ETV Bharat / state

ରାୟଗଡା ଆସନରେ ନିର୍ଣ୍ଣାୟକ ଭୂମିକା ନେବେ କି ଝୋଡିଆ ଭୋଟର ? - Jhodia Community Voters

author img

By ETV Bharat Odisha Team

Published : May 10, 2024, 4:42 PM IST

Jhodia Community Voters: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି ? ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଝୋଡିଆ ଭୋଟର । ଅଧିକ ପଢନ୍ତୁ

JHODIA COMMUNITY
JHODIA COMMUNITY (ETV BHARAT ODISHA)

ଝୋଡିଆ ଭୋଟର (ETV Bharat Odisha)

ରାୟଗଡା: ୨୦୨୪ ବିଧାନସଭା ନିର୍ବାଚନରେ ରାୟଗଡା ନିର୍ବାଚନ ମଣ୍ଡଳୀରୁ କିଏ ମାରିବ ବାଜି, ଏ ନେଇ ଆରମ୍ଭ ହେଲାଣି ଅଙ୍କକଷା । ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ନିଜ ନିଜ ପ୍ରାର୍ଥୀଙ୍କୁ କିପରି ବିଜୟୀ କରି ବିଧାନସଭାକୁ ପଠାଇବେ ସେ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ହେଲେ ଏହି ନିର୍ବାଚନ ମଣ୍ଡଳୀରେ ଝୋଡିଆ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । କାଶୀପୁର ବ୍ଲକରେ 1 ଲକ୍ଷ 58 ହଜାର 846 ଭୋଟର ଥିବାବେଳେ, ରାୟଗଡା ବ୍ଲକରେ 90 ହଜାର 742 ଏବଂ ରାୟଗଡା ମ୍ୟୁନିସିପାଲଟିରେ ମାତ୍ର 57 ହଜାର 448 ଜଣ ଭୋଟର ଅଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା 2 ଲକ୍ଷ 4 ହଜାର 36 ଜଣ ରହିଥିବା ବେଳେ ସେଥିମଧ୍ୟରୁ 40 ହଜାର ଝୋଡିଆ ସମ୍ପ୍ରଦାୟ ଅଟନ୍ତି । ଝୋଡିଆ ସମ୍ପ୍ରଦାୟ ଦୁଇ ଦଶନ୍ଧିଧରି ଆଦିବାସୀ ମାନ୍ୟତା ପାଇଁ ଲଢେଇ ଜାରି ରଖିଥିବା ବେଳେ ଏ ଯାଏଁ କେନ୍ଦ୍ର କି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ଏନେଇ ଝୋଡିଆ ସମାଜ ନେତ୍ରୀ ସୁମନି ଝୋଡିଆ କହିଛନ୍ତି,'' ନିର୍ବାଚନକୁ ନେଇ ଝୋଡିଆ ସମାଜ ତରଫରୁ ଏକ ଜରୁରୀ ବୈଠକ ଡକାଯାଇଛି । ସେଠାରେ ଆସନ୍ତା ନିର୍ବାଚନରେ ଝୋଡିଆ ସମ୍ପ୍ରଦାୟର ଭୂମିକା ନେଇ ନିଷ୍ପତ୍ତି ହେବ ।'' ୨୦୨୪ ନିର୍ବାଚନରେ ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ କିଛି ବଡ ଧରଣର ଓଲଟପାଲଟ କରିପାରିବେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି । ଚଳିତ ୨୦୨୪ ନିର୍ବାଚନରେ ରାୟଗଡ ନିର୍ବାଚନ ମଣ୍ଡଳୀରୁ ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୨୦୧୯ ନିର୍ବାଚନରେ ଏହି ଆସନରେ ବାଜିମାତ କରିଥିଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । କିନ୍ତୁ ଚଳିତ ବର୍ଷ ନିର୍ବାଚନୀ ମଇଦାନକୁ ଓହ୍ଲାଇ ନାହାନ୍ତି ମକରନ୍ଦ ।

ଏହା ମଧ୍ୟ ପଢନ୍ତୁ-ଭୋଟରଙ୍କ ବାରଣ୍ଡାରେ ବସି ପଖାଳ ଖାଇଲେ, ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ - Odisha Assembly election

୨୦୨୪ ନିର୍ବାଚନରେ ରାୟଗଡା ବିଧାନସଭା ଆସନରେ ବିଜେଡିର ଅନୁସୟା ମାଝୀ, କଂଗ୍ରେସରୁ ଆପାଲାସ୍ୱାମୀ କାଡ୍ରକା, ବିଜେପିର ବସନ୍ତ କୁମାର ଉଲାକା, ବିଏସପିର ପୂର୍ଣ୍ଣଚନ୍ଦ୍ର ମାଝୀ, ନବଭାରତ ନିର୍ମାଣ ସେବା ପାର୍ଟିର ସିନାଲୁ କଣ୍ଡାଗରୀ, ସିପିଆଇ (ଏମଏଲ) ଲିବିରେସନର କ୍ରିଷ୍ଣା ପାଲକା, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ବନମାଳି ମାଝିଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ସୁଚିତ୍ରା ମାଝୀ, ରାଙ୍ଗାରାଓ କଣ୍ଡାଗରୀ, ଭଗବାନୀ ମାଝୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରାୟଗଡା ନିର୍ବାଚନ ମଣ୍ଡଳୀ ଗଠନ ହେବା ପରଠୁ କେବେ ବି ଏହି ଆସନରେ ଭୋଟର ଦେଖି ନଥିଲେ ମହିଳା ପ୍ରାର୍ଥୀ । ଚଳିତ ଥର ବିଜେଡି ଏହି ଆସନରେ ମହିଳା କାର୍ଡ ଖେଳି ଅନୂସୟା ମାଝୀଙ୍କୁ ପ୍ରାର୍ଥୀ କରିଛି ।

ଅନୂସୟା ମାଝୀ ପ୍ରଥମ କରି ବିଧାନସଭା ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଏଥି ପୂର୍ବରୁ ୨୦୧୯ ନିର୍ବାଚନରେ ବିଜେଡି ଟିକଟରୁ ଲଢି ଲାଲବିହାରୀ ହିମିରିକା ଦ୍ୱିତୀୟ ସ୍ଥାନରେ ଥିଲେ । ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ଗୋଟିଏ ପଟେ ନବୀନଙ୍କ ମହିଳାଙ୍କୁ ଅଗ୍ରାଧିକାର କଥାକୁ ସାବ୍ୟସ୍ତ କରିଥିବା ବେଳେ ଅନ୍ୟପଟେ ମହିଳା ଭୋଟ ବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ବିଜେପି ପୁଣି ଥରେ ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ପ୍ରଦାନ କରିଛି । ୨୦୧୯ରେ ବସନ୍ତ ପ୍ରଥମ ଥର କରି ବିଜେପି ଟିକେଟରୁ ନିର୍ବାଚନ ଲଢି ନିକଟତମ ପ୍ରତିଦ୍ୱନ୍ଦ୍ବୀଙ୍କୁ କଡା ଟକ୍କର ଦେଇଥିଲେ ।

ଜଣେ ଦକ୍ଷ ନେତା ତଥା ସମାଜସେବୀ ଭାବେ ରାୟଗଡା ନିର୍ବାଚନ ମଣ୍ଡଳୀରେ ଖୁବ୍ ପରିଚିତ ଆପଲସ୍ୱାମୀ କାଡ୍ରାକା । କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ନିଜକୁ ସଫଳ ରୂପାୟନ କରିଛନ୍ତି କାଡ୍ରାକା । ଆପଲସ୍ୱାମୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ଦେଖି ପୁଣି ଥରେ କଂଗ୍ରେସ ଦଳ ତାଙ୍କୁ ରାୟଗଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କରିଛିି । ୨୦୧୯ ନିର୍ବାଚନରେ ନିକଟତମ ପ୍ରତିତ୍ୱନ୍ଦ୍ବୀଙ୍କୁ ସେ କଡା ଟକ୍କର ଦେଇ ୩୯ ହଜାର ୬୫୭ ଖଣ୍ଡ ପାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ବର୍ତ୍ତମାନ ରାୟଗଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ଭଲ ରହିଛି, ଭୋଟର ପରିବର୍ତ୍ତନ ଚାହୁଁଛନ୍ତି । ଏଥର ଜନମତ କଂଗ୍ରେସ ସପକ୍ଷରେ ଯିବ ବୋଲି ଆଶାବାଦୀ ଅଛନ୍ତି ଆପଲସ୍ୱାମୀ କାଡ୍ରାକା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.