ETV Bharat / state

୩ ବର୍ଷ ବଢ଼ିଲା କାଳିଆ ଯୋଜନା ଅବଧି; ୪୬ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୩୩ କୋଟିରୁ ଅଧିକ ସହାୟତା

author img

By ETV Bharat Odisha Team

Published : Mar 11, 2024, 8:56 PM IST

Farmers Get KALIA Assistance: ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଆସିଲା କାଳିଆ ସହାୟତା ରାଶି । ସେହିପରି କାଳିଆ ଯୋଜନାର ଅବଧି ଆଉ ୩ ବର୍ଷ ପାଇଁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ।ଅଧିକ ପଢନ୍ତୁ

୩ ବର୍ଷ ବଢ଼ିଲା କାଳିଆ ଯୋଜନା ଅବଧି; ୪୬ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୩୩ କୋଟିରୁ ଅଧିକ ସହାୟତା
୩ ବର୍ଷ ବଢ଼ିଲା କାଳିଆ ଯୋଜନା ଅବଧି; ୪୬ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୩୩ କୋଟିରୁ ଅଧିକ ସହାୟତା

ଭୁବନେଶ୍ବର: କାଳିଆ ହିତାଧିକାରୀଙ୍କ ପାଇଁ ଖୁସି ଖବର । ହିତାଧିକାରୀ କାଳିଆ ସହାୟତା ରାଶି ପଠାଇଲେ ରାଜ୍ୟ ସରକାର । ଆଜି (ସୋମବାର) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା ୨୦୨୪ ପ୍ରଦାନ କରିଛନ୍ତି । ଏଥି ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦଘାଟନ କରିଛନ୍ତି । ସେହିପରି କାଳିଆ ଯୋଜନାର ଅବଧି ଆଉ ୩ ବର୍ଷ ପାଇଁ ବୃଦ୍ଧି ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।


ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ । ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ । କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୁରା ପରିବାରକୁ, ସମାଜକୁ ସଶକ୍ତି କରିଥାଏ । ତେଣୁ କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି NIT, IIT, IIM, AIIMS, ICAR ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ କୃଷି ସମ୍ବନ୍ଧୀୟ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ୩୦ ଜିଲ୍ଲାରେ କାଳିଆ କେନ୍ଦ୍ର ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ, ଏଗୁଡିକ କୃଷି କ୍ଷେତ୍ରରେ ଅଭିନବ ଚିନ୍ତାଧାରା ଓ ସମ୍ବଳ କେନ୍ଦ୍ର ଭାବରେ କାମ କରିବ । ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ରାଜ୍ୟର ୧୮ ଲକ୍ଷରୁ ଊର୍ଦ୍ଧ୍ବ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ । ସମୁଦାୟ ୩୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଖରିଫ - ୨୦୨୪ ପାଇଁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହା ଦ୍ବାରା ୪୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ।
ଏହା ମଧ୍ୟ ପଢନ୍ତୁ ....ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ, 5 ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର



ସେହିପିରି କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ୫ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ କାଳିଆ ଯୋଜନା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିଲା । ଏହି ଯୋଜନା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହା ସହିତ ଓଡିଶାର ଚାଷୀଙ୍କ ପାଇଁ ସହାୟକ ହୋଇପାରିଛି । ରାଜ୍ୟରେ ଚାଷୀଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଓ ପରିମାଣକୁ କ୍ରମାଗତ ଭାବେ ସଂପ୍ରସାରଣ କରୁଛନ୍ତି । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ୨୦୧୯ ମସିହାରେ ଏହି ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଇତି ମଧ୍ୟରେ ୬୪ ଲକ୍ଷ ଚାଷୀ ଭାଇ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧୩୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ଚାଷୀଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ ପଦକ୍ଷେପ ।

ଭାରତ ବର୍ଷରେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କୃଷି ଓ କୃଷକ ସଶକ୍ତିରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଛନ୍ତି । କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.