ETV Bharat / state

କୁନି ଝିଅ ହାତରୁ ଫଟୋଚିତ୍ର ନେଲେ ପ୍ରଧାନମନ୍ତ୍ରୀ, ଖୁସିରେ ମାଗଣା ଚା' ବାଣ୍ଟିଲେ ପ୍ରଶଂସକ - PM Modi Puri visit

author img

By ETV Bharat Odisha Team

Published : May 20, 2024, 3:11 PM IST

PM Modi receives painting from little girl: ପୁରୀ ଗସ୍ତ ସମୟରେ ପୁଣିଥରେ ଦେଖିବାକୁ ମିଳିଛି କୁନି କୁନି ଛୁଆଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର । ଭିଡ ଭିତରେ କୁନି ଝିଅ ହାତରୁ ଫଟୋଚିତ୍ର ନେଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

କୁନି ଝିଅ ହାତରୁ ଫଟୋଚିତ୍ର ନେଲେ ପ୍ରଧାନମନ୍ତ୍ରୀ, ଖୁସିରେ ମାଗଣା ଚା' ବାଣ୍ଟିଲେ ପ୍ରଶଂସକ
କୁନି ଝିଅ ହାତରୁ ଫଟୋଚିତ୍ର ନେଲେ ପ୍ରଧାନମନ୍ତ୍ରୀ, ଖୁସିରେ ମାଗଣା ଚା' ବାଣ୍ଟିଲେ ପ୍ରଶଂସକ (ETV Bharat Odisha)

କୁନି ଝିଅ ହାତରୁ ଫଟୋଚିତ୍ର ନେଲେ ପ୍ରଧାନମନ୍ତ୍ରୀ, ଖୁସିରେ ମାଗଣା ଚା' ବାଣ୍ଟିଲେ ପ୍ରଶଂସକ (EV Bharat Odisha)

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଶାଳ ରୋଡ଼ ସୋ' କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଝଲକ ଟିକିଏ ପାଇବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ଓ ବଡଦାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଭିଡ ଭିତରେ ଥିବା ଜଣେ କୁନି ଝିଅ ହାତରୁ ସେ ତିଆରି କରିଥିବା ଏକ ସୁନ୍ଦର ଫଟୋଚିତ୍ରକୁ ପ୍ରଧାନମନ୍ତ୍ରୀ ମୋଦି ଉପହାର ଭାବେ ଗ୍ରହଣ କରିଥିଲେ । ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଛୋଟ ପିଲାଙ୍କୁ କିଭଳି ଭଲ ପାଆନ୍ତି ତାହା ପୁଣି ପ୍ରମାଣିତ ହୋଇଛି ।

ପୁରୀ ବାସିନ୍ଦା ରଶ୍ମିରେଖା ଦାସ ତାଙ୍କ ଝିଅ ପ୍ରସ୍ତୁତ କରିଥିବା ଏକ ଜଗନ୍ନାଥଙ୍କ ଏକ ଫଟୋଚିତ୍ର ଧରି ଠିଆ ହୋଇଥିଲେ । ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ କୁନି ଝିଅ ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ପଡ଼ିଥିଲା । ସେ ସଙ୍ଗେ ସଙ୍ଗେ ଏସପିଜିକୁ ନିର୍ଦ୍ଦେଶ ଦେଇଥିଲେ କୁନି ଝିଅ ଓ ତାଙ୍କ ମାଆ ରଶ୍ମି ଦାସ ମହାପାତ୍ରଙ୍କୁ ପାଖକୁ ଆଣିବାକୁ । ସ୍ନାନବେଦୀରେ ମହାପ୍ରଭୁ ବସିଥିବା ଫୋଟୋ ଚିତ୍ର ଦେଖି ପ୍ରଧାନମନ୍ତ୍ରୀ ମୋଦି ଖୁସି ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଚିତ୍ରଟିକୁ ଗ୍ରହଣ କରିବା ସହ କୁନି ଝିଅକୁ ଭଲ ମଣିଷ ହୋଇ ଦେଶର ନାଁ ରଖିବାକୁ କହିଥିଲେ ଏବଂ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ', ଜନସମୁଦ୍ର ପାଲଟିଲା ବଡଦାଣ୍ଡ - PM Modi Roadshow


ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ତାଙ୍କର ଅନେକ ପ୍ରଶଂସକ ଭିନ ଭିନ୍ନ ଢଙ୍ଗରେ ସ୍ଵାଗତ ଜଣାଇଥିଲେ । ଏହି ସମୟରେ ମୋଦିଙ୍କ ଜଣେ ବଡ ପ୍ରଶଂସକ ଭାବେ ଜଣାଶୁଣା ସହରର ଚା' ଦୋକାନୀ ଅକ୍ଷୟ ଜୟସିଂହ ଲୋକଙ୍କୁ ମାଗଣାରେ ୩ ହଜାର କପ ଚା' ବଣ୍ଟନ କରିଥିଲେ । ଅକ୍ଷୟ ତାଙ୍କ ଚା' ଦୋକାନ ଆଗରେ ପ୍ରଧାନମନ୍ତ୍ରୀଙ୍କ ଏକ ବଡ ତୋରଣ ଲଗାଇ ସ୍ଵାଗତ କରିଥିଲେ । ଏନେଇ ଅକ୍ଷୟ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଅନୁଗାମୀ । ତାଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରନ୍ତି । ମୋଦିଙ୍କ ଯୋଗୁଁ ଭାରତର ସମ୍ମାନ, ଗୌରବ ବଢ଼ିଛି । ତାଙ୍କ ଭଳି ଜଣେ ପରିଶ୍ରମୀ, ସଚ୍ଚୋଟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ଉଚିତ୍ । ତାଙ୍କ ଶାସନ କାଳରେ ଭାରତର ବହୁ ଉନ୍ନତି ହୋଇଛି । ଆମେ ତାଙ୍କୁ ସମର୍ଥନ ଦେବା ଉଚିତ୍ । ସେ ଆହୁରି ଭଲ କାର୍ଯ୍ୟ କରନ୍ତୁ । ଏହା ପୂର୍ବରୁ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ଏବଂ ତାଙ୍କର ଜନ୍ମଦିନରେ ମଧ୍ୟ ଅକ୍ଷୟ ମାଗଣାରେ ଚା, ମିଠା ବଣ୍ଟନ କରିଥିଲେ । ଏଣୁ ଅକ୍ଷୟଙ୍କୁ ପୁରୀରେ ମୋଦିଙ୍କ ବଡ ପ୍ରଶଂସକ ବୋଲି କୁହାଯାଏ ।

ଆଜି ପୁରୀ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ଅନୁଗୋଳରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ବାଳକ ଶାରୀରିକ ଅକ୍ଷମତା ସତ୍ତ୍ବେ ହ୍ୱିଲଚେୟାରରେ ବସି ମୋଦିଙ୍କ ସଭାକୁ ଆସିଥିଲେ । ଏହି ଯୁବକ ହେଲେ ଅନୁଗୋଳର ଅଂଶୁମାନ ମହାପାତ୍ର । ପ୍ରଧାନମନ୍ତ୍ରୀ ଅଂଶୁମାନଙ୍କ ଫଟୋକୁ ନିଜର ସୋସିଆଲ ମିଡିଆରେ ସେୟାର କରି ଭାବବିହ୍ବଳ ପୋଷ୍ଟ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.