ETV Bharat / state

'ପଖାଳ ଦିବସ'କୁ ସାମାନ୍ୟ ଫିକା କଲା ବର୍ଷା, ତଥାପି ପାଳିଲେ କଟକବାସୀ

author img

By ETV Bharat Odisha Team

Published : Mar 20, 2024, 4:36 PM IST

Pakhala Divas: ‘ବିଶ୍ବ ପଖାଳ ଦିବସ'କୁ ସାମାନ୍ୟ ଫିକା କରିଛି ବର୍ଷା । ତଥାପି କଟକରେ ଥିବା ସମସ୍ତ ହୋଟେଲ ଓ ବିଭିନ୍ନ ଅନୁଷ୍ଠାନରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

Pakhala Divas
Pakhala Divas

Pakhala Divas

କଟକ: ଆଜି ହେଉଛି ବିଶ୍ୱ ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ' ଭାବେ ପାଳନ କରାଯାଇଥାଏ। ଏହି ଦିନଟିକୁ ଏକ ଉତ୍ସବ ଭଳି ପାଳନ କରିଥାନ୍ତି ରାଜ୍ୟବାସୀ । ବିଶେଷ କରି ଐତିହ୍ୟ ପରମ୍ପରାର ସହର କଟକରେ ଥିବା ସମସ୍ତ ହୋଟେଲ ଓ ବିଭିନ୍ନ ଅନୁଷ୍ଠାନରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଚଳିତ ବର୍ଷ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖୁବ ଉତ୍ସାହର ସହ ‘ବିଶ୍ବ ପଖାଳ ଦିବସ' ପାଳନ କରାଯିବା ପାଇଁ ସମସ୍ତେ ଆଶାବାଦୀ ରହିଥିଲେ । ହେଲେ ବର୍ଷାପାଗ ଯୋଗୁ ସାମାନ୍ୟ ଫିକା ପଡ଼ିଛି ‘ବିଶ୍ବ ପଖାଳ ଦିବସ'।

ଆଜି ବୁଧବାର ଥିବାରୁ ପଖାଳ ସହିତ ଆମିଷ ବ୍ୟଞ୍ଜନ ଚାହିଦା ଅଧିକ ରହିଛି । କିନ୍ତୁ କୋହଲା ପାଗ ପଖାଳ ଦିବସ ଉତ୍ସବ ପାଳନକୁ ଫିକା କରିଛି । ରାଜ୍ୟର ବିଭିନ୍ନ ସ୍ତାନରେ ତୁହାକୁ ତୁହା ବର୍ଷା ହେଉଛି। ପାଗ ଥଣ୍ଡା ରହିଥିବାରୁ ଏହା ପଖାଳର ମଜାକୁ ଫିକା କରିଛି। ବର୍ଷାକୁ ନେଇ ବ୍ୟବସାୟୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପାଗ ଦୁଇ ଦିନ ଧରି ଖରାପ ରହିଥିବାବାରୁ ବର୍ଷା ପାଇଁ ଘରୁ ବାହାରି ପାରୁନାହାନ୍ତି ଲୋକେ । ଏହାରି ଭିତରେ ପଖାଳ ଦିବସକୁ କାଁ ଭାଁ ଲୋକେ ପାଳନ କରିଛନ୍ତି। ତେବେ ଆଜିର ଦିବସରେ ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦିଆଯାଇ ପ୍ରସ୍ତୁତ କରାଯାଇଛି ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରସା ଯାଇଛି ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ । ଯେମିତିକି ବଢି ଚୁରା , ଆଳୁ ଭର୍ତା, ଭଜା, କଲରା ଚିପ୍ସ, ବିଲାତି ଖଟା, ମାଛ ଭଜା , ଚିକେନ୍, ଚିଙ୍ଗୁଡ଼ି ଭଳି ଅନେକ ସୁସ୍ବାଦୁ ଖାଦ୍ୟ ପରସା ଯାଇଛି ।

ଏହା ମଧ୍ୟ ପଢନ୍ତୁ...ସୁରଙ୍କ ପଖାଳ ସମ୍ଭାର; 'ଶକ୍ତି ମିଳେ, ମନ ପ୍ରଫୁଲ ରହେ'


ପଖାଳ ଓଡ଼ିଆ ଘରର ଏକ ପ୍ରମୁଖ ଖାଦ୍ୟ ହୋଇଥିବାବେଳେ ଏହା ଦେହ ପାଇଁ ଢେର ଭଲ ବୋଲି କହିଛନ୍ତି ଗ୍ରାହକ । ତେବେ ଆଜିର ଯୁବପିଢ଼ି ଏହି ପଖାଳର ମଜା ନେବା ପାଇଁ ଛୋଟ ବଡ଼ ହୋଟେଲକୁ ଯାଇଥାନ୍ତି। ହେଲେ ବର୍ଷା କାରଣରୁ ଆଜି କଟକରେ ଏହି ମାହୋଲ ସାମାନ୍ୟ ଫିକା ପଡିଛି । ତଥାପି ଲୋକେ ଏହି ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। କେବଳ ହୋଟେଲ ନୁହେଁ, ଘରେ ଘରେ ମଧ୍ୟ ଏହି ଦିବସ ପାଳନ କରିଛନ୍ତି କଟକବାସୀ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.