ETV Bharat / state

ଶାନ୍ତି ଶୃଙ୍ଖଳାର ସହ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Mar 5, 2024, 10:27 AM IST

Maha Shivratri At Lingaraj Temple: ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ପାଇଁ ଗୌରୀ ମଣ୍ଡପରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଅଧିକ ପଢ଼ନ୍ତୁ

ଲିଙ୍ଗରାଜଙ୍କ ଜାଗର ଯାତ୍ରା
ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଭୁବନେଶ୍ବର: ଆଗକୁ ଆସୁଛି ଜାଗର ଯାତ୍ରା । ଚଳଚଞ୍ଚଳ ହେଲାଣି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ତେବେ ଜାଗରରେ ମନ୍ଦିର ପରିସରରେ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାର ସହ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ପାଇଁ ଗୌରୀ ମଣ୍ଡପରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଆଇନ ଶୃଙ୍ଖଳା ସହ ଶୃଙ୍ଖଳିତ ନୀତି ସମ୍ପର୍ଣ୍ଣ କରିବାକୁ ନେଇ ବୈଠକରେ ଆଲୋଚନା କରାଯାଇଛି ।

ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରିକୁ ସୁରୁଖୁରୁରେ ପାଳନ କରିବା ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ପୋଲିସ କମିଶନରଙ୍କ ନେତୃତ୍ବରେ ଭୁବନେଶ୍ୱର ଏଡିଏମ୍‌ଙ୍କ ସହ ଜଟଣୀ ବିଧାୟକ ସୁର ରାଉତରାୟ ଓ ସମୀର ମହାନ୍ତିଙ୍କ ଓ ଭୁବନେଶ୍ୱର ଡିସିପି ମିଶି ସମସ୍ତ ସେବାୟତ ଓ ଅନ୍ୟାନ୍ୟ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ବିଶେଷ କରି ଠିକ ସମୟରେ ମହାଦୀପ ଉଠିବା ସହ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ସହ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଏବଂ ସୁରକ୍ଷିତ ଭାବରେ କିପରି ଜାଗର ପାଳନ ହେବ ସେନେଇ ଆଲେଚନା ହୋଇଛି ।

ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଭକ୍ତମାନେ କିଭଳି ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ସମୟରେ ଦର୍ଶନ କରିବେ ସେଥିପାଇଁ ସବୁ ନିଯୋଗର ସହଯୋଗ କାମନା କରୁଛୁ । ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା । ଏହି ସମୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡର କଡ଼ା ନଜର ରହିବ । କିଭଳି ଶୃଙ୍ଖଳାର ସହ ମହାଦୀପ ଉଠିବ ଓ ଭକ୍ତମାନେ ଭଲରେ ଦର୍ଶନ କରିବେ ତାକୁ ପ୍ରାଥମିକତା ଦିଆଯାଇଛି ।"

ସେପଟେ ଲିଙ୍ଗରାଜଙ୍କ ସେବାୟତଙ୍କ ପକ୍ଷରୁ ଜାଗର ଯାତ୍ରା ପ୍ରସ୍ତୁତି ସମୟରେ ଦିଆଯାଉଥିବା ପ୍ରତିଶୃତି ପାଳନ ହେଉନି । ତେଣୁ ଏ ଦିଗରେ ଧ୍ୟାନ ଦେବାକୁ ବୈଠକରେ କୁହାଯାଇଛି । ଏହାସହ ପାସ ଧାରିଙ୍କ ଏଣ୍ଟ୍ରି ପାଇଁ ଏକ ଗେଟ ହେଉ । ଦକ୍ଷିଣ ଦ୍ବାର ଦେଇ ଭିଆଇପି ପାସ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଯାଉ । ନଚେତ କିଛି ବିକଳ୍ପ ବ୍ୟବସ୍ଥା କରାଯାଉ । ପାସ୍ ବଣ୍ଟନ ଉପରେ ଧ୍ୟାନ‌ ଦିଆଯାଇ ନକଲି ପାସ ନେଇ ଅନ୍ୟକୁ ପୁରାଇବା ଉପରେ କଟକଣା ଲାଗୁ ହେଉ । ଭକ୍ତଙ୍କ ଠାକୁର ଦର୍ଶନ ଯେପରି ସୁରୁଖୁରୁରେ ହେବ ଓ ଦର୍ଶନ କରିବାକୁ ଆସିଥିବା ଲୋକଙ୍କ ପାଇଁ ଧାଡ଼ିର ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଯେପରି ଲୋକଙ୍କ ଗହଳିରେ ମୋବାଇଲ ଚୋରି ନହେବ ଏଥିପାଇଁ ସିସିଟିଭି ଲଗାଯାଉ ବୋଲି ସେବାୟତମାନେ ବୈଠକରେ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲିଙ୍ଗରାଜଙ୍କ ଜାଗରଯାତ୍ରା ପ୍ରସ୍ତୁତି, ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ

ଏହାସହ ଡାକବାଜି ଯନ୍ତ୍ରରେ ଗହଳିରେ ହଜିଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ଦିଆଯାଉ, ଯେପରି ଲୋକେ ନିଜ ଲୋକଙ୍କୁ ନପାଇ ବ୍ୟସ୍ତ ବିବ୍ରତ ନହୁଅନ୍ତୁ । ଗର୍ଭଗୃହ ସଫା କରିବା ଉପରେ ଧ୍ୟାନ ଦିଆଯାଉ । ଜାଗର ପରେ ସଫେଇ ଉପରେ ଧ୍ୟାନ ଦିଆଯାଉ । ମହାଦୀପ ଛୁଇଁବାକୁ ଆଗ୍ରହୀ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରାଯାଉ । ପୋଲିସର ଦୁର୍ବ୍ୟବହାର ପ୍ରତି ଧ୍ୟାନ ଦିଆଯାଉ । ଟ୍ରାଫିକର ବ୍ୟବସ୍ଥା ସୁଚାରୁ ରୂପେ କରିବା ସହ ମ୍ୟୁନିସିପାଲିଟିର ସହଯୋଗରେ ରାସ୍ତା ଘାଟ ସହ ବିଦ୍ୟୁତ ବିଭାଗ ସହ ମିଶି ଆଲୋକିକରଣ ଉପରେ ଧ୍ୟାନ ଦିଆଯାଉ ବୋଲି ସେବାୟତମାନେ ବୈଠକରେ ଜଣାଇଛନ୍ତି । ଏନେଇ ପୋଲିସ ସୁରକ୍ଷା ଆଦି ଦିଗରେ ପରବର୍ତ୍ତୀ ବୈଠକରେ ପ୍ରସ୍ତୁତି କରାଯିବ । ଏହି ବୈଠକରେ ସମତା ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଆଦି ସମସ୍ତ ସେବାୟତ ବୈଠକରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.