ETV Bharat / state

ବରଗଡ ହିଂସାରେ ଜଣଙ୍କ ମୃତ୍ୟୁ ଘଟଣା, ସତ୍ୟ ଉପରୁ ପରଦା ଉଠାଇଲେ ଏସପି - One Arrested in Poll Violence

author img

By ETV Bharat Odisha Team

Published : May 24, 2024, 11:08 PM IST

Poll Violence Case in Baragada: ନିର୍ବାଚନ ସମୟରେ ବରଗଡ଼ ଜିଲ୍ଲାରେ ହୋଇଥିବା ହିଂସା ମାମଲା । ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ,

Poll Violence Case in Baragada
Poll Violence Case in Baragada (ETV Bharat Odisha)

ବରଗଡ: ବରଗଡ଼ରେ ନିର୍ବାଚନୀ ହିଂସା ଘଟଣା । ନିର୍ବାଚନ ଦିନରେ ବରଗଡ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ମତଦାନ ସମୟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ବରଗଡ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଆଜି ଏନେଇ ବରଗଡ ଏସପି ପ୍ରହଲ୍ଲାଦ ସାହାୟି ମିନା ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ହତ୍ୟାକାଣ୍ଡ ଘଟଣାଟି ଏକ ରାଜନୈତିକ ହିଂସାକାଣ୍ଡ ବୋଲି ବିରୋଧୀ ଦଳ ଅଭିଯୋଗ ଆଣି ମୃତକଙ୍କ ପରିବାର ଲୋକଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା କୌଣସି ରାଜନୈତିକ ହିଂସାକାଣ୍ଡ ନୁହେ ବୋଲି ପୂର୍ବରୁ ପ୍ରେସ ନୋଟ ଜରିଆରେ ସୂଚନା ଦିଆଯାଇଥିଲା ।

Poll Violence Case in Baragada (ETV Bharat Odisha)

ପୋଲିସ ସୂଚନା ଅନୁଯାୟୀ, ଗତ 20 ତାରିଖରୁ ଜିଲ୍ଲା ପୋଲିସ ବିଭାଗ ଏହି ହତ୍ୟା ଘଟଣାକୁ ନେଇ ଅନେକ ଟିମ ଗଠନ କରି ହତ୍ୟାରେ ସାମିଲ ଥିବା ଅପରାଧୀ ମାନଙ୍କୁ କାବୁ କରିବାକୁ ଅଣ୍ଟା ଭିଡିଥିଲେ । ଏହି ହତ୍ୟାକାଣ୍ଡ ଘଟଣାର ଜଣେ ସହଯୋଗୀଙ୍କୁ ପୋଲିସ ପଡୋଶୀ ଛତିଶଗଡ ରାଜ୍ୟରୁ ଗିରଫ କରିଥିବାରେ ସଫଳ ହୋଇଥିବା ନେଇ ଆଜିର ସାମ୍ବାଦିକ ସମ୍ବିଳନୀରେ ଏସପି ସୂଚନା ଦେଇଛନ୍ତି । ତେବେ ଏସପିଙ୍କ କହିବା ଅନୁଯାୟୀ ମୃତ ବିଶ୍ଵନାଥ ମିର୍ଧା ସରସରା ରାସ୍ତା କଡରେ ଥିବା ଏକ ଗଛ ତଳେ ନିଜ ଅଟୋ ରଖି ଛିଡା ହୋଇଥିବା ସମୟରେ ଅନ୍ୟ ଏକ ଅଟୋ ଆସି ତାଙ୍କ ସମ୍ମୁଖରେ ଅଟକିଥିଲା । ଠିକ ସେହି ସମୟରେ ଏକ ପଲ୍‌ସର ବାଇକରେ ଅଶୋକ ମହାନନ୍ଦ ଆସି ରାସ୍ତାରେ ଅଟୋ ଛିଡା କରିଥିବା ଘଟଣାକୁ ନେଇ ପାଟିତୁଣ୍ଡ କରିଥିଲା । ଏଥିରେ ବିଶ୍ଵନାଥ ମିର୍ଧା ମଝିରେ ପଡି ଅଶୋକ ମହାନନ୍ଦକୁ ପ୍ରଥମେ ଆକ୍ରମଣ କରିବାରୁ ଅଶୋକ ମହାନନ୍ଦ ଏବଂ ଖବର ପାଇ ଘଟନା ସ୍ଥଳକୁ ପହଞ୍ଚିଥିବା ଅଶୋକର ସାଙ୍ଗ ମନୋଜ ବିଶ୍ଵନାଥକୁ ହତ୍ୟା କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ.. ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ - Poll Violence

ମନୋଜ ବିଶ୍ଵନାଥକୁ ଧରିଥିବାବେଳେ ଅଶୋକ ଛୁରୀ ସାହାଯ୍ୟରେ ବିଶ୍ଵନାଥକୁ ଆକ୍ରମଣ କରିଥିଲା । ତେବେ ଅନ୍ୟ ଅଟୋ ଡ୍ରାଇଭର ବିଶ୍ଵନାଥକୁ ହସ୍ପିଟାଲକୁ ଆଣିଥିବା ବେଳେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ଘଟାଇ ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ଅଶୋକର ସହଯୋଗୀ ମନୋଜକୁ ଛତିଶଗଡ ରାଜ୍ୟରୁ ଗିରଫ କରିଛି । ମାତ୍ର ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଅଶୋକ ଫେରାର ଅଛି, କିନ୍ତୁ ଶୀଘ୍ର ତାକୁ ମଧ୍ୟ କାବୁ କରାଯିବ ବୋଲି ଏସପି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.