ETV Bharat / state

ଉଗ୍ରରୂପ ନେଲା ପାରିବାରିକ କଳହ, ଖୁଡିକୁ ପଥରରେ ଛେଚି ହତ୍ୟା କଲା ପୁତୁରା - Nephew Killed Aunty

author img

By ETV Bharat Odisha Team

Published : May 24, 2024, 8:44 PM IST

Nephew Killed Aunty: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୁଡିକୁ ପଥରରେ ଛେଚି ଛେଚି ହତ୍ୟା କଲା ପୁତୁରା । ଅଭିଯୁକ୍ତକୁ ଅଟକ ରଖିଛନ୍ତି ପୋଲିସ । ଅଧିକ ପଢ଼ନ୍ତୁ

Nephew Killed Aunty
Nephew Killed Aunty (ETV Bharat Odisha)

ରାଉରକେଲା: ଖୁଡିକୁ ପଥରରେ ଛେଚି ହତ୍ୟା କଲା ପୁତୁରା । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର ଅସୁରଖଲ ଗ୍ରାମର ଢେଗୁରପାଣି ବସ୍ତିରେ ଘଟିଛି ଏହି ଅମାନୁଷିକ ଘଟଣା । ହତ୍ୟା କରି ଫେରାର ହେବା ସମୟରେ ଗୁରୁଣ୍ଡିଆ ପୋଲିସ ଆଜି ସକାଳ ୬ଟାରେ ବେଦବ୍ୟାସ ପାହାଡି ହୋଟେଲ ପାଖରୁ ଅଭିଯୁକ୍ତକୁ ଧରି ଥାନା ହାଜତରେ ଅଟକ ରଖିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ବୟାନରେ କହିଥିବା ସୂଚନା ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ଗତକାଲି ଗାଁରେ ଭୋଜି ହୋଇଥିଲା । ଏହି ଭୋଜିରେ ରନ୍ଧା କାର୍ଯ୍ୟରେ ରାଜେଶ ନିୟୋଜିତ ହୋଇଥିବା ବେଳେ ମୃତ ଖୁଡି ପଦ୍ମାବତୀ ମିର୍ଦ୍ଧା ସେହି ଖାଦ୍ୟକୁ ଖାଇବିନି ବୋଲି ମନା କରିଥିଲେ । ଏହି କଥା ଶୁଣି ରାଜେଶର ରାଗ ବଢିଯାଇଥିଲା । ତେବେ ପଦ୍ମାବତୀ ଘର ପଛ ପଟେ 100 ମିଟର ଦୂରରେ ଥିବା ନାଳକୁ ଯାଇଥିଲେ । ଯାହାର ସୁଯୋଗ ନେଇ ଏକ ପଥର ସାହାଯ୍ୟରେ ପଦ୍ମାବତୀକୁ ମାରି ତଳକୁ ପକାଇ ଦେଇଥିଲା ରାଜେଶ । ସେ ପଡିଯିବା ପରେ ପଥର ଦ୍ୱାରା ଛେଚି ଛେଚି ତାଙ୍କୁ ହତ୍ୟା କରିଥିଲା ରାଜେଶ । ଘଟଣାସ୍ଥଳରୁ ଫେରାର ହୋଇ ମହାରାଷ୍ଟ୍ରକୁ ଯିବା ପାଇଁ ଚେଷ୍ଟା କରୁଥିଲା ଅଭିଯୁକ୍ତ ।

ଏହା ମଧ୍ୟ ପଢ଼ନ୍ତୁ... ଦୁର୍ଘଟଣାରେ ଆଖି ବୁଜିଲେ CRPF ଯବାନ, ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ - CRPF JAWAN DIES

ଏପଟେ ଗତକାଲି ରାତିରେ ମୃତକର ଝିଅ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲା । ପରେ ଗୁରୁଣ୍ଡିଆ ପୋଲିସ ସ୍ୱତନ୍ତ୍ର ସ୍କ୍ୱାଡ଼ ସହାୟତାରେ ଫେରାର ହେଉଥିବା ସମୟରେ ରାଉରକେଲା ବେଦବ୍ୟାସ ପାହାଡ଼ି ହୋଟେଲ ପାଖରୁ କାବୁ କରି ଧରିଥିଲେ ଏବଂ ଅନ୍ୟ ଏକ ଟିମ ଗ୍ରାମକୁ ଯାଇ ମୃତଦେହ ଜବତ କରିଥିଲା । ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବଣାଇକୁ ପଠାଯାଇଥିଲା ଓ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ପୋଲିସ ।

ପ୍ରକାଶ ଥାଉକି, ରାଜେଶ ମିର୍ଦ୍ଧା 2013ରେ ମୃତକ ଖୁଡିର ଝିଅ ନାବାଳିକା ଥିବା ବେଳେ ତାକୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ମାମଲାରେ ପୋକ୍ସ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରି ବଣାଇ ଜେଲରେ 10 ବର୍ଷ ସଶ୍ରମ କାରାବାସ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ । 2022ରେ ଜେଲରୁ ଫେରି ଗାଁକୁ ଆସିଥିଲା ରାଜେଶ । ହେଲେ ପରିବାରରେ ବିଭିନ୍ନ ସମୟରେ ଝଗଡା ହେବାରୁ ସ୍ତ୍ରୀଙ୍କ ଏତଲା କ୍ରମେ ଗୁରୁଣ୍ଡିଆ ଥାନାରେ ବୁଝାମଣା ହୋଇଥିଲା କିଛି ଦିନ ଘରେ ରହିବ ପରେ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଚାଲିଯାଇଥିଲା । ଏବେ ମେ ମାସର 20 ତାରିଖ ଦିନ ଭୋଟ ଦେବା ପାଇଁ ସେ ଘରକୁ ଆସିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.