ETV Bharat / state

ପୁଅର ଚିକିତ୍ସା ପାଇଁ ଏମ୍ସ ଆସୁଥିଲେ, ମୋ ବସରେ ୬୦ ହଜାର ଚୋରି ! - THEFT IN MO BUS

author img

By ETV Bharat Odisha Team

Published : May 26, 2024, 10:06 PM IST

Theft In Bus: ପୁଅର ଚିକିତ୍ସା ପାଇଁ ଏମ୍ସ ଯାଉଥିବାବେଳେ ପକେଟ ମାର୍ ହୋଇଛି । ମୋ ବସରେ ଯାତ୍ରା ବେଳେ ପକେଟମାର୍ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Theft In Bus
Theft In Bus (ETV Bharat Odisha)

ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟେରାଙ୍କ ଦୌରାତ୍ମ୍ୟ । ପୁଅର ଚିକିତ୍ସା ପାଇଁ ଏମ୍ସ ଯାଉଥିବାବେଳେ ପକେଟ ମାର୍ ହୋଇଛି । ୫୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବୃନ୍ଦାବନ ସାହୁ ନାମକ ଜଣେ ବ୍ୟକ୍ତି ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ବୃନ୍ଦାବନ ନିଜର ୧୪ ବର୍ଷର ପୁଅର ଚିକିତ୍ସା ପାଇଁ ଟଙ୍କା ନେଇ ଆସୁଥିବାବେଳେ ତାଙ୍କ ଅଜାଣତରେ ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଆଉ ପୁଅର ଚିକିତ୍ସା ପାଇଁ କେଉଁଠୁ ଅର୍ଥ ଆଣିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ହିଞ୍ଜିଳି ସିକିରିର ବୃନ୍ଦାବନ ସାହୁ । ଅଭିଯୋଗ ଅନୁସାରେ, ବୃନ୍ଦାବନ ଗତ ରବିବାର ସକାଳ ପ୍ରାୟ ୯ଟା ସମୟରେ ୧୯ ନମ୍ବର‌ ମୋ ବସରେ ସିଆରପିରୁ ଏମ୍ସ ବସ୍ ଷ୍ଟପ ଯାଏଁ ଯାତ୍ରା କରିଥିଲେ । ପରେ ତାଙ୍କ ପକେଟରେ ଥିବା ୫୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆଉ ମିଳିନଥିଲା । ବସରେ ଭିଡର ଫାଇଦା ନେଇ କେହି ଚୋରି କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ବୃନ୍ଦାବନ ।

Theft In Bus (ETV Bharat Odisha)

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତାଙ୍କ ପୁଅ ବର୍ତ୍ତମାନ ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ଦାମୀ ଇଞ୍ଜେକ୍ସନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ସେ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ସେ ନିଜେ ମଧ୍ୟ ମୋ ବସ ଡିପୋକୁ ଯାଇ ସେଠାରେ ବସ ନମ୍ବର ସହ କଣ୍ଡକ୍ଟର ଓ ଅନ୍ୟ ଲୋକଙ୍କୁ ମଧ୍ୟ ପଚାରି ବୁଝିଥିବା କହିଛନ୍ତି । ଏହି ଘଟଣା ପରେ ଅଭିଯୋଗକାରୀଙ୍କ ସମେତ ତାଙ୍କ ସମ୍ପର୍କୀୟ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ମୋ ବସ ଭଳି ସରକାରୀ ବସ ସେବା ସବୁଠୁ ସୁରକ୍ଷିତ ଯାତ୍ରା ବୋଲି ଲୋକେ ଭାବୁଛନ୍ତି । କିନ୍ତୁ ବାସ୍ତବରେ ସେଠାରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳୁଛି ।"

ଏହା ବି ପଢନ୍ତୁ...କମିଶନରେଟ ପୋଲିସକୁ ସଫଳତା, ହାଇପ୍ରୋଫାଇଲ ଲୁଟେରା ଗିରଫ - Police Arrested Two Robbers

ଦୀର୍ଘ ଦିନ ଧରି ରାଜଧାନୀରେ ଲୁଟେରା ସକ୍ରିୟ ରହିଛନ୍ତି । ବିଶେଷ କରି ମହିଳା ,ଯୁବତୀ, ରୋଗୀ ଓ ତାଙ୍କର ସମ୍ପର୍କୀୟ ଯେଉଁମାନେ ହସ୍ପିଟାଲ ବା କୌଣସି ଜରୁରୀ କାମରେ ଆସୁଛନ୍ତି ସେମାନଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ଗହଳିର ସୁଯୋଗ ନେଇ ଲୁଟପାଟ କରୁଛନ୍ତି । ଏନେଇ ପୂର୍ବରୁ ଅନେକ ଅଭିଯୋଗ ମଧ୍ୟ ରହିଛି । ଆଉ ପୁଣି ଥରେ ଏଭଳି ଘଟଣା ସହରବାସୀଙ୍କ ଚିନ୍ତା ବଢାଇ ଦେଇଛି । ଗତ 22 ତାରିଖରେ ନୟାପଲ୍ଲୀ ଥାନା ପୋଲିସ ୫ଜଣିଆ 'ମୋ ବସ' ଲୁଟେରାଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଜଣେ ଆଉ ଯାଜପୁରର ୪ ଜଣ ଥିଲେ । ସେମାନଙ୍କଠାରୁ ୨୦ ହଜାର ଟଙ୍କା ଓ ୫ଟି ମୋବାଇଲ ଜବତ କରାଯାଇଥିଲା ।' ମୋ ବସ'ରେ ହେଉଥିବା ଚୋରି ଓ ପକେଟକମାର ପାଇଁ ସହରବାସୀଙ୍କ ମନରେ ଏକ ଭୟର ବାତାବରଣ ଖେଳିଯାଇଛି । 'ମୋ ବସ'ରେ ଯାତ୍ରା ସମୟରେ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.