ETV Bharat / state

ବିସ୍ଥାପିତଙ୍କୁ କରାଯାଉନି ଥଇଥାନ, ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ ନେଇ ଧମକ ଦେଲା ବିସ୍ଥାପିତ ମଞ୍ଚ

author img

By ETV Bharat Odisha Team

Published : Mar 15, 2024, 3:07 PM IST

Displaced People Protest: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବସୁନ୍ଧରା-ଗର୍ଜନବାହାଲ କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତଙ୍କ ଆନ୍ଦୋଳନ । ଥଇଥାନ କରାନଗଲେ ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଧମକ । ଅଧିକ ପଢନ୍ତୁ

Etv Bharat
Etv Bharat

Displaced People Protest

ରାଉରକେଲା: ରାସ୍ତାକୁ ଓହ୍ଲାଇ ଗର୍ଜିଲେ ବସୁନ୍ଧରା-ଗର୍ଜନବାହାଲ କୋଇଲା ଖଣି ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ପରିବାର । ନିଯୁକ୍ତି, ପୁନର୍ବାସ, ଥଇଥାନକୁ ନେଇ ଏମ୍‌ସିଏଲ୍ ଦିନ ଗଡାଉଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ୧୪ଟି ଗାଁର ବିସ୍ଥାପିତ । ଏମ୍‌ସିଏଲ୍ ଥଇଥାନ ନୀତିର ପାଳନ ନକରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନମାନିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପୂରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ବିସ୍ଥାପିତ । ଚାକିରି ଦେବାକୁ ଦମ୍ ନାହିଁ ତ ଜମି ଅଧିଗ୍ରହଣ କ'ଣ ପାଇଁ । ସବୁ ମାମଲାର ବିଚାର ଯଦି କୋର୍ଟ କରିବେ, ସରକାର, ପ୍ରଶାସନ କ'ଣ କରିବେ ଏଭଳି କହି ଗର୍ଜିଛନ୍ତି ବିସ୍ଥାପିତ ପରିବାର ।

ଆଜି ଏମ୍‌ସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷାମଞ୍ଚ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ପୁନର୍ବାସ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚନ୍ୟାୟାଳୟ ଓ କ୍ଲେମ୍ କମିସନ ଦେଇଥିବା ଆଦେଶକୁ ମହାନଦୀ ଖୋଲାମୁହଁ କୋଇଲାଖଣି ପ୍ରକଳ୍ପ (ଏମ୍‌ସିଏଲ୍) ଅବମାନନା ଓ ପ୍ରଶାସନ ନିରବ ରହୁଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ । ଠିକ୍ ସମୟରେ ନ୍ୟାୟ ନମିଳିଲେ ଖଣି ଓ ଭୋଟ୍ ବର୍ଜନ କରିବେ ବୋଲି ମଞ୍ଚ ଚେତାବନୀ ଦେଇଛି ।


ଏହା ମଧ୍ୟ ପଢନ୍ତୁ-ଦାବି ଶୁଣିଲେନି ସରକାର; ଆତ୍ମହୂତି ଉଦ୍ୟମ କଲେ ରେଙ୍ଗାଳି ବିସ୍ଥାପିତ

ପ୍ରତିବାଦ ସଭାରେ ବିସ୍ଥାପିତ ମଞ୍ଚ ନେତାମାନେ ଅଭିଯୋଗ କରିଥିଲେ ଯେ, ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ସମେତ ବିସ୍ଥାପିତ ଗାଁ ସରଡେଗା, ଟିକିଲିପଡ଼ା, ସିଆରମାଲ, କରଲିକଛାର, ଲାଲମା ସଂରକ୍ଷିତ ଜଙ୍ଗଲକୁ ସମ୍ପୂର୍ଣ୍ଣ ବିସ୍ଥାପିତ ବା ସମାପ୍ତି ପ୍ରମାଣପତ୍ର ଦିଆଯାଇ ନାହିଁ । ଫଳରେ ପ୍ରତିବର୍ଷ ସଦ୍ୟତାଲିକା ପ୍ରସ୍ତୁତ କରିବାକୁ ଦାବି ହୋଇଥିଲା । ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟ ବିସ୍ଥାପିତ ମଞ୍ଚର ଦାବିକୁ ସମର୍ଥନକରି ଏମ୍‌ସିଏଲ୍‌କୁ ନୀତିର ଠିକ୍ ଅନୁପାଳନ କରିବାକୁ କହିଥିଲେ । କିନ୍ତୁ ଏମ୍‌ସିଏଲ୍ ଏହାକୁ ଗ୍ରହଣ ନକରି ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ିଥିଲା ଏହାପରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଲିଲିକୁମାରୀ କୁଲୁ ୨୦୨୩ ଅକ୍ଟୋବର ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠିଲେଖି ସବୁ ବିଷୟରେ ସ୍ପଷ୍ଟ କରିଥିଲେ । ନିଜର ଭିଟା ମାଟି ହରାଇ ଆଜି ବାର ଦୁଆର ଶୁଣ୍ଡି ପିଣ୍ଡା ହେଇଛନ୍ତି ବିସ୍ଥାପିତ ପରିବାର । ଶୀଘ୍ର ସମସ୍ତ ସମସ୍ୟା ର ସମାଧାନ କରି କ୍ଷତିପୂରଣ ପ୍ରଦାନ ଓ ଥଇଥାନ ଦାବି କରି ଆଜି ଗର୍ଜିଥିଲେ ବିସ୍ଥାପିତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ଏମ୍‌ସିଏଲ୍ ଓ ପ୍ରଶାସନ ନିରବ ରହିଛନ୍ତି । କେବଳ ସେତିକି ନୁହେଁ, ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହନିର୍ମାଣ ଭୂମି ଚୂଡ଼ାନ୍ତ କରାନଯିବା, ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହନେବାକୁ ଚାହୁଁ ନଥିବା ବିସ୍ଥାପିତ ପରିବାରକୁ ୨୫ ଲକ୍ଷ ଦିଆଯିବାକୁ ଥିବାବେଳେ କମ୍ପାନୀ ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଏତି ପାଇଁ ବିଭିନ୍ନ ସମୟରେ ଖଣିବନ୍ଦ ଆନ୍ଦୋଳନ କରାଯାଉଛି । ଆଜି ପିଲାକୁଟୁମ୍ବ ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଆସି ପ୍ରତିବାଦ କରିଥିଲେ ବିସ୍ଥାପିତ । ବିସ୍ଥାପିତଙ୍କ ଆନ୍ଦୋଳନ ବେଳେ ଆଜି ଧସ୍ତାଧସ୍ତି, ଠେଲାପେଲା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.