ETV Bharat / state

ଜେଲରୁ ବ୍ରାଉନସୁଗାର କାରବାର ମାମଲା: ୭ ଗିରଫ, ୯ ମୋବାଇଲ ଜବତ

author img

By ETV Bharat Odisha Team

Published : Mar 12, 2024, 10:24 AM IST

Brown sugar Smuggling: ଖୋର୍ଦ୍ଧା ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ଜେଲ ଭିତରୁ ଆଉ ୯ଟି ମୋବାଇଲ ଜବତ ହୋଇଛି । ଅଧିକ ପଢନ୍ତୁ

ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲା
ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲା

ଜେଲରୁ ବ୍ରାଉନସୁଗାର କାରବାର ମାମଲା

ଖୋର୍ଦ୍ଧା: ଜେଲ ଭିତରେ ଚାଲୁଥିଲା ବ୍ରାଉନସୁଗାର ନେଟୱର୍କ । ଅପରାଧୀମାନେ ଜେଲରେ ଥାଇ ବି ମୋବାଇଲ ଜରିଆରେ ଧଳା ଜହର କାରବାର କରୁଥିଲେ । ଜେଲ ଭିତରୁ ଗୋଟିଏ ମୋବାଇଲ ଧରାପଡିବା ପରେ ପୁରା ଘଟଣାର ହୋଇଥିଲା ପର୍ଦ୍ଦାଫାସ । ଏହି ବ୍ରାଉନସୁଗାର କାରବାର ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ପୋଲିସ ଜେଲରୁ ଆଉ ୯ଟି ମୋବାଇଲ ସମେତ ବହୁ କମ୍ପାନୀର ସିମ କାର୍ଡ ଜବତ କରିଛି । ତେବେ ଏହି ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ୭ ଜଣ ଗିରଫ ହୋଇଛନ୍ତି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ, ବ୍ରାଉନସୁଗାର କାରବାର ମାମଲାରେ ଗିରଫ ହୋଇ ଖୋର୍ଦ୍ଧା ଜେଲରେ ଥିବା ଅପରାଧୀମାନେ ଜେଲ ଭିତରୁ ଚଳାଇଥିଲେ ବ୍ରାଉନସୁଗାର ନେଟୱର୍କ । ମୋବାଇଲରେ ଅପରେଟିଂ ହେଉଥିଲା ଧଳା ଜହର ସାମ୍ରାଜ୍ୟ । ଜେଲ ଭିତରୁ ଗୋଟିଏ ମୋବାଇଲ ଧରପଡିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ 4 ଜଣଙ୍କୁ ଗତ 5 ତାରିଖରେ ରିମାଣ୍ଡରେ ଆଣିଥିଲା ପୋଲିସ । ପଚରାଉଚରା ପରେ 6 ତାରିଖରେ ପୁଣି ଜେଲ ଭିତରୁ 9ଟି ମୋବାଇଲକୁ ଜବତ କରିଥିଲା । ଜେଲ ଭିତରୁ ଅପରାଧୀଙ୍କ ସହ ଯୋଗାଯୋଗରେ ରହି ବ୍ୟବସାୟ କରୁଥିବା 7 ଜଣଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ଯେଉଁମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଙ୍ଗଲରେ ଚାଲିଥିଲା ଧଳା ଜହର ବେପାର, ମାଡ଼ିବସିଲା ପୋଲିସ

ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ରହି ଚଳାଉଥିଲେ ସମ୍ପୂର୍ଣ୍ଣ ଧଳା ଜହର ସାମ୍ରାଜ୍ୟ । ସେମାନଙ୍କ ଠାରୁ ସମୁଦାୟ 20ଟି ମୋବାଇଲକୁ ଜବତ କରିଛି ଖୋର୍ଦ୍ଧା ପୋଲିସ । ତେବେ ଅଭିଯୁକ୍ତମାନେ କାଳୁଚରଣ ଭୂୟାଁ, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠୀ, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାଏକ, ଏସ୍‌କେ ଆକ୍ରମ ଓ ଅମିତ ସାହୁ ବୋଲି ଜଣାପଡିଛି । କାଳୁ ଚରଣ ପୋଲସରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ସମସ୍ତେ ଖୋର୍ଦ୍ଧାର । ଏନେଇ ଆଜି ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେହିପରି ଆଗକୁ ଆହୁରି ଅନେକ ତଥ୍ୟ ବାହାରିବ ବୋଲି ମଧ୍ୟ କହିଛନ୍ତି । ତେବେ ଜେଲ ଭିତରୁ ଏତେ ମୋବାଇଲ ମିଳିବା ପୋଲିସକୁ ଆଶ୍ଚର୍ଯ୍ୟ କରିଛି । କେମିତି ଏତେ ସଂଖ୍ୟାରେ ମୋବାଇଲ ଜେଲ ଭିତରକୁ ଯାଉଥିଲା ଆଉ ଏହାର ଟେର କେମିତି ଜେଲ କର୍ମଚାରୀ ଜାଣିପାରୁ ନ ଥିଲେ ତାହା ଏବେ ବଡ ପ୍ରଶ୍ନ ପାଲଟିଛି । ସେହିପରି ଜେଲକୁ ମୋବାଇଲ ଯିବାରେ କେଉଁ ଜେଲ କର୍ମଚାରୀଙ୍କ ସଂପୃକ୍ତି ରହିଛି ତାର ମଧ୍ୟ ତଦନ୍ତ କରୁଥିବା ପୋଲିସ କହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.