ETV Bharat / state

ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି-କଂଗ୍ରେସ ନେତା - BJD Joining Program

author img

By ETV Bharat Odisha Team

Published : Apr 9, 2024, 8:38 AM IST

BJD Joining Program: କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଅଧିକ ପଢ଼ନ୍ତୁ

ବିଜେଡିରେ ଯୋଗଦେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ନେତା
ବିଜେଡିରେ ଯୋଗଦେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ନେତା

ବିଜେଡିରେ ଯୋଗଦେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି । ମଜଭୁତ ହେଉଛି ଦଳୀୟ ସ୍ଥିତି । ତେବେ ସୋମବାର ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି ।

ବିଜେଡିର ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗିରଥୀ ମଲ୍ଲିକ । ସେ କଣ୍ଟାମାଳ ଦହିୟା ପଞ୍ଚାୟତର ନିବାସୀ ହୋଇଥିବା ବେଳେ ପେସାରେ ଓକିଲ । ତାଙ୍କ ବାପା ସ୍ବର୍ଗତ ରାମଚନ୍ଦ୍ର ମଲ୍ଲିକ ବୌଦ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ । ତେବେ ବିଭିନ୍ନ ଦଳ ଛାଡି ପ୍ରାୟ 150ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ବିଜେଡି ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ବୋଲି ବିଜେଡିରେ ସାମିଲ ହୋଇଥିବା କର୍ମୀମାନେ କହିଛନ୍ତି ।

ଏହି ଅବସରରେ କଣ୍ଟାମାଳ ବିଧାୟକ ମହୀଧର ରଣା କହିଛନ୍ତି, "ଅନ୍ୟ ଦଳରୁ ଆସି ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିବା ନେତାଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରା ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେମାନେ ଯୋଗ ଦେଇଛନ୍ତି । ଅନ୍ୟ ଦଳ କଣ୍ଟାମାଳ ବିକାଶକୁ ସହି ପାରୁନାହାନ୍ତି । ଆଗାମୀ ଦିନରେ ଏକାଠି ହୋଇ ବିକଶିତ କଣ୍ଟାମାଳର ସ୍ୱପ୍ନକୁ ପୂରଣ କରିବା । ମୁଖ୍ୟମନ୍ତ୍ରୀ କଣ୍ଟାମାଳ ବିକାଶ ପାଇଁ ବହୁ ପ୍ରକଳ୍ପ ଓ ଅନୁଦାନ ଦେଇଛନ୍ତି । କଣ୍ଟାମାଳ ବିଜେଡି ଗଡ଼ । ଏହାକୁ ମିଶିକି ସୁରକ୍ଷିତ ରଖିବା ।" ସେହିପରି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କହିଛନ୍ତି, "ଆଜିର ମିଶ୍ରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଧାୟକଙ୍କୁ ଭଲ ପାଇବା ଯୋଗୁଁ ହୋଇଛି । ବିଜେଡି ସଂଗଠନ କଣ୍ଟାମାଳରେ ଆହୁରି ସୁଦୃଢ ହେବ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ଆହୁରି ଆଗେଇବ ।" ସେହିପରି ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା କହିଛନ୍ତି, "କଣ୍ଟାମାଳ ଯେଉଁ ବିକାଶ ଦିଗରେ ଯାଉଛି, ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ । ସାଢେ ଚାରି ହଜାର କୋଟିର ବିକାଶ କାମ ଚାଲିଛି । ବିକାଶରେ ଆକୃଷ୍ଟ ହୋଇ ନୂଆ କଣ୍ଟାମାଳ ଗଢିବା ପାଇଁ ସାମିଲ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ କାମ କରିବା ।"

ଏହା ମଧ୍ୟ ପଢ଼ନ୍ତୁ...ଦେବଗଡରେ ଖାଲି ହେଉଛି ହାତ ! ପ୍ରାର୍ଥୀ ଘୋଷଣା ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ପ୍ରଣବ - BJD Joining Program Deogarh

ତେବେ ଏହି ମିଶ୍ରଣ ପର୍ବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାୟକ ମହୀଧର ରଣା, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନାଙ୍କ ଉପସ୍ଥିତିରେ ଯୁବ ଓକିଲ ଭାଗିରଥୀ ମଲ୍ଲିକ, ଆମ ଆଦମୀ ପାର୍ଟିର ବୌଦ୍ଧ ଜିଲ୍ଲା ସଂଯୋଜକ ଆଶିଶ ଘିବିଲା, ପୂର୍ବତନ ସମବାୟ ସଭାପତି ଓ ଶଗଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ନାୟକ, ପୂର୍ବତନ ସମବାୟ ନିର୍ଦ୍ଦେଶକ ଓ ଅଇଁଲାପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପ୍ରସନ୍ନ ବକ୍ସି, ଭାରତୀୟ ଜନତା ପାର୍ଟିର ପୂର୍ବତନ ବାଉଁଶୁଣି ମଣ୍ଡଳ ସାଧାରଣ ସମ୍ପାଦକ ଦାମୋଦର ମିଶ୍ର, ଭାରତୀୟ ଜନତା ପାର୍ଟିର ବାଉଁଶୁଣି ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ସତ୍ୟ ନାରାୟଣ ଡାଙ୍ଗଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.