ETV Bharat / state

ଆସାମରେ ରାହୁଲଙ୍କୁ ବିରୋଧର ପ୍ରତିବାଦ; ମୋଦି-ହିମନ୍ତ ବିଶ୍ବଶର୍ମାଙ୍କ କୁଶ ପୁତ୍ତଳିକା ଦାହ

author img

By ETV Bharat Odisha Team

Published : Jan 23, 2024, 9:51 AM IST

Congress Protest In Bhubaneswar: ଆସାମରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ କରାଯାଇଥିବା ପ୍ରତିରୋଧ ଉଦ୍ୟମକୁ ନିନ୍ଦା କରିଛି କଂଗ୍ରେସ । ଏନେଇ କଂଗ୍ରେସ ନେତା ଓ କର୍ମୀମାନେ ଭୁବନେଶ୍ବରରେ ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ

ମୋଦି ଓ ହିମନ୍ତଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ
ମୋଦି ଓ ହିମନ୍ତଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ମୋଦି ଓ ହିମନ୍ତଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ଭୁବନେଶ୍ବର: ଆସାମରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ କରାଯାଇଥିବା ପ୍ରତିରୋଧ ଉଦ୍ୟମକୁ ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ଏନେଇ କଂଗ୍ରେସ ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି । ରାଜ୍ୟ କଂଗ୍ରେସ ଭବନରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ ।

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃବର୍ଗଙ୍କୁ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ବରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଯାତ୍ରୀମାନଙ୍କୁ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଗାଡ଼ି ଅଟକାଇବା ଓ ଦୁର୍ବ୍ୟବହାର କରିବା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୋଷ୍ଟର ଚିରିବା ପ୍ରତିବାଦରେ ସୋମବାର ଭୁବନେଶ୍ବର ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏନେଇ ସୋମବାର ଅପରାହ୍ନରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୁଶ ପୁତ୍ତଳିକା ଦାହ କରାଯିବା ସହ ମାଷ୍ଟର କ୍ୟାଣ୍ଟିନ ଛକକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା ।

ତେବେ କଂଗ୍ରେସ ଅଭିଯୋଗ କରିଛି ଯେ, ହିମନ୍ତ ବିଶ୍ବଶର୍ମା ଜଣେ ମୁଖ୍ୟମନ୍ତ୍ରୀ ହୋଇ ଏଭଳି କରିବା ଆଦୌ ଶୁଭଙ୍କର ନୁହେଁ । କଂଗ୍ରେସ ଦଳରେ ରହି ମନ୍ତ୍ରୀ ହେବା ଓ ପରେ ଦୁର୍ନୀତିରେ ବୁଡ଼ିବା କାରଣରୁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଏଥିପାଇଁ ଏଭଳି ପ୍ରତିକ୍ରିୟାଶୀଳ ହୋଇଛନ୍ତି ହିମନ୍ତ । କଂଗ୍ରେସ ପକ୍ଷରୁ ଏହି ଆକ୍ରମଣ ପାଇଁ ହିମନ୍ତ ବିଶ୍ବଶର୍ମାଙ୍କୁ ନିନ୍ଦା କରାଯିବା ସହ ମୋଦି ସରକାର ଓ ହିମନ୍ତ ବିଶ୍ବଶର୍ମା ସରକାର ନିଜର ଦୋଷ ଓ ଦୁର୍ବଳତା, ଜନବିରୋଧି ନୀତି ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଜନନାୟକ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା କହିଛି କଂଗ୍ରେସ ।

ଏପରିକି ଏହି ଯାତ୍ରାରେ ଥିବା ଅଖିଳ ଭାରତ କଂଗ୍ରେସ କମିଟିର ଜୟରାମ ରମେଶଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଏହି ଯାତ୍ରା ହେଉଛି ସାଧାରଣ ଜନତାର ପ୍ରତିବାଦର ସ୍ବର । ଦେଶର ସାଧାରଣ ଜନତାଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରକୁ ବିଜେପି ସରକାର କ୍ଷୁର୍ଣ୍ଣ କରୁଛି । ସେଥିପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏହି ନ୍ୟାୟ ଯାତ୍ରା ହେଉଛି । ଉପେକ୍ଷିତ ଜନତାକୁ ନ୍ୟାୟ ଦେବା ପାଇଁ ଏହି ଯାତ୍ରା ଅଭିପ୍ରେତ ବୋଲି କହିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ମୋତେ ମନ୍ଦିରକୁ ଯିବାକୁ ବାରଣ କରାଯାଇଛି, ମୁଁ କଣ ଅପରାଧ କରିଛି: ରାହୁଲ ଗାନ୍ଧୀ

ଅପରପକ୍ଷରେ ନ୍ୟାୟ ଯାତ୍ରାକୁ ହିମନ୍ତ ବିଶ୍ବଶର୍ମା ମିଆଁ ଯାତ୍ରା ଭାବରେ କହିଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ଯାତ୍ରାରେ ସାଧାରଣ ଜନତା ଅଧିକରୁ ଅଧିକ ଯୋଡ଼ି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଭୟଭୀତ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହାକୁ ରୋକିବା ମୋଦି କିମ୍ବା ହେମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରେ ସମ୍ଭବ ହେବ ନାହିଁ ବୋଲି କହିଛି କଂଗ୍ରେସ ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଶ୍ବଜିତ୍ ଦାଶ, କିଶୋର ଜେନା, ୟାସିର ନୱାଜ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସୋମବାର ଅପରାହ୍ନରେ ଏହି ପ୍ରତିବାଦ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.