ETV Bharat / state

ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ମାଗୁଣି କୁଅଁର - Maguni Charana Kuanr Hospitalized

author img

By ETV Bharat Odisha Team

Published : Apr 2, 2024, 11:42 AM IST

Padma Awardee Maguni Charana Kuanr Hospitalized: କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ

Padma Awardee Maguni Charana Kuara
Padma Awardee Maguni Charana Kuara

Padma Awardee Maguni Charana Kuara

କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଦରକାର ପଡ଼ିଲେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି କେନ୍ଦୁଝରଗଡ ପୌରପାଳିକା ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସ ।

ସୂଚନା ମୁତାବକ, ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଯେଉଁଥିପାଇଁ ସେ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରି ଆସୁଥିଲେ । ହେଲେ ଗତକାଲି (ସୋମବାର) ରାତିରେ ହଠାତ୍ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ । ଯେହେତୁ ଗତକାଲି ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ । କିନ୍ତୁ ତା' ପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇପଡିଲେ ଯେ ବିଛଣାରୁ ଉଠି ପାରିନଥିଲେ ।

ଆଜି ସକାଳୁ ମଧ୍ୟ ଅତ୍ୟଧିକ ଦେହ ଖରାପ ହେବାରୁ ଘରଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା, ଜଣେ ପଦ୍ମଶ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା ଅନ୍ୟ କୌଣସି ବିଶେଷଜ୍ଞ ତାଙ୍କୁ ଆସି ଦେଖି ନକରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କେନ୍ଦୁଝରଗଡ ପୌରପାଳିକା ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସ କହିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଦରକାର ପଡ଼ିଲେ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଡନ୍ତୁ-Padma Awards 2023: ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କଲା ଭଳି ଅପେକ୍ଷା କରିଥିଲି କହିଲେ ମାଗୁଣି କୁଅଁର

କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରାଇଛନ୍ତି ମାଗୁଣି କୁଅଁର । କାଠ କଣ୍ଢେଇ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟ୍ୟ ଏକାଡେମୀ ଭଳି ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । ଗତ କିଛି ଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ । ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିବା କୁହାଯାଉଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.