ETV Bharat / state

ହେମଗିରିରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଜେପି ନେତା ଗିରଫ

author img

By ETV Bharat Odisha Team

Published : Mar 1, 2024, 5:53 PM IST

BJP Protest in front of Hemgir Police Station: ହେମଗିରି ଥାନା ରତନପୁରର ପ୍ରେମ କାଲୋ (୬୫)ଙ୍କୁ ଆକ୍ରମଣ ମାମଲାରେ ଘୋଘରପାଲି ଗ୍ରାମର ବିଜେପି ମଣ୍ଡଳ ସଭାପତି ମାଧବ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାର ପ୍ରତିବାଦରେ ହେମଗିର ଥାନା ଘେରାଓ କରିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ବିଜେପି କର୍ମୀ । ଅଧିକ ପଢ଼ନ୍ତୁ

ବିଜେପିର ହେମଗିରି ଥାନା ଘେରାଓ
ବିଜେପିର ହେମଗିରି ଥାନା ଘେରାଓ

ବିଜେପିର ହେମଗିରି ଥାନା ଘେରାଓ

ସୁନ୍ଦରଗଡ଼/ହେମଗିରି: ହେମଗିରି ଥାନା ରତନପୁରର ପ୍ରେମ କାଲୋ (୬୫)ଙ୍କୁ ଆକ୍ରମଣ ମାମଲାରେ ୨୮ ତାରିଖରେ ଘୋଘରପାଲି ଗ୍ରାମର ବିଜେପି ମଣ୍ଡଳ ସଭାପତି ମାଧବ ବାରିକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହାର ପ୍ରତିବାଦରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ହେମଗିର ଥାନା ଘେରାଓ କରିଛନ୍ତି । ହେମଗିରି ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ବିଧାୟିକାଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ହେମଗିରି ଥାନା ଘେରାଓ କରିଥିଲେ ।

ବିଧାୟିକାଙ୍କ ସମେତ ଶତାଧିକ କର୍ମୀ ହେମଗିରି ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହେମଗିରି ଥାନା ଆଗରେ ପହଞ୍ଚିଥିଲେ । ଏହାପରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଥାନା ଘେରାଓ କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ କହିଛନ୍ତି, "ଶାସକ ଦଳ ବିଜେଡି ଚାପରେ ପୋଲିସ ଘଟଣାରେ ସଂଶ୍ଳିଷ୍ଟ ନଥିବା ଜଣେ ବିଜେପି ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି । ବିଜେଡିର ଏଭଳି ହୀନ ରାଜନୀତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ।" ଏହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ବିଜେପି ନେତାଙ୍କ ଗିରଫଦାରୀ ବେଆଇନ ବୋଲି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି । ମାଧବ ବାରିକଙ୍କୁ ତୁରନ୍ତ ଛାଡ଼ିବାକୁ ସେ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସକାଳ ୮ଟାରେ ପ୍ରେମ କାଲୋ ଘୋଘରପାଲିସ୍ଥିତ ନିଜ ପୈତୃକ ଜମିରେ ଘର ତିଆରି କାର୍ଯ୍ୟରେ ଯାଇଥିଲେ । ସେଠାରୁ ରତନପୁର ଫେରିବାକୁ ବାହାରିଲାବେଳେ ମାଧବ ବାରିକଙ୍କ ଘର ସମ୍ମୁଖରେ ମାଧବ, ମହେନ୍ଦ୍ର ବାରିକ, ହୀରାଧର ଖମାରୀ ତାଙ୍କୁ ଅଟକାଇ ସେ ଜମିରେ ଘର ତିଆରି ନକରିବାକୁ ତାଗିଦ୍‌ କରି ନିସ୍ତୁକ ପିଟିଥିଲେ । ଏପରିକି ପ୍ରେମଙ୍କ କାନରୁ ରକ୍ତସ୍ରାବ ହେବା ଓ ସେ ଅଚେତ ହୋଇପଡ଼ିଯିବା ପରେ ସେମାନେ ଛାଡ଼ି ଚାଲିଗଲେ । ଏ ସମ୍ପର୍କରେ ସୂଚନା ପାଇ ସ୍ତ୍ରୀ ଉମେଶ୍ବରୀ କିଛି ଲୋକଙ୍କ ସହ ଯାଇ ପ୍ରେମଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଉଲିବୁରୁ ଖଣି ଦୁର୍ନୀତିର ଛାନଭିନ୍, ଭୁବନେଶ୍ୱର ଓ ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ED ରେଡ୍

ଏନେଇ ପ୍ରେମଙ୍କ ପତ୍ନୀ ଉମେଶ୍ଵରୀ ଏତଲାରେ ଉଲ୍ଲେଖ କରିଥିଲେ ଯେ, ୨୫ ବର୍ଷ ତଳେ ମାଧବ ବାରିକ ଓ ତାଙ୍କ ପରିବାର ଲୋକେ ପ୍ରେମ କାଲୋଙ୍କ ଘୋଘରପାଲିସ୍ଥ ଘରକୁ ଭାଙ୍ଗି, ମାରପିଟ କରି ଗାଁରୁ ତଡ଼ି ଦେଇଥିଲେ । ସେଦିନଠାରୁ ସେମାନେ ରତନପୁରରେ ରହି ଆସୁଛନ୍ତି । ହେଲେ ରତନପୁର ଗାଁରେ ଏମ୍‌ସିଏଲ୍‌ ଦ୍ବାରା ଜମି ଅଧିଗ୍ରହଣ ହେବାକୁ ଥିବାରୁ ପ୍ରେମ ଓ ତାଙ୍କ ପରିବାର ଘୋଘରପାଲିରେ ଘର ତିଆରି କରିବାକୁ ଯୋଜନା କରିଛନ୍ତି । ଏହି ସମୟରେ ତାଙ୍କ ଉପରେ ଆକ୍ରମଣ କରି ସେ ଜମି ଛଡ଼ାଇ ନେବାକୁ ମସୁଧା ଚାଲିଥିବାରୁ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ଦେବାକୁ ଉମେଶ୍ଵରୀ ପୋଲିସକୁ ଅନୁରୋଧ କରିଥିଲେ । ତେବେ ଗୋଟିଏ ପଟେ ବିଧାୟିକା କହୁଛନ୍ତି ଯେ ଆମ ନେତା ନିର୍ଦ୍ଦୋଷ, ଏବଂ ଅନ୍ୟପଟେ ପାଲଟା ଅଭିଯୋଗ ଆଣିଛନ୍ତି ପୀଡିତଙ୍କ ପତ୍ନୀ । ତେବେ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.