ETV Bharat / state

ଜଟଣୀରେ ଜମିଲାଣି ରଙ୍ଗ ବେପାର, ହର୍ବାଲ ରଙ୍ଗ ପ୍ରତି ବଢୁଛି ଚାହିଦା

author img

By ETV Bharat Odisha Team

Published : Mar 13, 2024, 8:10 AM IST

Updated : Mar 13, 2024, 12:51 PM IST

Holi Shopping: ହୋଲିକୁ ନେଇ ଜମୁଛି ରଙ୍ଗ ବଜାର । କୋଲକାତା ଭାବେ ପରିଚିତ ଜଟଣୀ ହୋଲସେଲ ବଜାରରେ ରଙ୍ଗ କିଣିବା ପାଇଁ ଗ୍ରାହକଙ୍କ ଭିଡ । ଅଧିକ ପଢନ୍ତୁ

ରଙ୍ଗ କିଣିବା ନେଇ ଚଳଚଞ୍ଚଳ ଜଟଣୀ ସହର
ରଙ୍ଗ କିଣିବା ନେଇ ଚଳଚଞ୍ଚଳ ଜଟଣୀ ସହର

ଜଟଣୀରେ ଜମିଲାଣି ରଙ୍ଗ ବେପାର

ଖୋର୍ଦ୍ଧା: ଦିନ କେଇଟା ପରେ ଭାଇଚାରା ତଥା ରଙ୍ଗର ପର୍ବ ହୋଲି । ହୋଲି ରଙ୍ଗରେ ରଙ୍ଗେଇ ହୋଇ ଧୁମଧାମରେ ଏହି ପର୍ବ ପାଳିବେ ରାଜ୍ୟବାସୀ । ହୋଲିକୁ ଦୃଷ୍ଟିରେ ରଖି ଏବେଠୁ ଜମିଲାଣି ରଙ୍ଗ ବଜାର । ଓଡିଶାର କୋଲକାତା ଭାବେ ପରିଚିତ ଜଟଣୀ ହୋଲସେଲ ବଜାର ଚଳଚଞ୍ଚଳ ହୋଇପଡିଲାଣି । ରଙ୍ଗ କିଣିବା ପାଇଁ ଦୋକାନରେ ଲାଗୁଛି ଖଚାଖଚ୍ ଭିଡ । ବିଶେଷକରି ହର୍ବାଲ ରଙ୍ଗ ପ୍ରତି ଅଧିକ ଚାହିଦା ଦେଖିବାକୁ ମିଳୁଛି । ତେଣୁ ଚଳିତ ବର୍ଷ ବେଶ କିଛି ରୋଜଗାର କରିବାର ଆଶା ରଖିଛନ୍ତି ବ୍ୟବସାୟୀ ।

ପ୍ରେମ, ସଦଭାବନା ଓ ଭାଇଚାରାର ପର୍ବ ହୋଲି । କେମିକାଲ ରଙ୍ଗ ଶରୀର ଉପରେ ଖରାପ ପ୍ରଭାବ ପକାଉଥିବାରୁ ହର୍ବାଲ ରଙ୍ଗ ଉପରେ ଦିଆଯାଇଛି ଗୁରୁତ୍ଵ । ଚଳିତ ବର୍ଷ ସୁଗନ୍ଧ ଯୁକ୍ତ ଅବିରର ରହିଛି ବହୁତ ଚାହିଦା । ସାଧାରଣ ଅବିର କିଲୋ ପିଛା ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ହର୍ବାଲ ରଙ୍ଗର ଦର କିଲୋ ପିଛା ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଇକୋ ଫ୍ରେଣ୍ଡଲି ରଙ୍ଗ ବିଭିନ୍ନ ଗଛର ଫୁଲ, ଚେର ଭଳି ବିଭିନ୍ନ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ନୁହେଁ । ସେହିଭଳି ଚଳିତ ବର୍ଷ ପିଲାଠୁ ବୟସ୍କ ସବୁବର୍ଗର ଲୋକଙ୍କ ପାଇଁ ରଙ୍ଗ ଆସିଛି ।

ଏହା ମଧ୍ୟ ପଢନ୍ତୁ-ହର୍ବାଲ ହୋଲି ଖେଳିବେ ରାଜଧାନୀବାସୀ, ଶାହଜାଦ ଅଲ୍ଲୀ ମୁଖ୍ୟ ଆକର୍ଷଣ

ପିଲାଙ୍କ ପାଇଁ ବିଭିନ୍ନ ଭେରାଇଟର ପିଚକାରୀ ସହ ରଙ୍ଗ ବେରଙ୍ଗର ଟୋପି, ମୁଖା ବେଶ ଆକର୍ଷଣ ସାଜିଥିବା ବେଳେ ବୟସ୍କଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ସୁଗନ୍ଧିତ ଅବିର ଚାହିଦା ରହିଛି । ଜଟଣୀର ହୋଲସେଲ ବଜାରର ସିଜିନ ସେଣ୍ଟରଗୁଡିକରେ ହୋଲସେଲ ଦରରେ ରଙ୍ଗ ନେଇ ରାଜ୍ୟର ବିଭିନ୍ନ ଅଂଚଳରେ ଖୁଚୁରା ବ୍ୟବସାୟୀମାନେ ଏବେ ଭିଡ଼ ଜମାଇଲେଣି । ରଙ୍ଗବେରଙ୍ଗର ଅବିର ସାଙ୍ଗକୁ ପିଚକାରୀ, ହର୍ବାଲ କଲର ଓ ବିଭିନ୍ନ ମୁଖାକୁ ନେଇ ଜଟଣୀରେ ମେଲିଛି ରଙ୍ଗର ପସରା । ଚଳିତ ବର୍ଷ ହର୍ବାଲ କଲର ଆଉ ବିଭିନ୍ନ ଭେରାଇଟର ମୁଖା ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ । ତେବେ ଚଳିତ ବର୍ଷ ପାଗ ଭଲ ଥିବାରୁ ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Mar 13, 2024, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.