ETV Bharat / state

ଷ୍ଟିଲ ସିଟିରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ବସ୍ତି ବାସିନ୍ଦା - Rourkela Water Problem

author img

By ETV Bharat Odisha Team

Published : May 12, 2024, 8:49 PM IST

Drinking Water Problem in Rourkela: ପାଣି ସମସ୍ୟାରେ ଯୁଝି ହେଉଛନ୍ତି ରାଉରକେଲାର ବସ୍ତି ବାସିନ୍ଦା । ଅଧିକ ପଢ଼ନ୍ତୁ

Drinking Water Problem
Drinking Water Problem (ETV Bharat Odisha)

Drinking Water Problem (ETV Bharat Odisha)

ରାଉରକେଲା: ସ୍ମାର୍ଟ ସିଟିରେ ପାନୀୟ ଜଳ ସମସ୍ୟା । ପାଇପ ଲାଗିଛି ଟ୍ୟାପ ଲାଗିଛି କିନ୍ତୁ ପାଣି ଦିନେ ଆସିଲେ ପାଞ୍ଚ ଦିନ ନାହିଁ । ଏଭଳି ଜଳ ସମସ୍ୟା ଭୋଗୁଛନ୍ତି ରାଉରକେଲା ରାଜୀବ ବସ୍ତିର ଲୋକେ । ରାଉରକେଲାରେ ଲୋକଙ୍କୁ କଲବଲ କରୁଛି ପାନୀୟ ଜଳ ସମସ୍ୟା । ସହରରେ ଉତ୍କଟ ରୂପ ନେବାରେ ଲାଗିଛି ଜଳ ସମସ୍ୟା । ତେବେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରିଥିବା ବେଳେ ସହରରେ ସପ୍ଲାଇ ହେଉଥିବା ପିଏଚଡ଼ି ପାଣି ମଧ୍ୟ ଠିକରେ ଆସୁ ନଥିବା ଲୋକ ଅଭିଯୋଗ କରିଛନ୍ତି । ତେବେ ସରକାରଙ୍କର ଜଳ ଯୋଗାଣ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ ଖରା ଦିନ ଆସିବା ମାତ୍ରେ ଲୋକ ଜଳ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି ।

ରାଜୀବ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସେହି ଅଞ୍ଚଳରେ ଘରେ ଘରେ ସପ୍ଲାଇ ପାଣି ପାଇଁ ଟ୍ୟାପ ଲାଗିଛି, ପାଇପ ମଧ୍ୟ ବିଛା ଯାଇଛି । ହେଲେ ଠିକ ଭାବରେ ପାଣି ଆସୁ ନାହିଁ । ଦିନେ ପାଣି ଆସିଲେ ଆଉ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଣି ଆସୁନି । ଅନ୍ୟପଟେ ସେଠାରେ ଥିବା ନଳକୂଅରେ ପାଣି ଠିକ ଭାବରେ ବାହାରୁ ନଥିବା ବେଳେ ଦଶ ବାଲଟି ପାଣି ବାହାରିବା ପରେ ପାଣିରୁ ଦୁର୍ଗନ୍ଧ ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ପାଖରେ ଥିବା ରେଲୱେ ପାଇପ ଫାଟି ଯାଇଥିବାରୁ ବସ୍ତି ବାସିନ୍ଦା ସେଠାରୁ ପାଣି ଆଣି ବ୍ୟବହାର କରୁଥିବା ବେଳେ ତାହା ପର୍ଯ୍ୟାପ୍ତ ହେଉନଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ଶୁଖିଲା ପଡ଼ିଛି ମାଛକାନ୍ଦଣା ନଦୀ, ଜଳକଷ୍ଟ ଭୋଗୁଛନ୍ତି ସହରବାସୀ - Water Problem

ଏହି ବସ୍ତିରେ ପ୍ରାୟ ୧୦୦ ପରିବାରରୁ ଊର୍ଦ୍ଧ୍ବ ଲୋକେ ବସବାସ କରନ୍ତି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ପାଣି ସମସ୍ୟା ଦୂର ହେବାର ନାଁ ନେଉ ନାହିଁ । ରାଜ୍ୟ ସରକାର ଚବିଶ ଘଣ୍ଟିଆ ଜଳ ଯୋଗାଣ ନେଇ ବାହାଦୁରୀ ମାରୁଥିବା ବେଳେ ଆଜି ମଧ୍ୟ ପାଣି ମୁନ୍ଦେ ଲାଗି ହନ୍ତସନ୍ତ ହେଉଛନ୍ତି ଜନତା । ତେବେ ଦୁଇ ବର୍ଷରୁ ଅଧିକ ସମୟ ହେବ ପାଣି ପାଇପ ଲାଗିଛି କିନ୍ତୁ ପାଣିର ଭଲ ଭାବରେ ଦେଖାନାହିଁ। ତେବେ ଏହି ପାଣି ସମସ୍ୟା ବିଶେଷ କରି ମହିଳା ଏବଂ ଶିଶୁ ମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରୁଥିବା ସେମାନେ କହିଛନ୍ତି । ତେବେ ଏହି ସମସ୍ୟା ନେଇ ଜଳ ଯୋଗାଣ ଅଧିକାରୀ କହିଛନ୍ତି ଯେ, ସମସ୍ତ ଅଞ୍ଚଳ ପାଇଁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଯେଉଁ ଅଞ୍ଚଳରେ ଜଳ ସମସ୍ୟା ହେଉଛି ଖୁବ ଶୀଘ୍ର ସେଠାରେ ଲୋକ ନିୟମିତ ପାଣି ପାଇବେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.