ETV Bharat / state

ମାଘରେ ବାଘ ଭଳି ଖରା; କଲବଲ ହେଲାଣି ଜନଜୀବନ, ଚିନ୍ତାରେ ପରିବେଶବିତ୍

author img

By ETV Bharat Odisha Team

Published : Feb 8, 2024, 10:21 AM IST

Changes In Cycle Of Seasons: ଫେବୃୟାରୀ ମାସ ଆରମ୍ଭରୁ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି ତାତି । ଗଛର ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପରିବେଶବିତଙ୍କ ପରାମର୍ଶ । ଅଧିକ ପଢ଼ନ୍ତୁ

ଋତୁଚକ୍ରରେ ପରିବର୍ତ୍ତନ
ଋତୁଚକ୍ରରେ ପରିବର୍ତ୍ତନ

ଋତୁଚକ୍ରରେ ପରିବର୍ତ୍ତନ

ଜଗତସିଂହପୁର: ରାଜ୍ୟରୁ ଶୀତ ଉଭାନ । ଫେବୃୟାରୀ ମାସ ଆରମ୍ଭରୁ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି ତାତି । ତେବେ ଜଗତସିଂହପୁର ଜିଲ୍ଲା ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ଏହି ଜିଲ୍ଲାରେ ଖରାର ପ୍ରଭାବ ମାର୍ଚ୍ଚ ଶେଷ ସୁଦ୍ଧା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଜିଲ୍ଲାରେ ମାଘ ମାସର ପ୍ରାରମ୍ଭରେ ଆରମ୍ଭ ହେଲାଣି ଅସହ୍ୟ ତାତି । ଦିନକୁ ଦିନ ଗଛ କଟାର ପରିମାଣ ବୃଦ୍ଧି ପାଉଥିବାରୁ ଏଭଳି ଋତୁଚକ୍ରରେ ପରିବର୍ତ୍ତନ ଦେଖାଦେଇଥିବା ପରିବେଶବିତମାନେ କହିଛନ୍ତି ।

ଦିନ 10ଟା ପରେ ଜଗତସିଂହପୁର ସହରରେ ପ୍ରବଳ ଖରା ସହିତ ଗରମ ଅନୁଭୂତ ହେଲାଣି । ଓଡ଼ିଆ ମାସ ହିସାବରେ ପୌଷ ଓ ମାଘ ମାସରେ ଶୀତ ଅନୁଭୂତ ହୋଇଥାଏ । ଫାଲଗୁନ ପ୍ରାରମ୍ଭରେ ବସନ୍ତ ଋତୁର ଆଗମନ ହୋଇଥାଏ । କିନ୍ତୁ ବିଶ୍ୱ ତାପାୟନ ବା ଗ୍ଲୋବାଲ ୱାର୍ମିଂ ଫଳରେ ପରିବେଶ ସନ୍ତୁଳନ ହରାଇ ବସିଲାଣି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢିବା କାରଣରୁ ବାୟୁ ମଣ୍ଡଳ ଉତ୍ତପ୍ତ ହେଉଛି । ଫଳରେ ଅଦିନରେ ଗରମ ଅନୁଭୂତ ହେଉଛି । ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

ତେବେ ଜଗତସିଂହପୁର ଜିଲ୍ଲାର ଆୟତନ 14 ଶହ ବର୍ଗ କିଲୋମିଟର ହୋଇଥିବା ବେଳେ 2000 ମସିହା ସୁଦ୍ଧା ଏହି ଜିଲ୍ଲାରେ ପ୍ରାୟ 45 ପ୍ରତିଶତ ସବୁଜ ବନାନୀ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏହା ଅଧାରୁ ଅଧିକ ହ୍ରାସ ପାଇଛି । ରାସ୍ତା ପ୍ରଶସ୍ତିକରଣ, କଳା କାରଖାନା ନିର୍ମାଣ, କଂକ୍ରିଟ ରାସ୍ତା ଓ ଘର ନିର୍ମାଣ ଫଳରେ ପ୍ରତ୍ୟେକ ବର୍ଷ ହଜାର ହଜାର ଗଛ କାଟି ଦିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ମାଘରେ ବାଘର ତାତି, ଏବେଠୁ ଅସହ୍ୟ ହେଲାଣି ଖରା

ସେପଟେ ଯେଉଁ ପରିମାଣରେ ଗଛଗୁଡିକୁ କଟା ଯାଉଛି ସେହି ପରିମାଣରେ ଗଛ ଲଗାଯାଉନାହିଁ । ଫଳରେ ପରିବେଶ ସନ୍ତୁଳନ ହରାଇ ବସିଛି ଓ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଉଛି । ଜଗତସିଂହପୁର ଭଳି ଏକ ଉପକୂଳବର୍ତ୍ତୀ ଜିଲ୍ଲାରେ ମାଘ ମାସରୁ ଏଭଳି ଗରମ ଅନୁଭୂତ ହେଉଥିବା ବେଳେ ଆଗାମୀ ଦିନରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଚିନ୍ତା ବଢାଇବ ଏଥିରେ ସନ୍ଦେହ ନାହିଁ ।

ପାରାଦ୍ୱୀପ ସମୁଦ୍ର ଉପକୂଳ ଅଞ୍ଚଳରେ ଶହ ଶହ ଏକର ଝାଉଁ ଜଙ୍ଗଲକୁ କିଛି କାଠ ମାଫିଆଙ୍କ ଇଙ୍ଗିତରେ ଲୋକେ କାଟି ନେଉଛନ୍ତି । ବନ ବିଭାଗ ସବୁ ଦେଖି ନଦେଖିଲା ଭଳି ରହୁଛି । 55 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁଁ ପ୍ରାୟ 30 ହଜାରରୁ ଅଧିକ ଗଛ କଟାଯାଇଛି । ଆଗାମୀ ଦିନରେ ଯଦି ଗଛକୁ ଲଗାଇବା ଓ ଗଛର ସୁରକ୍ଷା ପାଇଁ ବ୍ୟବସ୍ଥା କରାନଯାଏ ତେବେ ପ୍ରକୃତି ଭୟଙ୍କର ରୂପ ଧାରଣ କରିବ ବୋଲି କହିଛନ୍ତି ପରିବେଶବିତ୍ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.