ETV Bharat / state

କପିଳେଶ୍ବର ଓ ଲିଙ୍ଗରାଜଙ୍କ ଜାଗର ଯାତ୍ରା, ବିଏମସିର ମାର୍ଗଦର୍ଶିକା ଜାରି

author img

By ETV Bharat Odisha Team

Published : Mar 7, 2024, 8:12 AM IST

SOP for Jagar Yatra: ଆସନ୍ତାକାଲି(8 ତାରିଖ)ରେ କପିଳେଶ୍ବର ଓ ଲିଙ୍ଗରାଜଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେବ । ତେବେ ଶାନ୍ତିଶୃଙ୍ଖଳାର ସହିତ କାର୍ଯ୍ୟ ଶେଷ କରିବା ପାଇଁ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି । ଅଧିକ ପଢନ୍ତୁ

SOP for Jagar Yatra
SOP for Jagar Yatra

ଭୁବନେଶ୍ବର: ରାତି ପାହିଲେ ଜାଗର । ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଥିବା ବେଳେ ବାବା ଶ୍ରୀଲିଙ୍ଗରାଜ ଓ କପିଳେଶ୍ବରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ମାର୍ଗଦର୍ଶିକା (ଏସଓପି) ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ହେବା ପରେ ବିଏମସି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହାସହ ଅତିରିକ୍ତ କମିଶନରଙ୍କ ହାତରେ ସମସ୍ତ ପରିଚାଳନା ଦାୟିତ୍ବ ନ୍ୟସ୍ତ କରାଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଉପରୋକ୍ତ ୨ ମନ୍ଦିରର ନୋଡାଲ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ୩ଟି ସିଫ୍ଟରେ ପୁରା ଏମାକ୍ର କ୍ଷେତ୍ରରେ ସଫେଇ କରାଯିବ । ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ବରଙ୍କ ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମସି ପକ୍ଷରୁ ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି ।

ବିନ୍ଦୁସାଗରରେ ସ୍ବତନ୍ତ୍ର ବ୍ୟବସ୍ଥା: ସେହିପରି ବିନ୍ଦୁସାଗର ଘାଟ ସଫା କରିବାକୁ ସଫେଇ ସଂସ୍ଥାକୁ କୁହାଯାଇଥିବାବେଳେ ଗୁରୁବାର ସୁଦ୍ଧା ସଫେଇ ଶେଷ କରିବାକୁ କୁହାଯାଇଛି । ଏହାସହ ବିନ୍ଦୁସାଗରର ଆଲୋକୀକରଣ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିଲାଗି ବିଏମସିର ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏହାସହ ମେୟରଙ୍କ ନିର୍ଦ୍ଦେଶ ମୁତାବକ, ଏଥର ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଲିଙ୍ଗରାଜଙ୍କ ମନ୍ଦିର ସହିତ ସିଂହଦ୍ବାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପାଚେରୀ, ଡାକବିଭିଶନେଶ୍ବର ମନ୍ଦିର, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ବର ମନ୍ଦିର ସୌନ୍ଦର୍ଯ୍ୟକରଣ ବୁଧବାର ସୁଦ୍ଧା ଶେଷ କରିବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଲିଙ୍ଗରାଜଙ୍କ ଜାଗରଯାତ୍ରା ପ୍ରସ୍ତୁତି, ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ

ସେହିପରି ମେକାନିକାଲ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ୨ ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଏକ ଭ୍ରାମ୍ୟମାଣ ଶୌଚାଳୟ ୭ ତାରିଖ ସନ୍ଧ୍ୟାରୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୭ ତାରିଖ ସନ୍ଧ୍ୟାରୁ ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ କି ନିୟମିତ ଭ୍ରାମ୍ୟମାଣ ଶୌଚାଳୟକୁ ସଫା ରଖିବେ । ମେଡିସିନ୍‌, ଆମ୍ବୁଲାନ୍ସ ଓ ଫାଷ୍ଟ ଏଡ୍‌ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ମିଳିଛି । ଜୋନାଲ ଡେପୁଟି କମିଶନର ନିୟମିତ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ । ଅନୁରୂପ ଭାବେ କପିଳେଶ୍ବର ମନ୍ଦିରରେ ଜାଗର ପାଳନ ଲାଗି ମଧ୍ୟ ସମାନ ସର୍ତ୍ତାବଳୀ ରହିଥିବା ବିଏମସି ପ୍ରଦତ୍ତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

ଜାତୀୟ ସ୍ତରୀୟ ଭଜନ ସମାରୋହ: ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୫ତମ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ । ମୁମ୍ବାଇର ଖ୍ୟାତନାମା କଳାକାର ହେମନ୍ତ ବ୍ରୀଜୱାସି, ହୋସିୟାର ସିଂ, ଚେତନ ବ୍ରୀଜୱାସି, ପୁନମ୍ ଭାଟିଆ, ଲୋପିତା ମିଶ୍ର ଓ ଏଥି ସହ ଅନୁରାଧା ପଡ଼ୱାଲ ଓ ତାଙ୍କ ଟିମ ସହ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଯୋଗଦେବେ । ଶ୍ରୀଲିଙ୍ଗରାଜ ଲାଇବ୍ରେରୀ ହଲ ଠାରେ ଅନୁଷ୍ଠିତ ସମ୍ମିଳନୀରେ ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଜାଗରର କାର୍ଯ୍ୟସୂଚୀ: ମହାଶିବରାତ୍ରୀ ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ, ପ୍ରବଚନ ପରେ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ସମାରୋହ ହେବ । ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଂଗୀତ ଜଗତର ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.