ETV Bharat / state

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଔଷଧ

author img

By ETV Bharat Odisha Team

Published : Mar 16, 2024, 11:26 AM IST

Medicines Buried Inside Hospital: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଔଷଧ । ହେଲେ ରୋଗୀଙ୍କ କାମରେ ଲାଗି ପାରୁନି । ଅଧିକ ପଢନ୍ତୁ

Medicines worth lakhs found buried inside Bargarh district hospital
Medicines worth lakhs found buried inside Bargarh district hospital

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଔଷଧ

ବରଗଡ଼: ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି । ହେଲେ ଏହି ସରକାରୀ ଔଷଧଗୁଡିକ ରୋଗୀଙ୍କ କାମରେ ଲାଗିବା ବଦଳରେ ହସ୍ପିଟାଲରେ ଖତ ଖାଉଥିବା ନଜରକୁ ଆସିଛି । ହସ୍ପିଟାଲଗୁଡିକରେ ରହିଥିବା ଷ୍ଟୋରମାନଙ୍କରେ ସର୍ଜିକାଲ ସାମଗ୍ରୀ ସହିତ ବ୍ୟାପକ ମାତ୍ରାରେ ଔଷଧ ଓ ଇଞ୍ଜେକ୍ସନ ଗଚ୍ଛିତ ରହିଛି, ହେଲେ ସେହି ସାମଗ୍ରୀଗୁଡିକ ସେପରି ପଡି ରହି ନଷ୍ଟ ହେଉଛି କିନ୍ତୁ ବ୍ୟବହାର ହୋଇପାରୁନି । ଲକ୍ଷାଧିକ ଟଙ୍କାର ଔଷଧ ଏକ୍ସପାରୀ ହୋଇ ପଡିରହୁଛି । ଯାହାକି ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବହେଳା ବୋଲି ଜଳ ଜଳ ବାରି ହୋଇଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ବରଗଡ ସହରରେ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 10 କିଲୋମିଟର ଦୂର ସ୍ଥାନୀୟ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁଲ୍ଲାକୁ ସ୍ଥାନାନ୍ତରିତ କରାଗଲା ପରେ ସେଠାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ 7 ମହଲା ବିଶିଷ୍ଟ ବିରାଟ କୋଠାଘର ନିର୍ମିତ ହୋଇଯାଇଛି ସତ, ଯେତେ ସାମଗ୍ରୀ ଆବଶ୍ୟକ ସମସ୍ତ ପ୍ରକାରର ସାମଗ୍ରୀ ଗଦା ଗଦା ପଡିରହିଛି, ମାତ୍ର ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତିକି ଡାକ୍ତର, ଷ୍ଟାଫ ନର୍ସ , ଟେକ୍ନିସିଆନ ଆଦି ମାନବ ସମ୍ବଳ ଦରକାର ସେତିକି ନାହାନ୍ତି । ଦିନ 12ଟା ପରେ ଆଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ରହୁନାହାନ୍ତି । ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ବହୁ ରୋଗୀ ଅଯଥାରେ ହଇରାଣ ହେଉଛନ୍ତି ।

ଅନେକ ଗରିବ ରୋଗୀ ପଇସା ଅଭାବ କାରଣରୁ ସରକାରୀ ହସ୍ପିଟାଲରେ ଡାକ୍ତର ଦେଖାଇ ଔଷଧ ନେବାକୁ ଆସୁଥିବା ବେଳେ କିନ୍ତୁ ଡାକ୍ତର ଲେଖୁଥିବା ଅଧିକାଂଶ ଔଷଧ ବିତରଣ କେନ୍ଦ୍ରରେ ନଥିବା କୁହାଯାଉଛି । ଯାହାଫଳରେ ଗରିବ ରୋଗୀମାନେ ବାଧ୍ୟ ହୋଇ ଅନ୍ୟତ୍ର ଔଷଧ କିଣିବାକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପଟେ 7 ମହଲା ବିଶିଷ୍ଟ ବିରାଟ ହସ୍ପିଟାଲର 6 ନମ୍ବର ମହଲାରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଖତ ଖାଉଛି । ଏହି 6 ମହଲା ବିଲ୍ଡିଂରେ ଅନେକ ଏକ୍ସପାରୀ ଔଷଧ ଏଣେତେଣେ ପଡିରହିଥିବା ବେଳେ ବ୍ୟବହାର ଉପଯୋଗୀ ଭିଟାମିନ ଶିରପ, ଟାବେଲେଟ ଓ ଇଞ୍ଜେକ୍ସନଗୁଡିକ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି |

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ନାହାନ୍ତି ଡାକ୍ତର, ସ୍ୱାସ୍ଥ୍ୟମିତ୍ର କରୁଛନ୍ତି ରୋଗୀ ଚିକିତ୍ସା

ସରକାର କା ମାଲ ଦରିଆ ମେ ଡାଲ ପରି ସରକାରୀ ଔଷଧଗୁଡିକ ନଷ୍ଟ ହେଉଛି । ଏଥିପ୍ରତି ହସ୍ପିଟାଲ କର୍ତ୍ତପକ୍ଷ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସପ୍ଲାଏ ହୋଇଥିବା ଔଷଧ ଷ୍ଟୋରମାନଙ୍କରେ କିପରି ରହିବ, ସେନେଇ ଗାଇଡଲାଇନ ରହିଛି । ସେହିପରି ଏକ୍ସପାରୀ ଔଷଧଗୁଡିକୁ କିପରି ନଷ୍ଟ କରାଯିବ ତାହାର ମଧ୍ୟ ନିୟମାବଳୀ ରହିଛି | ହେଲେ ସରକାରଙ୍କ କୌଣସି ପ୍ରକାରର ଗାଇଡଲାଇନକୁ ଏଠାରେ ଅନୁସରଣ କରାଯାଉ ନାହିଁ । ବରଗଡ ସହରରୁ 10 କିଲୋମିଟର ଦୂରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହେବା ଦିନଠାରୁ ନା ଏଠାକୁ ବରଗଡ ସହରର ରୋଗୀମାନେ ଆସିବାକୁ ପସନ୍ଦ କରୁଛନ୍ତି ନା ଏଠାକାର ଡାକ୍ତରମାନେ ଦିନକୁ ଦୁଇଥର ଆସିବାକୁ ଆଗ୍ରହୀ ହେଉଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟଡୋର୍ ଚିକିତ୍ସାର ସମୟ ସକାଳ 8ଟାରୁ 12ଟା ଓ ପୁଣି 3ଟାରୁ 5ଟା ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ପୂର୍ବାହ୍ନ 12ଟା ପରେ ଆଉ କୌଣସି ଡାକ୍ତରଙ୍କ ଦେଖା ମିଳୁନି । CDMO ଅଫିସ ବରଗଡ ଟାଉନରେ ରହୁଥିବାରୁ ବଡ ବଡ ଅଧିକାରୀମାନଙ୍କ ନଜରକୁ ହସ୍ପିଟାଲର ଅବହେଳା ଓ ଅବ୍ୟବସ୍ଥା ଆଦୌ ପହଞ୍ଚି ପାରୁନାହିଁ । ଯାହାର ଫାଇଦା ଉଠାଉଛନ୍ତି ହସ୍ପିଟାଲର ସମସ୍ତ କର୍ମଚାରୀମାନେ । ତେବେ ସଂପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚାଲିଥିବା ବେଳେ ବ୍ୟାପକ ମାତ୍ରାରେ ପଡିରହିଥିବା ଔଷଧ ବିଷୟରେ ବରଗଡ CDMOଙ୍କୁ ପଚରାଯିବାରୁ 6 ନମ୍ବର ବିଲ୍ଡିଂକୁ ଷ୍ଟୋର ରୁମ ଭାବରେ ବ୍ୟବହାର କରାଯାଉଥିବା ସେ ନିଜେ ଜଣାଇଥିଲେ । ଏଥିସହ ସେ କହିଥିଲେ ଯେ, ଔଷଧ ଏକ୍ସପାରୀ ଘଟଣା ତାଙ୍କ ନଜରକୁ ଆସିନି । ଏଭଳି କିଛି ଘଟିଥିଲେ ଏହାର ତଦନ୍ତ କରାଯାଇ ଗାଇଡଲାଇନ ଅନୁସାରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.