ETV Bharat / state

ଲିଙ୍ଗରାଜଙ୍କ ଜାଗରଯାତ୍ରା ପ୍ରସ୍ତୁତି, ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Mar 3, 2024, 10:44 AM IST

Maha Shivratri At Lingaraj Temple: ଜାଗର ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ଜାଗରଯାତ୍ରା
ଜାଗରଯାତ୍ରା

ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଭୁବନେଶ୍ବରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଜାଗର ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ବସିଛି ପ୍ରସ୍ତୁତି ବୈଠକ । ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଛି ପ୍ରସ୍ତୁତି ବୈଠକ । ଏହି ବୈଠକରେ ପୂଜା ସମ୍ବନ୍ଧୀୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଆଲଚନା ସହ ଭୋର ୩ଟାରୁ ମନ୍ଦିର ଖୋଲାଯାଇ ରାତି ୧୦ରେ ମହାଦୀପ ଉଠିବା ନେଇ ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିବା ବେଳେ ସେହି ମୁତାବିକ ସମସ୍ତ ସେବାୟତଙ୍କୁ ସମନ୍ୱୟ ରଖି ଜାଗର ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ବାବା ଲିଙ୍ଗରାଜଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ତେଣୁ ଉପସ୍ଥିତ ସେବାୟତ ସବୁ ମାନଅଭିମାନ ଭୁଲି ଜାଗର ଯାତ୍ରାରେ ଯୋଗଦେବେ ବୋଲି ସହମତି ପ୍ରକାଶ କରିଛନ୍ତି ।

ତେବେ ଜାଗର ଅବସରରେ ମନ୍ଦିରର ଅନ୍ତଃଗୃହ, ବେଢ଼ା ପରିଷ୍କାର ପରିଚ୍ଛନ୍ନତା, ପାଦୁକା ନାଳ ସଫା, ଆଲୋକିକରଣ, ବ୍ୟାରିକେଡିଂ, ଟ୍ରାଫିକ୍‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ମୁତୟନ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇ ତଦନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଶାନ୍ତିଶୃଙ୍ଖଳାର ସହ ଜାଗର ଯାତ୍ରା ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଭୁ ଲୋକନାଥ ଦେବଙ୍କ ଜାଗର ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ

ସେହିପରି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏହି ବୈଠକରେ ଯୋଗଦେଇ ପୂର୍ବବର୍ଷ ଭଳି ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଜାଗର ଯାତ୍ରା ସମୟରେ ବିଭିନ୍ନ ସେବା ପ୍ରଦାନ ପାଇଁ ନିୟୋଜିତ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରାଯିବା ସହ ସେମାନଙ୍କ ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ । ତେବେ ଏହି ବୈଠକରେ ବଡୁ ନିଯୋଗ ବ୍ୟତୀତ ଅନ୍ୟ ନିଯୋଗର ସେବାୟତ, ମନ୍ଦିର ପ୍ରଶାସନ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ବିଏମ୍‌ସିର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.