାସ ଘେରାଓ , ସରପଞ୍ଚ ଓ ପୋଲିସ ମୁହାଁମୁହିଁ

ସରପଞ୍ଚଙ୍କ ନବୀନ ନିବାସ ଘେରାଓ , ସରପଞ୍ଚ ଓ ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ଅନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ସରପଞ୍ଚ ମହାସଂଘ । ୧୫ ଦଫା ଦାବିରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ସରପଞ୍ଚ । ଏହା ସହ ନବୀନ ନିବାସ ଘେରାଓ କରିବା ପାଇଁ ରାଜଧାନୀରେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଥିଲା ସରପଞ୍ଚ ମହାସଂଘ । ରାଜ୍ୟର ଶହ ଶହ ସରପଞ୍ଚ ସରକାର ବିରୋଧୀ ନାରାବାଜି ଦେଇ ନବୀନ ନିବାସ ଆଡକୁ ମାଡ଼ି ଚାଲିଥିଲେ । ରାଜମହଲ ଛକରୁ ବିରାଟ ପଟୁଆରରେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସେହିପରି ଶିଶୁ ଭବନ ଛକରେ ଆନ୍ଦୋଳନକାରୀଙ୍କ ହଲ୍ଲାବୋଲ କରିଥିବା ବେଳେ ସରକାର ବିରୋଧୀ ନାରାରେ କମ୍ପିଥିଲା ରାଜଧାନୀର ରାସ୍ତା । ସରପଞ୍ଚଙ୍କ ଆନ୍ଦୋଳନ ଓ ଧାରଣାକୁ ନେଇ ଶିଶୁଭବନ ଛକରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ନବୀନ ନିବାସ ଘେରାଓ ପାଇଁ ଯାଉଥିବା ବେଳେ ଶିଶୁ ଭବନ ଛକରେ ସରପଞ୍ଚଙ୍କୁ ଅଟକାଇ ଥିଲା ପୋଲିସ । ପରେ ସରପଞ୍ଚ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ କିଛି ସରପଞ୍ଚଙ୍କୁ ଉଠାଇ ନେଇଥିଲା ପୋଲିସ । ଏହା ସତ୍ତ୍ବେ ବି ସେମାନେ ନିଜ ଦାବିରେ ଅଟଳ ରହିଥିଲେ ।

ସେପଟେ ଅନ୍ଦୋଳନକାରୀ ସରପଞ୍ଚମାନେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ନ ହୋଇଛି । ସେ ପର୍ଯ୍ୟନ୍ତ ସରପଞ୍ଚ ବିରୋଧୀ ସରକାରଙ୍କ ବିରୋଧରେ ଉନ୍ଦୋଳନ ଜାରି ରହିବ । କାରଣ ପୂର୍ବ ଆନ୍ଦୋଳନକୁ ନେଇ ସରପଞ୍ଚଙ୍କ ଦାବିକୁ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ । ହେଲେ ତାହା ପୂରଣ ହୋଇ ନଥିଲା । ରାଜ୍ୟରେ ଏକ ଗୁଣ୍ଡାରାଜ ସରକାର ଚାଲିଛି । ଏହି ସରକାର ଆମ ପ୍ରତି କରିଥିବା ପ୍ରତାରଣାର ଉଚିତ ଜବାବ ଦିଆଯିବ । ଅବଶ୍ୟକ ପଡିଲେ ଏହି ସରକାରଙ୍କୁ ବର୍ଜନ କରିବା ସହ ଶୀର୍ଷ ନେତା ଓ ମନ୍ତ୍ରୀଙ୍କୁ ଗାଁରେ ପୁରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛି ସରପଞ୍ଚ ମହାସଂଘ ।

ଏହା ମଧ୍ୟ ପଢନ୍ତୁ ....ରାଜଧାନୀରେ ସୈନିକ ପ୍ରତିବାଦ ସମାବେଶ, ୧୦ ଦଫା ଦାବି ନେଇ ଆନ୍ଦୋଳନ



ତେବେ ସେମାନଙ୍କର ଦାବି ଅନୁସାରେ ପଞ୍ଚାୟତ ଓ ଗ୍ରାମରେ ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ହେଉଥିବାରୁ ସେମାନେ ତାଙ୍କ କ୍ଷମତାରୁ ବଞ୍ଚିତ ହେଉଛନ୍ତି । ପଞ୍ଚାୟତରେ ଅଫିସରଙ୍କ ରାଜ ଓ ହସ୍ତକ୍ଷେପକୁ ବିରୋଧ କରି ଓଡ଼ିଶାର ସରପଞ୍ଚମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ପଞ୍ଚାୟତିରାଜ ବିଭାଗରେ ମୁଖ୍ୟତଃ ବ୍ଲକ୍ ଉନ୍ନୟନ ଅଧିକାରୀ ବା ବିଡିଓ କାମ କରନ୍ତି, ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଅଧିକାରୀଙ୍କୁ ପ୍ରତି କାମରେ ସରପଞ୍ଚମାନେ ଅନୁମତି ନେବା ଆବଶ୍ୟକ ବୋଲି କୁହାଯାଇଛି । ଏହାପରେ ବି ସେମାନେ ତାଙ୍କର କାର୍ଯ୍ୟ କରୁନାହାନ୍ତି ଯେଉଁଥି ପାଇଁ ବିବାଦ ସୃଷ୍ଟି ହୋଇଛି । ବ୍ଲକରେ ଥିବା ବିଡିଓ ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି ।

ସେହିପରି ସରପଞ୍ଚଙ୍କୁ ମାସକୁ ମାତ୍ର ୨୩୫୦ ଟଙ୍କା ମିଳୁଥିବା ବେଳେ ଅନ୍ୟ ଜନ ପ୍ରତିନିଧିଙ୍କୁ ଭତ୍ତା ବାବଦକୁ ମିଳୁଛି ଲକ୍ଷାଧିକ ଟଙ୍କା । ଯେଉଁଠି ସରପଞ୍ଚମାନେ ଉପେକ୍ଷିତ ହେଉଛନ୍ତି । ତେଣୁ ମାସିକ ୩୦ ହଜାର ଟଙ୍କା ଭତ୍ତା, ସ୍ୱାସ୍ଥ୍ୟବୀମା, ପ୍ରାକୃତିକ ବିପର୍ୟ୍ୟୟ ପାଇଁ ସରପଞ୍ଚ ପାଣ୍ଠିକୁ ବୃଦ୍ଧି କରିବା ପାଇଁ ଦାବି କରିଛି ସଂଘ । ଏହାସହ ସରପଞ୍ଚଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରାଯାଇଛି । ପଞ୍ଚାୟତର ପ୍ରତ୍ୟେକ ଉନ୍ନୟନ ମୂଳକ କାମ ପାଇଁ ବିଡିଓଙ୍କ ଦସ୍ତଖତ ବାଧ୍ୟତା ମୂଳକ କରାଯାଇଛି । ତେଣୁ ସରପଞ୍ଚମାନେ ସେମାନଙ୍କ ପୂର୍ବ ଅଧିକାର ଦାବି କରୁଛନ୍ତି । ସେପଟେ ଏହି ଆନ୍ଦୋଳନ ଯୋଗୁଁ ଶିଶୁ ଭବନ ଛକଠାରେ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲାଗିଥିଲା । ୩୦ମିନଟରୁ ଅଧିକ ସମୟ ଧରି ଯାତାୟାତ ଠପ ହୋଇଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.