ETV Bharat / state

ଆସନ୍ତା ୪ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ୬ତାରିଖରୁ କାଳବୈଶାଖୀ ! - Heat Wave Alert

author img

By ETV Bharat Odisha Team

Published : Apr 3, 2024, 6:47 PM IST

Heat Wave Alert: ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Heat Wave
Heat Wave

Heat Wave

ଭୁବନେଶ୍ବର: ଜଳୁଛି ସାରା ଓଡିଶା। ପାରଦ ଉପରମୁହାଁ ଥିବାବେଳେ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ଖରା ହେବାକୁ ଥିବାବେଳେ ତାତିରୁ ନିସ୍ତାର ନାହିଁ। ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତ୍ରି ସ୍ଥିତି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଉଷ୍ମ ଆଦ୍ର ସ୍ଥିତି ଲାଗି ରହିବ। ରାଜ୍ୟରେ ଗରମ ସହ ଅନେକ ସ୍ଥାନରେ ୫୦ ରୁ ୭୦ ପ୍ରତିଶତ ଆଦ୍ରତାର ପରିମାଣ ରହୁଥିବାବେଳେ ଉଷ୍ମ ଓ ଆଦ୍ର ସ୍ଥିତି ୩ରୁ ୪ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ତାତିର ପ୍ରକୋପକୁ ଦେଖି ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ମାଲକାନଗିରି ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହକୁ ନେଇ ନୟାଗଡ଼, ବୌଦ୍ଧ , କନ୍ଧମାଳ , କଟକ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡ଼ରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ୭ ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁଥିବାବେଳେ ମାଲକାନଗିରିରେ ସର୍ବାଧିକ ୪୧ .୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଅତ୍ୟଧିକ ଆବଶ୍ୟକ ନଥିଲେ ଘରୁ ବାହାରିବା ପରାମର୍ଶ ଦିଆଯାଇଚି। ବିଶେଷ କରି ଖରାର ପ୍ରଖର ପ୍ରକୋପ ସମୟ ଯେପରିକି ୧୧ଟା ରୁ ୩ଟା ଭିତରେ ଘରେ ରହିବା ପାଇଁ କୁହାଯାଇଛି। ଛୋଟପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀଙ୍କୁ ଖରାକୁ ବାହାରିବାକୁ ବାରଣ କରାଯାଇଛି । ପ୍ରଚୁର ପରିମାଣର ପାଣି ପିଇବା ସହ ଘରୁ ବାହାରିବା ସମୟରେ ହାଲୁକା କପଡାର ବସ୍ତ୍ର ଓ ପାଣି ବୋତଲ, ଛତା ଆଦି ଆବଶ୍ୟକୀୟ ସାମଗ୍ରୀ ସହ ବାହାରିବା ପାଇଁ ବିଭାଗ ସତର୍କ କରାଇଛି।

ଏହା ମଧ୍ୟ ପଢନ୍ତୁ...ଖରା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା: ଲାଗିଛି କୁଲର, ପଶୁଙ୍କ ଖାଦ୍ୟରେ ତରଭୁଜ ସହ ସୁପର ଫ୍ରୁଟ୍ସ - HEAT WAVE

ଗ୍ରାମାଞ୍ଚଳରେ ବିଶେଷ କରି ଚାଷୀଙ୍କୁ କ୍ଷେତକୁ ଯିବା ପାଇଁ ବାରଣ କରାଯାଇଛି। ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬ , ୭, ୮ ଓ ୯ ତାରିଖରେ କାଳବୈଶାଖୀ ହୋଇପାରେ । ପ୍ରଭାବରେ ୭ ତାରିଖରୁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.