ETV Bharat / state

କେନ୍ଦୁଝର କଂଗ୍ରେସ ପ୍ରାର୍ଥୀଙ୍କୁ ବିରୋଧ, ପଦ ଛାଡ଼ିଲେ ଜିଲ୍ଲା ସ୍ତରୀୟ ନେତା - KENDUJHAR CONGRESS CRISIS

author img

By ETV Bharat Odisha Team

Published : Apr 15, 2024, 2:56 PM IST

Kendujhar Congress Crisis: କେନ୍ଦୁଝର କଂଗ୍ରେସରେ କେଁ । କେନ୍ଦୁଝର ଲୋକସଭା ପ୍ରାର୍ଥୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ନେତା ଖପ୍ପା । ପ୍ରତିବାଦରେ ପଦବୀ ଛାଡ଼ିଲେ ଜିଲ୍ଲା କଂଗ୍ରେସର କିଛି ଛାମୁଆ ନେତା ଓ କର୍ମକର୍ତ୍ତା । ଅଧିକ ପଢନ୍ତୁ,

congress candidate
congress candidate

congress candidate

କେନ୍ଦୁଝର: ପାଖେଇ ଆସୁଛି ନିର୍ବାଚନ। ଏନେଇ ରାଜନୀତି ପାଣିପାଗ ସରଗରମ ହୋଇଛି । ତେବେ ଦୀର୍ଘଦିନ ଅପେକ୍ଷା ପରେ ରାଜ୍ୟ କଂଗ୍ରେସ ତାର ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାରି ଭିତରେ ରାଜ୍ୟ କଂଗ୍ରେସ ପକ୍ଷରୁ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ପୂର୍ବଥର ନିର୍ବାଚନ ଲଢ଼ି ହାରିଥିବା ମୋହନ ହେମ୍ବ୍ରମଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରାଯାଇଛି । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ସଂଗଠନରେ ବିବାଦ ମୁଣ୍ଡ ଟେକିଛି ।

ସଙ୍କଟ ସମୟରେ କଂଗ୍ରେସ କୌଣସି ରିସ୍କ ନ ନେଇ ମୋହନଙ୍କୁ ପୁଣି ଥରେ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏହାକୁ ଦଳର କିଛି ନେତା ସ୍ଵାଗତ ମଧ୍ୟ କରିଛନ୍ତି। କିନ୍ତୁ ଜିଲ୍ଲା ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବାରୁ ଅସ୍ଵାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଏଥିସହ ଜିଲ୍ଲା ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପିସିସି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଜ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି କଂଗ୍ରେସର କିଛି ଜିଲ୍ଲାସ୍ତରୀୟ ନେତା । ଜିଲ୍ଲା ସଭାପତି ମୋହନ ପରିଡ଼ା ଏହି ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ଛାମୁଆ ସଂଗଠନ ଓ ପିସିସି ସାଧାରଣ ସମ୍ପାଦକମାନେ ମଧ୍ୟ ଏହି ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ

ପ୍ରକାଶ ଥାଉକି ଯେ, କେନ୍ଦୁଝର ଜିଲ୍ଲାରେ ରାଜ୍ୟ କଂଗ୍ରେସର ଦୁଇ ଜଣ ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଅଛନ୍ତି । ରାଜ୍ୟ ସଙ୍ଗଠନରେ ଏହି ଦୁଇ ନେତାଙ୍କ ଦବଦବା ଥିବା ବେଳେ ନିଜ ଜିଲ୍ଲାରେ ସଙ୍ଗଠନ ଭୁଷୁଡି ଯାଇଥିବା ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଧରିଛି । ଏନେଇ କଂଗ୍ରେସ ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏହି ଇସ୍ତଫା ରାଜନୀତି ଅନ୍ୟ ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ମହଙ୍ଗା ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଗତ ଶନିବାର ଦଳ ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଗତକାଲି ଆଉ ୭୫ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଦଳ ତିନିଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.