ETV Bharat / state

ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ ଘୋଟାଲାରେ ED ରେଡ୍ ଜାରି; ବ୍ରହ୍ମପୁରରୁ କୋଟିଏ ଟଙ୍କା ଜବତ

author img

By ETV Bharat Odisha Team

Published : Feb 9, 2024, 11:26 AM IST

ED Raids on Golden Land: ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଠକେଇ ମାମଲାରେ ଇଡି ରେଡ୍ ଜାରି । ବ୍ରହ୍ମପୁରରୁ ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଅଧିକ ପଢନ୍ତୁ

ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ
ED Raids on Golden Land

ଭୁବନେଶ୍ଵର/ବ୍ରହ୍ମପୁର: 900 କୋଟି ଟଙ୍କା ଠକେଇ ମାମଲାରେ ଇଡିର ଖୋଳତାଡ଼ ଜାରି ରହିଛି । ଜବତ ହୋଇଛି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଗୋଲ୍ଡେନ ଲ୍ୟାଣ୍ଡ ଲିଙ୍କ୍ ନେଇ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ ।

ସୂଚନା ଅନୁସାରେ, ଗତକାଲି(ଗୁରୁବାର) ଦିନତମାମ ବ୍ରହ୍ମପୁର ସହର ସମେତ ଉପକଣ୍ଠରେ ରହିଥିବା ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଦିନତମାମ ଚଢ଼ାଉ ଜାରି ରହିଥିବା ବେଳେ ଆଖି ଖୋସି ହେଲାଭଳି ଟଙ୍କା ଜବତ ହୋଇଛି । ବେଆଇନ ଆର୍ଥିକ କାରବାର ହୋଇଥିବା ନେଇ ଅନୁମାନ କରିବା ସହ ବିଭିନ୍ନ ଆକାଉଣ୍ଟକୁ ଯାଞ୍ଚ କରାଯାଇଥିଲା । ବହୁ ପରିମାଣର ଅର୍ଥ ରହିଥିବା ଆକାଉଣ୍ଟକୁ ସିଜ କରିଛି ଇଡି । ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ଚଢ଼ାଉ ଶେଷ ହୋଇଥିବା କୁହାଯାଉଥିବା ବେଳେ ଏହି ଟଙ୍କା କେଉଁଠି ବିନିଯୋଗ ହେଉଥିଲା ତାର ଅଧିକ ଖୋଳତାଡ କରୁଛି ଇଡି । ଗୁରୁବାର ଓଡ଼ିଶାର 10ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଦେଶର ପ୍ରାୟ 20 ଗୋଟି ସ୍ଥାନରେ ଏକ ସଙ୍ଗେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଚଢ଼ାଉ ପରେ ଇଡି କେଉଁ ପ୍ରକାର ସୂଚନା ଦେଇଛି ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀରେ ପଶିଲା ଇଡି, ଓଡ଼ିଶାର ୧୫ ସ୍ଥାନରେ ରେଡ୍

ଓଡ଼ିଶାର ଭୁବନେଶ୍ବର, ଦିଗପହଣ୍ଡି ଏବଂ ବ୍ରହ୍ମପରୁର 10 ସ୍ଥାନରେ ଏକାକଳୀନ ରେଡ କରିଥିଲା ଇଡି । ବ୍ରହ୍ମପୁରର ପ୍ରତିଷ୍ଠିତ ବିଲଡର ଟୁଲୁ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଲକ୍ଷ୍ମୀ ସାହୁ ଓ ଜମି କାରବାରରେ ସଂପୃକ୍ତ ସଞ୍ଜୟ ପାଣିଗ୍ରାହୀଙ୍କ ଘର ସହ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଜାଗାରେ ED ଚଢ଼ାଉ କରିଥିଲାା । ତେବେ ଏହି ସମୟରେ ପ୍ରାୟ 1 କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିରେ 100, 200 ଏବଂ 500 ଟଙ୍କିଆ ନୋଟ୍ ବିଡା ରହିଛି । ପ୍ରକାଶଥାଉକି, ୨୦୦୧ରୁ ୨୦୧୧ମସିହା ଭିତରେ ସକ୍ରିୟ ରହିଥିଲା ଏହି କମ୍ପାନି । ପୂର୍ବରୁ ଅର୍ଥାତ 2017 ମସିହାରେ ଏହି କମ୍ପାନୀ ନାଁରେ ସିବିଆଇ ଦୁଇଟି ଚାର୍ଜସିଟ ଦାଖଲ କରିଥିଲା । ଆରଡି ଏବଂ ଏଫଡି ଜରିଆରେ ପ୍ଲଟ ଠକେଇ କରୁଥିବା ଅଭିଯୋଗ ହୋଇଥିଲା । ତେବେ ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ଇଡି ପକ୍ଷରୁ ପ୍ରଥମ ଥର କରି ଗୁରୁବାର ଚଢାଉ କରାଯାଇଥିଲା । ତେବେ ରେଡ ସମୟରେ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଇଡି ।

ଇଟିଭି ଭାରତ, ଭୁବନେଶ୍ଵର/ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.