ETV Bharat / state

କଳାକାର ସହାୟତା ରାଶିରେ ବୃଦ୍ଧି: ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

author img

By ETV Bharat Odisha Team

Published : Feb 14, 2024, 7:13 PM IST

Artists Monthly Allowance: ଲୋକକଳା ଆମର ଅସ୍ମିତା । କଳାକାର ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ନୂଆ ଘୋଷଣା ଅନୁଯାୟୀ ହିତାଧିକାରୀ ମାନେ ଏବେ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ପାଇବେ । ଅଧିକ ପଢନ୍ତୁ

CM Naveen Patnaik
CM Naveen Patnaik

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଆଉ ଏକ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । କଳାକାର ମାନଙ୍କ ସହାୟତା ରାଶିରେ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ମାସକୁ ୨୦୦୦ ଟଙ୍କା ସହାୟତା ପାଇବେ କଳାକାର । ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ ହୋଇଥିଲେ ମାସକୁ ମିଳିବ ୨୫୦୦ ଟଙ୍କା । ଏହା ଦ୍ୱାରା ଉପକୃତ ହେବେ ୮୦ ହଜାର କଳାକାର । ଚଳିତ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା ।

ଲୋକକଳା ଆମର ଅସ୍ମିତା । କଳାକାର ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ଅନୁଯାୟୀ ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ । ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ । ଏହା ଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ ।

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ସାମିଲ ହେବେ ଆଉ ୩୦ ହଜାର କଳାକାର

ପୂର୍ବରୁ ଏହି ଯୋଜନାର ୫୦୦୦୦ କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦୦୦୦କୁ ବୃଦ୍ଧି କରାଯାଇଛି । ଯାହା ଦ୍ୱାରା ଆହୁରି ରାଜ୍ୟର ୩୦୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ii)ରେ ଉଲ୍ଲେଖ ଥିବା କଳାକାରଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅଶି ବର୍ଷ ପର୍ଯ୍ୟନ୍ତ କଳାକାରଙ୍କର ସହାୟତା ରାଶି ୧୨୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ଓ ଅଶି ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କର କଳାକାର ସହାୟତା ରାଶି ୧୨୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ । DBT ମାଧ୍ୟମରେ ଫେବୃଆରୀ ମାସ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାର ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ । ସେମାନଙ୍କର ସଂଗଠନ ମାନେ ଦାବି ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ଲୋକସେବା ଭବନର କନଭେନସନ କେନ୍ଦ୍ରରେ 5T ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.