ETV Bharat / state

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଜଗତସିଂହପୁରରେ 1475 ଜଣ ପୁରସ୍କୃତ

author img

By ETV Bharat Odisha Team

Published : Feb 20, 2024, 10:12 AM IST

Mukhyamantri Sikhya Puraska: ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ 'ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ'ର ନାରାରେ ଜଗତସିଂହପୁର ଜିଲ୍ଲାର 1475 ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଜଗତସିଂହପୁର: ଶିକ୍ଷାର ବିକାଶରେ ସମାଜର ବିକାଶ ହୋଇଥାଏ । ଏହି ଲକ୍ଷ୍ୟ ରଖି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ 5T ଉପକ୍ରମରେ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି(ସୋମବାର) ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ 'ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ' ନାରା ଦେଇ ଜିଲ୍ଲାର 1475 ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି ।

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମୋଟ 1475 ଜଣଙ୍କୁ ପୁରସ୍କୃତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି କହିଥିଲେ ଯେ, ଶୁଦ୍ର ମୁନି ସାରଳା ଦାସଙ୍କ ମାଟି ଜଗତସିଂହପୁର ସବୁବେଳେ ଶିକ୍ଷା କ୍ଷେତ୍ରରେ ଆଗୁଆ । ଜଣେ ନେତା କେବଳ ଆଗାମୀ ନିର୍ବାଚନ କଥା ଭାବିଥାଏ, କିନ୍ତୁ ଜଣେ ସୁଯୋଗ୍ୟ ଜନନାୟକ ଆଗାମୀ ପିଢି କଥା ଭାବିଥାଏ । ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମରେ ବିଦ୍ୟାଳୟଗୁଡିକର ରୁପାନ୍ତରିକରଣ କରି ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି, ଯାହା ଓଡ଼ିଶାର ସୁଯୋଗ୍ୟ ଶିକ୍ଷାର୍ଥୀମାନଙ୍କୁ ବ୍ରେନ ଡ୍ରେନରୁ ରକ୍ଷା କରି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ସହାୟକ ହୋଇଛି ।

ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ, ଗୋଟିଏ ଛାତ୍ରର ସାମଗ୍ରିକ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଅଭିଭାବକମାନଙ୍କର ମଧ୍ୟ ଗୁରୁଦାୟିତ୍ବ ରହିଛି । ସେହିପରି ଜିଲ୍ଲାପାଳ ପାରୁଲ ପଟାୱରି ଜିଲ୍ଲାରେ 5T ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରିକରଣ ଉପରେ ଆଲୋକପାତ କରି ଏହି ରୂପାନ୍ତରିତ ରୂପକୁ ଯତ୍ନବାନ୍ ହୋଇ ଆଗାମୀ ପିଢି ପାଇଁ ସାଇତି ରଖିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ପ୍ରଯୁକ୍ତି ବିଦ୍ୟା ଆଧାରରେ ଦିଆଯାଇଥିବା ସ୍ମାର୍ଟ କ୍ଲାସରେ ଶିକ୍ଷାଦାନ ପାଇଁ ସର୍ବଦା ନିଜକୁ ଅପଡେଟ ରଖି ଏହାର ସଦୁପଯୋଗ କରିବାକୁ ଜିଲ୍ଲାପାଳ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ମାଟ୍ରିକ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ।

ଜିଲ୍ଲା ପରିଷଦର ଅଧ୍ୟକ୍ଷ ମନୋଜ କୁମାର ଭୋଇ ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ଅଦ୍ଭୁତପୂର୍ବ ସଫଳତା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ଜିଲ୍ଲା ଷ୍ଟୁଡେଣ୍ଟ ଏକାଡେମିକ ପୁରସ୍କାର ବର୍ଗରେ 93 ଜଣ, ବ୍ଲକ୍ ଷ୍ଟୁଡେଣ୍ଟ ଏକାଡେମିକ ପୁରସ୍କାର ବର୍ଗରେ 814 ଜଣ, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପାଇଁ 486 ଜଣ, ବ୍ଲକସ୍ତରୀୟ ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ 24ଟି, ବ୍ଲକସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି 8ଟି, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକରେ 5 ଜଣ, ପୁରାତନ ଛାତ୍ର ପରିଷଦ ବର୍ଗରେ 7 ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜଗତସିଂହପୁର ଜିଲ୍ଲା ହାତେଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ସେହିପରି ବ୍ଲକସ୍ତରୀୟ ଏଲିମେଣ୍ଟାରୀ ବିଦ୍ୟାଳୟ ବର୍ଗରେ 23ଟି ବିଦ୍ୟାଳୟ, ବ୍ଲକ୍ ସ୍ତରୀୟ ଗ୍ରାମପଞ୍ଚାୟତ ବର୍ଗରେ 7 ଜଣ, ଏଲିମେଣ୍ଟାରୀ ଶିକ୍ଷକ ବର୍ଗରେ 8 ଜଣ, ଏଭଳି ମୋଟ 1475 ଜଣ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାର ମନୋନୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.