ETV Bharat / state

ରାମମୟ ଭଦ୍ରକ, 100ରୁ ଊର୍ଦ୍ଧ୍ବ ସୁସଜ୍ଜିତ ମେଢର ନଗର ପରିକ୍ରମା - Ram Navami 2024

author img

By ETV Bharat Odisha Team

Published : Apr 17, 2024, 10:43 PM IST

Ram Navami 2024: ଭାଇଚାରାର ସହର ଭଦ୍ରକରେ ରାମନବମୀ ପାଳନ । ଜାତି, ଧର୍ମ, ନିର୍ବିଶେଷରେ ଏକାଠି ହୋଇ ସହରବାସୀ ବେଶ ମିଳିମିଶି କରୁଛନ୍ତି ରାମନବମୀ ଶୋଭାଯାତ୍ରା । ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

Ram Navami 2024
Ram Navami 2024

Ram Navami 2024

ଭଦ୍ରକ: ରାମନବମୀ ଅବସରରେ ଭାଇଚାରାର ସହର ଭଦ୍ରକ ଆଜି(ବୁଧବାର) ଉତ୍ସବମୁଖର ହୋଇଉଠିଛି । ଜାତି, ଧର୍ମ, ନିର୍ବିଶେଷରେ ଏକାଠି ହୋଇ ସହରବାସୀ ବେଶ ଧୁମଧାମରେ ପାଳନ କରିଛନ୍ତି ରାମନବମୀ । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବର ଆଜି ଶେଷ ଦିନ । ଏହି ଅବସରରେ ବିଶାଳ ନଗର ସଙ୍କୀର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରେ ଏକ ଗଣପର୍ବରେ ପରିଣତ ହୋଇଛି ରାମନବମୀ ପୂଜା ଉତ୍ସବ । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ପ୍ରଥମେ ମହିଳାମାନେ ସାଳନ୍ଦୀ ନଦୀରୁ ଜଳ ଆଣି ଗାନ୍ଧୀ ପଡିଆରେ ଘଟ ସ୍ଥାପନ କରନ୍ତି । ପରେ ଆରମ୍ଭ ହୁଏ ଅଖଣ୍ଡ ମହାଯଜ୍ଞ । ଏହାସହ ରାମନବମୀ ଦିନ ପୂର୍ଣ୍ଣାହୁତି ହୁଏ । ଏହାପରେ ଆରମ୍ଭ ହୁଏ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରା । ଏହି କ୍ରମରେ ଆଜି (ବୁଧବାର) ନେହେରୁ ଷ୍ଟାଡିୟମରୁ ନଗର ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରୁ 100ରୁ ଊର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାମ ନାମରେ ଗୁଞ୍ଜରିତ ଗଗନ ପବନ, ସବୁଠାରେ ଭକ୍ତିମୟ ପରିବେଶ - Ram Navami

ଏହି ନଗର ସଙ୍କୀର୍ତ୍ତନ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ଭାଇଚାରାର ମାହୋଲ ସୃଷ୍ଟି କରିଥାଏ । ନଗର ସଙ୍କୀର୍ତ୍ତନ ନେହେରୁ ଷ୍ଟାଡିୟମରୁ ବାହାରି କଚେରୀ ବଜାର, ରାଜଘାଟ, କୁଆଁସ, ଚନ୍ଦନ ବଜାର, ଶଙ୍କରପୁର, ଲାହାପଟି, ନଙ୍ଗା ମହଲା, ସନ୍ଥିଆ ଏବଂ ବଙ୍କସାହି ହୋଇ ଗାନ୍ଧୀ ପଡିଆରେ ପହଞ୍ଚିଥାଏ । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଶୋଭାଯାତ୍ରାରେ ଲକ୍ଷାଧିକ ରାମ ଭକ୍ତ ସାମିଲ ହୋଇଛନ୍ତି ।

ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପିତ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ 37 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି । ଏହି ସିସିଟିଭି କ୍ୟାମେରା ମାଧ୍ୟମରେ ନିର୍ଦ୍ଧାରିତ କଣ୍ଟ୍ରୋଲ ରୁମରେ ନଗର ସଂକୀର୍ତ୍ତନ ଉପରେ କଡା ନଜର ରଖାଯିବା ଵ୍ୟବସ୍ଥା କରାଯାଇଛି ।

ଅଧିକ ସୁରକ୍ଷା ଦୃଷ୍ଟିରୁ ନଗର ସଂକୀର୍ତ୍ତନ ସମୟରେ ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ସବୁ ଟିକିନିଖି ସ୍ଥିତ ଉପରେ ପୋଲିସ ନଜର ରଖିଛି । ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ କଡା ନଜର ରଖିଛି ପୋଲିସ । ସୁଚାରୁରୁପେ ସମ୍ପାଦନ ପାଇଁ 37 ପ୍ଲାଟୁନ ପୋଲିସ ଫୋର୍ସ ସହ 4 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 20 ଜଣ ଡିଏସପି, 29 ଜଣ ଇନ୍ସପେକ୍ଟର, 140 ଜଣ ଏସଆଇ ଏବଂ ଏଏସଆଇ, 150 ଜଣ କନେଷ୍ଟବଳ ଏବଂ ହୋମଗାର୍ଡ, ଏକ କମ୍ପାନୀ BSF ଏବଂ ଏକ କମ୍ପାନୀ CRPF ଯବାନମାନଙ୍କୁ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.