ETV Bharat / state

ଲହଡ଼ିଆରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ଗ୍ରାମବାସୀ - Puri Drinking Water Problem

author img

By ETV Bharat Odisha Team

Published : May 14, 2024, 9:14 PM IST

Drinking Water Problem: ପାଣି ସମସ୍ୟାରେ ଜୁଝି ହେଉଛନ୍ତି ପୁରୀ ଜିଲ୍ଲା ସଦରର ଲହଡ଼ିଆ ଗ୍ରାମବାସୀ । ଯାହା ଅଭିଯୋଗରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ

Drinking Water Problem
Drinking Water Problem (ETV Bharat Odisha)

Drinking Water Problem (ETV Bharat Odisha)

ପୁରୀ: ଦୀର୍ଘ 40 ବର୍ଷ ହେବ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ପୁରୀ ଜିଲ୍ଲା ସଦର ଲହଡ଼ିଆ ଗ୍ରାମବାସୀ । ପାନୀୟ ଜଳ ସମସ୍ୟା ସମାଧାନ ଦାବିରେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କଲେ ଗ୍ରାମବାସୀ । ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମେଗା ୱାଟର ପ୍ରୋଜେକ୍ଟ ମାନ କରିଛନ୍ତି । ସମସ୍ତଙ୍କୁ ଜଳ ଯୋଗାଇ ଦେଉଥିବା ରାଜ୍ୟ ସରକାର ପ୍ରଚାର ମଧ୍ୟ କରୁଛନ୍ତି। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ ଭିନ୍ନ। ଏବେ ମଧ୍ୟ ଅନେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ମିଳିବା ମୁସକିଲ ହୋଇ ପଡ଼ିଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଲହଡ଼ିଆ ଗ୍ରାମ ।

ପୁରୀ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଦାବି କରିବା ପରେ ମଧ୍ୟ ପାନୀୟ ଜଳ ବ୍ୟବସ୍ଥା କରା ଯାଉନଥିବା ଅଭିଯୋଗ କରିଛନ୍ତି ଲହଡିଆ ଗ୍ରାମବାସୀ । ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ଗ୍ରାମବାସୀ ଏହି ସମସ୍ୟାର ସମାଧାନ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଗ୍ରାମରେ ମାତ୍ର ଗୋଟିଏ ନଳକୂପ ରହିଛି । ଯାହାର ପାଣି ଲୁଣି ଯୋଗୁଁ ଏହା ବ୍ୟବହାର ଯୋଗ୍ୟ ନୁହେଁ । ଗ୍ରାମଠାରୁ 2 କିମି ଦୂରରେ ଥିବା ଭାର୍ଗବୀ ନଦୀରୁ ଲୋକମାନେ ବହୁ କଷ୍ଟରେ ପାନୀୟ ଜଳ ସଂଗ୍ରହ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ.. ୩ ଦିନ ପରେ ବି ସୁଧୁରିନି କଟକ ସ୍ଥିତି, ସିଏମସିକୁ ବିରୋଧୀଙ୍କ ଚେତାବନୀ - Waterlogging Condition In Cuttack

ଦୂଷିତ ଜଳ କାରଣରୁ ଏହାକୁ ପିଇବା ଦ୍ବାରା ହଇଜା, ଝାଡ଼ାବାନ୍ତି ସହିତ ଅନ୍ୟାନ୍ୟ ରୋଗ ବ୍ୟପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ଦୁଃଖର ବିଷୟ ନା ଲୋକ ପ୍ରତିନିଧି ନା ପ୍ରଶାସନିକ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ପ୍ରତି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲହଡିଆ ଗ୍ରାମବାସୀଙ୍କ ପ୍ରତି ରାଜ୍ୟ ସରକାର ଅବା ପୁରୀ ଜିଲ୍ଲା ପ୍ରଶାସନର ଶୁଭ ଦୃଷ୍ଟି ପଡୁନାହିଁ । ତେବେ ରାଜ୍ୟ ସରକାର ଲହଡିଆ ଗ୍ରାମ ନିକଟରେ ଥିବା ଭାର୍ଗବୀ ନଦୀରୁ ବୋରିଂ କରି ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲହଡିଆ ଗ୍ରାମବାସୀ ଦାବି କରିଛନ୍ତି ।

ସେପଟେ ଏହି ସମସ୍ୟାକୁ ସ୍ବୀକାର କରିଛନ୍ତି ପୁରୀ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀ । ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ଲହଡିଆ ଗ୍ରାମର ମାଟି ତଳେ ମଧୁର ଜଳ ଉତ୍ସ ନାହିଁ । ଏଣୁ ନଳକୂପ ସ୍ଥାପନ ସତ୍ତ୍ବେ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରିନାହିଁ । ତେବେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖାଯାଇ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ତେବେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୀ ସଦର ବ୍ଲକରେ ରାଜ୍ୟ ସରକାର ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପ୍ରତି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଉଛନ୍ତି । ପୁରୀ ସଦର ବ୍ଲକ ଚାଳିଶବାଟିଆ ପଞ୍ଚାୟତ ଲହଡିଆ ଗ୍ରାମକୁ ମଧ୍ୟ ମେଗା ପାନୀୟ ଜଳ ପ୍ରକଳ୍ପରେ ସଂଯୋଗ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.