ETV Bharat / state

ହେବ କି ମେଣ୍ଟ ! BJP ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋଲିଲାନି ଓଡିଶା ଖାତା

author img

By ETV Bharat Odisha Team

Published : Mar 2, 2024, 8:31 PM IST

No candidates for odisha in BJP first list: ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋଲିଲାନି ଓଡିଶାର ଖାତା । ଚର୍ଚ୍ଚାରେ ଥିଲା ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀତ୍ବ ଘୋଷଣା । ଅଧିକ ପଢନ୍ତୁ

ହେବକି ମେଣ୍ଟ ! ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋଲିଲାନି ଓଡିଶାର ଖାତା
ହେବକି ମେଣ୍ଟ ! ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋଲିଲାନି ଓଡିଶାର ଖାତା

ଭୁବନେଶ୍ବର: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଦିନ ପୂର୍ବରୁ ଆଜି ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟରେ 195 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦଳର ବଡ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖଙ୍କ ନାମ ଆଜି ଘୋଷଣା ହୋଇଛି । ମୋଟ 34 କେନ୍ଦ୍ରମନ୍ତ୍ରୀ ଓ 2 ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଦଳ 195 ଆସନରେ ପ୍ରାର୍ଥୀ ଦେଇଛି । ହେଲେ ଏହି ପର୍ଯ୍ୟାୟରେ ଓଡିଶାର ଖାତା ଖୋଲିନି । ରାଜ୍ୟରେ 21 ସଂସଦୀୟ ଆସନ ମଧ୍ୟରୁ 8 ବିଜେପି ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରେ 2 କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିଛନ୍ତି । ଏହି ପର୍ଯ୍ୟାୟରେ ଦଳର ଅନ୍ୟତମ ହେଭିଓ୍ବେଟ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା ହେବାର ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏହି ପର୍ଯ୍ୟାୟରେ ଓଡିଶାରୁ ଗୋଟିଏ ବି ଆସନ ଘୋଷଣା ନହେବା ଚର୍ଚ୍ଚା ସୃଷ୍ଟି କରିଛି । ରାଜ୍ୟରେ ଶାସନରେ ଥିବା ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପୁଣି ଥରେ ଚର୍ଚ୍ଚାର ପିରିଧିକୁ ଫେରିଛି ।

କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ବିଜେପିର ବଡ ଚେହେରା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସିଂସଦୀୟ ଆସନରୁ ଲଢିବାକୁ ଯାଉଥିବା ଓ ପ୍ରଥମ ପର୍ଯ୍ୟାୟରେ ତାଙ୍କ ନାମ ଆସିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟରେ ସେପରି କିଛି ଘଟିନି । ଅନ୍ୟପଟେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରମୁଖ ଓଡିଶାର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ । ହେଲେ ଏହି ପର୍ଯ୍ୟାୟରେ ଦଳ ରାଜ୍ୟର ଖାତା ଖୋଲିନି । ରାଜ୍ୟରେ ପ୍ରାର୍ଥୀ ଘୋଷଣାକୁ ଆସନ୍ତା ପର୍ଯ୍ୟାୟକୁ ଅପେକ୍ଷା କରିବାକୁ ହେବ ।


ଅନ୍ୟପଟେ ରାଜ୍ୟରେ ଗତ କିଛି ଦିନ ହେବ ବିଜେପି- ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗିରହିଛି । କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ଉଭୟ ଦଳ ମଧ୍ୟରେ ସୁସମ୍ପର୍କ ଓ ସହଭାଗିତା ମଧ୍ୟ ସ୍ପଷ୍ଟ । ନିକଟରେ ଏକାଧିକ କେନ୍ଦ୍ରୀୟ ବିଜେପି ନେତା ଓଡିଶା ଗସ୍ତ କରିଥିଲେ ବି ନବୀନ ସରକାର କିମ୍ବା ବିଜେଡି ବିରୋଧରେ ସେପରି କଡା ଆଭିମୁଖ୍ୟ କି ମନ୍ତବ୍ୟ ରଖିନଥିବା ଦେଖିବାକୁ ମିଳିଥିଲା । ଅନ୍ୟଏକ ଉଦାହରଣ ଭାବେ ରାଜ୍ୟସଭା ନିର୍ବାଚନକୁ ମଧ୍ୟ ନିଆଯାଇପାରେ । ରାଜ୍ୟରେ ମୋଟ 3 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିଥିବା ବେଳେ, ଶାସକ ବିଜେଡି 2 ଟି ପ୍ରାର୍ଥୀ ଦେଇ ତୃତୀୟଟିରେ ବିଜେପିର ପ୍ରାର୍ଥୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ଏହି ତମାମ ଚର୍ଚ୍ଚା ମଧ୍ୟରେ ରାଜ୍ୟରେ ଚଳିତ ଥର କୌଣସି ପ୍ରକାର ମେଣ୍ଟ ହେବ ନାହିଁ ଓ ସମସ୍ତ ଆସନରେ ବିଜେପି ଏକାକୀ ଲଢିବ ବୋଲି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଦମ୍ଭ ଦେଖାଇଛନ୍ତି । ହେଲେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟର ଖାତା ନଖୋଲିବାକୁ ଏବେ ମେଣ୍ଟ ଆଲୋଚନା ସହ ଯୋଡି ଚର୍ଚ୍ଚା କରାଯାଉଛି । ରାଜ୍ୟରେ ଭିତିରି ବୁଝାମଣା ଜାରି ରହିଛି ଓ ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ନାହିଁ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.